25 June 2017
2:23:56 AM
Sambad News
ସମ୍ବଲପୁର

ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀ ଖୋଜା ପର୍ବ

କଂଗ୍ରେସ୍‌କୁ ଅକାଳ; ବିଜେପି, ବିଜେଡିରେ କନ୍ଦଳ

By Sambad | Date: Jan 4 2017 7:14AM
ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀ ଖୋଜା ପର୍ବ

ସମ୍ବଲପୁର, : ବର୍ତମାନ ପ୍ରବଳ ଥଣ୍ଡା। ମାତ୍ର ସହର ଅପେକ୍ଷା ଗାଁରେ ତାତି ବଢ଼ିଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏଥର କିଏ କେଉଁ ଜାଗାରୁ ନିର୍ବାଚନରେ ଛିଡ଼ା ହେବେ, କାହାକୁ ଦଳୀୟ ଟିକଟ୍‌ ମିଳିବ, କିଏ ବିଦ୍ରୋହୀ ହେବ, କାହାର ଜିତିବା ସମ୍ଭାବନା ଅଧିକ ଏଭଳି ବିଭିନ୍ନ ପ୍ରସଂଗକୁ ନେଇ ସାଧାରଣରେ ଗରମାଗରମ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ରାଜନୈତିକ ଦଳଗୁଡ଼ିକ ମଧ୍ୟ ପ୍ରାର୍ଥୀ ଖୋଜା ଆରମ୍ଭ କରି ଦେଇଛନ୍ତି। କଂଗ୍ରେସ ଓ ବିଜେପି ଜିଲ୍ଲାସ୍ତରରେ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ କରୁଥିବା ବେଳେ ଶାସକ ବିଜେଡିର ପ୍ରାର୍ଥୀ କିନ୍ତୁ ରାଜଧାନୀରୁ ନିର୍ଧାରିତ ହେବେ ବୋଲି କୁହାଯାଉଛି।
 

ରାଜ୍ୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ପରେ ପରେ କଂଗ୍ରେସ ନିଜର ପ୍ରାର୍ଥୀ ଖୋଜା ଆରମ୍ଭ କରି ଦେଇଥିଲା। ୫ ତାରିଖ ମଧ୍ୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ତଥା ବ୍ଲକ୍‌ କାର୍ଯ୍ୟାଳୟରୁ ଆଗ୍ରହୀ ପ୍ରାର୍ଥୀମାନେ ଫର୍ମ ନେଇ ପାରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆ ଯାଇଥିଲା। ଏବେ ସୁଦ୍ଧା ଆଗ୍ରହୀ ପ୍ରାର୍ଥୀମାନେ ସେମାନଙ୍କ ସଂକ୍ଷିପ୍ତ ବିବରଣୀ ସହ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆବେଦନ କରିବାକୁ କୁହା ଯାଇଥିଲା। ବର୍ତମାନ ସୁଦ୍ଧା ଉଭୟ ଜିଲ୍ଲା ଓ ବ୍ଲକ୍‌ କାର୍ଯ୍ୟାଳୟରେ ୧୧ ଜଣ ଲେଖାଏଁ ଆବେଦନ କରିଥିବା ଦାୟିତ୍ୱରେ ଥିବା ଡିସିସି ସାଧାରଣ ସଂପାଦକ ଆଦିତ୍ୟ ନାଥ କହିଛନ୍ତି।

ତେବେ ୫ ତାରିଖ ସୁଦ୍ଧା ଆହୁରି ବହୁ ପ୍ରାର୍ଥୀ ଆବେଦନ କରିବାର ସମ୍ଭାବନା ରହିଛି। ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ୬ ତାରିଖ ସୁଦ୍ଧା ଘୋଷଣା କରାଯିବ ବୋଲି ଶ୍ରୀ ନାଥ ସୂଚନା ଦେଇଛନ୍ତି। ତେବେ ଏପର୍ଯ୍ୟନ୍ତ ସର୍ବାଧିକ ୫ ଜଣ ମାନେଶ୍ୱର ଜୋନ୍‌-୧ ଓ ୩ ଜଣ ଜୋନ୍‌-୨ ପାଇଁ ଆବେଦନ କରିଥିବା ସେ କହିଛନ୍ତି। କୁଚିଣ୍ଡା ଓ ବାମରା ଅଞ୍ଚଳରୁ ପ୍ରାର୍ଥୀ ଖୋଜା ଚାଲି ଥିବା ଦଳ ସୂତ୍ରରୁ ପ୍ରକାଶ।
 

ଅପର ପକ୍ଷରେ ବିଜେପି ପକ୍ଷରୁ ମଣ୍ଡଳ କମିଟି ଜରିଆରେ ଓ ସହମତି ଭିତ୍ତିରେ ପ୍ରାର୍ଥୀ ଚୟନ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଚୟନ କମିଟିର ଅନ୍ୟତମ ସଦସ୍ୟ ନାଉରୀ ନାଏକ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନ୍‌କୁ ଗୋଟିଏ ଲେଖାଏଁ ମଣ୍ଡଳରେ ଭାଗ କରାଯାଇଛି। ପ୍ରତି ମଣ୍ଡଳର ବୈଠକରେ ପ୍ରାର୍ଥୀମାନଙ୍କୁ ଚୟନ କରି ଜିଲ୍ଲା କମିଟିକୁ ପଠାଇବାକୁ କୁହାଯାଇଛି। କୌଣସି ସ୍ଥାନରେ ବିବାଦ ହେଲେ ଜିଲ୍ଲା ଚୟନ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ। ତେବେ କୌଣସି ଜାଗାରେ ଏଭଳି ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ନାହିଁ ବୋଲି ଶ୍ରୀ ନାଏକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅପର ପକ୍ଷରେ ଶାସକ ବିଜେଡି ପ୍ରାର୍ଥୀ ଖୋଜାରେ ସବୁଠୁ ପଛରେ ରହିଛି। ଏପର୍ଯ୍ୟନ୍ତ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇ ନାହିଁ। ୪ରୁ ୬ ତାରିଖ ମଧ୍ୟରେ ଜିଲ୍ଲାର ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନ୍‌ର ଦଳୀୟ କର୍ମୀମାନଙ୍କ ବୈଠକ ଅନୁଷ୍ଠିତ ହେବ।

ଏହି ବୈଠକରେ କର୍ମୀମାନଙ୍କ ମତାମତକୁ ସମ୍ମାନ ଜଣାଇ ପ୍ରାର୍ଥୀ ବଛାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ରାଜଧାନୀକୁ ସୁପାରିଶ କରାଯିବ। ରାଜଧାନୀରେ ଦଳର ଜିଲ୍ଲାସ୍ତରୀୟ ନେତାମାନଙ୍କର ମିଳିତ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ପ୍ରାର୍ଥୀ ତାଲିକା ସେଠାରେ ଘୋଷଣା କରାଯିବ ବୋଲି ବିଜେଡି ଜିଲ୍ଲା ସଭାପତି ଡ. ପ୍ରମୋଦ ରଥ କହିଛନ୍ତି।
ଦିନେ ସମ୍ବଲପୁର ଜିଲ୍ଲା କଂଗ୍ରେସର ଦୁର୍ଗ ଥିଲା। ଏବେ କିନ୍ତୁ ସେଭଳି ସ୍ଥିତି ନାହିଁ। ନିଜ ପୂର୍ବ ସ୍ଥିତି ଫେରି ପାଇବା ପାଇଁ କଂଗ୍ରେସ ଉଦ୍ୟମ କରୁଛି। କିନ୍ତୁ ବର୍ତମାନ ସୁଦ୍ଧା ୧୮ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ମାତ୍ର ୨୨ ଜଣ ଆବେଦନ କରିବା ଦଳର ଦୟନୀୟ ସ୍ଥିତିର ସୂଚନା ଦେଉଛି।

ଜିଲ୍ଲା ବିଜେପିରେ ଗୋଷ୍ଠୀ କନ୍ଦଳ ରହିଛି। ଏଣୁ ସହମତି ଭିତ୍ତିରେ ପ୍ରାର୍ଥୀ ଚୟନ କରାଯିବା ସେତେଟା ସହଜ ମନେ ହେଉ ନାହିଁ। ପୁଣି ଶାସକ ବିଜେଡିରେ ମଧ୍ୟ ତୀବ୍ର ଗୋଷ୍ଠୀ କନ୍ଦଳ ରହିଛି। ଏଭଳି ସ୍ଥିତିରେ ସଂପୃକ୍ତ ଅଞ୍ଚଳର ବିଧାୟକଙ୍କୁ ପ୍ରାର୍ଥୀ ଚୟନରେ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି। ତେବେ କେତେକ ଅଞ୍ଚଳରେ ବିଧାୟକ ଓ ସାଂସଦଙ୍କ ମଧ୍ୟରେ ସଂପର୍କ ଭଲ ନାହିଁ। ତେଣୁ ସେଠାରେ ବି ପ୍ରାର୍ଥୀ ଚୟନରେ ଟଣାଓଟରା ଲାଗି ରହିବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି।