28 June 2017
9:25:52 PM
image
Sambad News
ସମ୍ବଲପୁର

ଯୁବକଙ୍କୁ ପିଟିପିଟି ହତ୍ୟା

ଭୋଜି ହେଲା କାଳ: ମଦରୁ ବିବାଦ

By Sambad | Date: Jan 5 2017 11:37PM
ଯୁବକଙ୍କୁ ପିଟିପିଟି ହତ୍ୟା

ଜମନକିରା : ପିକନିକ ଯାଇ ୫/୬ ଜଣ ଯୁବକ ତାଙ୍କ ବନ୍ଧୁଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ସମ୍ବଲପୁର ଜିଲ୍ଲା ଜମନକିରା ଥାନା କଦଳୀମୁଣ୍ଡା ଗାଁର ବାସୁଦେବ ପ୍ରଧାନ(୩୫)। ଏନେଇ ପୁଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଥିବା କହିଛନ୍ତି ଏସଡିପିଓ ରାମପ୍ରସାଦ ସାହୁ କହିଛନ୍ତି। 
 
ଜମନକିରାର ଜଣେ ଯୁବକ ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ସମିତିସଭ୍ୟ ପ୍ରାର୍ଥୀଭାବେ ଛିଡ଼ା ହେବା ପାଇଁ ଆଶାୟୀ ଥିଲେ। ସେ କଦଳୀମୁଣ୍ଡା ଓ ଜମନକିରାର କିଛି ଯୁବକଙ୍କୁ ନେଇ ବଣ ଭୋଜି କରିବା ଲାଗି ଗୁରୁବାର ପୂର୍ବାହ୍ନରେ ଯାଇଥିଲେ। ଭୋଜିରେ ୧୨ ରୁ ୧୫ ଯୁବକ ସ୍ଥାନୀୟ ବାବେଯୋର ନାଳାରେ ଭୋଜି କରିଥିଲେ। ଭୋଜି ଚାଲିଥିବା ବେଳେ ଯୁବକ ମାନଙ୍କ ମଧ୍ୟରେ ମଦ୍ୟପାନରେ ମସଗୁଲ ଥିଲେ। ଏହି ସମୟରେ ମଦକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା। 
 
କିଛି ସମୟ ପରେ ପୁଣିଥରେ ମଦକୁ କେନ୍ଦ୍ରକରି ସେମାନଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା। କାଠଫାଳିଆ ମାଡ଼ରେ ବାସୁଦେବର ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ତେବେ କିଏ ମାରିଛି ତାହା ସ୍ପଷ୍ଟ ହୋଇପାରୁନାହିଁ। ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ। ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୁଲିସ ଖବର ପାଇ ଶବକୁ ଜବତ କରିବା ସହ ୩ ଜଣଙ୍କୁ ଥାନାରେ ଅଟକ ରଖି ଅନ୍ୟ ମାନଙ୍କୁ ଖୋଜୁଛି। ତେବେ ତଦନ୍ତରେ ବାଧା ଉପୁଜିବ ବୋଲି ସମ୍ପୁର୍ଣ୍ଣ ତଥ୍ୟ ପ୍ରଦାନ କରିବା ପାଇଁ ମନା କରିଛି। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ପୁଲିସ ଖୋଜୁଛି। 
 
ମୃତ ବାସୁଦେବ ଗତବର୍ଷ ବିଭା ହୋଇଥିବା ବେଳେ ତା’ର ୪ ମାସର ଏକ ଝିଅ ସନ୍ତାନ ଓ ସ୍ତ୍ରୀ ଅଛନ୍ତିି। ବାସୁଦେବ ଜଣେ ମେଳାପୀ ପ୍ରକୃତିର ଯୁବକ ହୋଇଥିବାରୁ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶୁକ୍ରବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି ପୁଲିସ କହିଛି।