22 February 2017
10:53:55 PM
Sambad News
ସମ୍ବଲପୁର

ଲକ୍ଷେ ଟଙ୍କା ପାଇଁ ଚାଷୀଙ୍କୁ ହାଣିଦେଲେ : ସୁଧ ବେପାରୀ, ସହଯୋଗୀ ଗିରଫ

By Sambad | Date: Jan 6 2017 6:09AM
ଲକ୍ଷେ ଟଙ୍କା ପାଇଁ ଚାଷୀଙ୍କୁ ହାଣିଦେଲେ : ସୁଧ ବେପାରୀ, ସହଯୋଗୀ ଗିରଫ

ସମ୍ବଲପୁର : ସୁଧ ଟଙ୍କା ଦିଆନିଆରୁ ହୀରାକୁଦରେ ବୁଧବାର ସନ୍ଧ୍ୟାରେ ଚାଷୀ ଲାଣ୍ଡୁ ରୋହିଦାସ (୩୨)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ସୁଧି କାରବାର କରୁଥିବା ବିରୁପାକ୍ଷ ପଣ୍ଡା ଏବଂ ସହଯୋଗୀ ଗୁଣ୍ଡୁରୁପଡ଼ାର ରିଂକୁ ସାହୁକୁ ହୀରାକୁଦ ପୁଲିସ୍‌ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରିକୁ ଜବତ କରିଛି। 
 
ପୁଲିସ୍‌ ସୂଚନା ଅନୁସାରେ, ଜମିହୀନ ଭାଗଚାଷୀ ଲାଣ୍ଡୁ ଏବଂ  ତାଙ୍କ ଭାଇ ଚାଷ ପାଇଁ ବିରୁପାକ୍ଷଙ୍କ ଠାରୁ ନଗଦ ଲକ୍ଷେ ଟଙ୍କା ଏବଂ ସାର ଆଣିଥିଲେ। ଧାନ ଅମଳ ପରେ ବି ନିୟମିତ ସୁଧ ଟଙ୍କା ଦେବାକୁ ତାଗିଦ ସତ୍ତ୍ୱେ ଲାଣ୍ଡୁ ବିରୁପାକ୍ଷଙ୍କୁ କିଛି ଟଙ୍କା ଦେଇନଥିଲେ। ଘଟଣା ଦିନ ସଂଧ୍ୟା ପ୍ରାୟ ୬ଟା ବେଳେ ବିରୁପାକ୍ଷ ଏବଂ ଦୁଇ ଜଣ ସହଯୋଗୀ ଲାଣ୍ଡୁଙ୍କୁ ଘରଠାରୁ ପ୍ରାୟ ୨ଶହ ମିଟର ଦୂରକୁ ଡାକି ଆଣିଥିଲେ। ସେଠାରେ ଟଙ୍କା ପରିଶୋଧ ନେଇ ବେଶ୍‌ କିଛି ସମୟ ଯୁକ୍ତିତର୍କ ହୋଇଥିଲା। ଲାଣ୍ଡୁ ତୁରନ୍ତ ଟଙ୍କା ଫେରାଇ ପାରିବେନାହିଁ ବୋଲି କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିରୁପାକ୍ଷ ଗୋଟିଏ କଟୁରିରେ ଲାଣ୍ଡୁଙ୍କୁ ଚୋଟ ପରେ ଚୋଟ ପକାଇଥିଲେ। ଏଥିରେ ରିଂକୁ ଏବଂ ଅନ୍ୟ ଜଣେ ସହଯୋଗୀ ସହାୟତା କରିଥିଲେ। ଲାଣ୍ଡୁ ମରି ଯାଇଥିବା ଭାବି ରାସ୍ତା କଡ଼ ବିଲରେ ତାଙ୍କୁ ଫିଙ୍ଗିି ପଳାଇଥିଲେ। ପରେ ଘଟଣାସ୍ଥଳରେ ଲାଣ୍ଡୁଙ୍କ ଜଣେ ସମ୍ପର୍କୀୟା ପହଞ୍ଚି ଆଖପାଖ ଲୋକଙ୍କ ସହାୟତାରେ ରକ୍ତ ଜୁଡ଼ୁବୁଡ଼ୁ ଲାଣ୍ଡୁଙ୍କୁ ବୁର୍ଲା ମେଡିକାଲ୍‌ ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।