24 September 2017
10:47:48 AM
Sambad News
ସମ୍ବଲପୁର

ଭିସୁଟ୍‌ ଛାତ୍ରଙ୍କ ରକେଟ୍‌ ମଡେଲ୍‌ ପ୍ରସ୍ତୁତ

By Sambad | Date: Jan 5 2017 3:00AM
ଭିସୁଟ୍‌ ଛାତ୍ରଙ୍କ ରକେଟ୍‌ ମଡେଲ୍‌ ପ୍ରସ୍ତୁତ

ସମ୍ବଲପୁର : ବୁର୍ଲା ଭିସୁଟ୍‌ ଛାତ୍ରଛାତ୍ରୀଙ୍କ ୪୦ଜଣ ଟିମ୍‌ ସ୍ୱଦେଶୀ ଜ୍ଞାନକୌଶଳରେ ସାଟେଲାଇଟ୍‌ ମଡେଲ୍‌ ପ୍ରସ୍ତୁତ କରିସାରିଛନ୍ତି। ଏହି ସାଟେଲାଇଟ୍‌ ଆକାଶମାର୍ଗରୁ ହୀରାକୁଦ ଜଳଭଣ୍ଡାରର ନିରୀକ୍ଷଣ କରିବ। ଜଳଭଣ୍ଡାରର କେଉଁକେଉଁ ସ୍ଥାନରେ ପଟୁମାଟି ଗଚ୍ଛିତ ହୋଇଛି, ତାହାର ସର୍ବେକ୍ଷଣ କରିବ। ବ୍ୟାଟେରି ଚାଳିତ ଏହି ସାଟେଲାଇଟ୍‌ ୪ହଜାର ଫୁଟ୍‌ ଉପରେ ବିଚରଣ କରିବ। ସାଟେଲାଇଟ୍‌କୁ ଆକାଶମାର୍ଗକୁ ନିକ୍ଷେପ କରିବା ପାଇଁ ରକେଟ୍‌ର ମଡେଲ୍‌ ମଧ୍ୟ ନିର୍ମାଣ ହୋଇସାରିଛି। ରକେଟ୍‌ର ସ୍କେଲେଟେବଲ୍‌ ପ୍ରୋଟୋଟାଇପ୍‌ (ପ୍ରତିକୃତି)ର ପରୀକ୍ଷଣ ସରିଛି। ସିମୁଲେସନ୍‌ ମଧ୍ୟ ସଫଳତାର ସହ ଶେଷ ହୋଇଛି। ରକେଟ୍‌ ଉତ୍‌କ୍ଷେପଣ ପାଇଁ ଜମାଦାରପାଲିକୁ ଚିହ୍ନଟ କରାଯାଇଛି। 
 
ରକେଟ୍‌ଟି ସାଟେଲାଇଟ୍‌କୁ ନିର୍ଧାରିତ ଉଚ୍ଚତାରେ ପହଂଚିବା ପରେ ତାହା ଅଲଗା ହୋଇଯିବ। ରକେଟ୍‌କୁ ପାରାଚ୍ୟୁଟ୍‌ ମାଧ୍ୟମରେ ଭୂପୃଷ୍ଠକୁ ଅଣାଯିବ। ଏବେ ସରକାରୀ ସହାୟତାକୁ ଛାତ୍ରଛାତ୍ରୀ ଅପେକ୍ଷା କରିଛନ୍ତି। ସମୁଦାୟ ପ୍ରକଳ୍ପ ପାଇଁ ପ୍ରାୟ ୧୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ପ୍ରତି ଥର ରକେଟ୍‌ ପ୍ରକ୍ଷେପଣ ପାଇଁ ଆବଶ୍ୟକ ଇନ୍ଧନ (କଠିନ) ପାଇଁ ୬୦ହଜାର ଟଙ୍କା ଖର୍ଚ୍ଚ ହେବ। ତେଣୁ ଇନ୍ଧନ ଯୋଗାଇବା ସହ ଆବଶ୍ୟକୀୟ ଅନୁମତି ଦେବାକୁ ଶୀଘ୍ର ଛାତ୍ରଛାତ୍ରୀମାନେ ସରକାରଙ୍କୁ ବିଧିବଦ୍ଧ ଦସ୍ତାବିଜ୍‌ ସହ ପ୍ରକଳ୍ପ ରିପୋର୍ଟ ପଠାଇବାକୁ ସ୍ଥିର କରିଛନ୍ତି। 
 
ସରକାରୀ ପ୍ରୋତ୍ସାହନ ମିଳିଲେ ରକେଟ୍‌ର ଯନ୍ତ୍ରାଂଶ ଏବଂ ଇନ୍ଧନ ଆମଦାନୀ କରିବା ସମ୍ଭବ ହେବ ବୋଲି ଛାତ୍ରଛାତ୍ରୀ ଯୁକ୍ତି ବାଢ଼ିଛନ୍ତି। ଅନ୍ୟପକ୍ଷରେ ଅହମଦାବାଦ ବିଶ୍ୱବିଦ୍ୟାଳୟ ଠାରେ ଆସନ୍ତା ୬ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ମେର୍କସ୍‌ ମେଳାରେ ଭିସୁଟ୍‌ ଛାତ୍ରଙ୍କ ନିର୍ମାଣାଧୀନ ସାଟେଲାଇଟ୍‌ ମଡେଲ୍‌ ସ୍ଥାନ ପାଇବ।

image