28 April 2017
4:04:16 AM
image
Sambad News
ରାଜ୍ୟ

ବିଶ୍ୱ ବ୍ୟାଙ୍କ ନିୟମାବଳୀ ଉଲ୍ଲଂଘନ : ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କୁ ତାଗିଦ୍‌

By Sambad | Date: Jan 8 2017 11:55PM
ବିଶ୍ୱ ବ୍ୟାଙ୍କ ନିୟମାବଳୀ ଉଲ୍ଲଂଘନ : ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କୁ ତାଗିଦ୍‌

ରାଉରକେଲା : ନଦୀ ବନ୍ଧ ପୁନରୁଦ୍ଧାର ଓ ବିକାଶ ପ୍ରକଳ୍ପ (ଡିଆର୍‌ଆଇପି)ରେ ବିଶ୍ୱ ବ୍ୟାଙ୍କ ନିୟମାବଳୀକୁ ହୀରାକୁଦ ନଦୀ ବନ୍ଧ କର୍ତ୍ତୃପକ୍ଷ ଉଲ୍ଲଂଘନ କରୁଛନ୍ତି। ଏହା ଆଦୌ ଗ୍ରହଣଯୋଗ୍ୟ ନୁହେଁ। ଯଦି ଭବିଷ୍ୟତରେ ଏହାର ପୁନରାବୃତ୍ତି ଘଟେ, ତେବେ ବିଶ୍ୱ ବ୍ୟାଙ୍କ ସହାୟତା ବନ୍ଦ ହୋଇଯିବ। ଡିଆର୍‌ଆଇପି ପରିଚାଳନା କରୁଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୋଦ ନାରାୟଣ ଉପରୋକ୍ତ ଭାଷାରେ ହୀରାକୁଦ ବନ୍ଧ ନିରାପତ୍ତା ମଣ୍ଡଳ, ସୁନ୍ଦରଗଡ଼ ସେଚ ମଣ୍ଡଳର ଅଧୀକ୍ଷଣ ଯନ୍ତ୍ରୀ (ଏସ୍‌ଇ) ଓ ବୁର୍ଲା ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀଙ୍କୁ ତାଗିଦ କରିଛନ୍ତି। 
 
ଉଲ୍ଲେଖଯୋଗ୍ୟ, ଓଡ଼ିଶାର ୨୬ଟି ବୃହତ ଓ ମଧ୍ୟମ ନଦୀ ବନ୍ଧ ସମେତ ମୋଟ ୩୮ଟି ବନ୍ଧର ସୁରକ୍ଷା ନିମନ୍ତେ ଡିଆଇପିଆର୍‌ରେ ୧୪୭ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ବିଶ୍ୱ ବ୍ୟାଙ୍କ ସହଜ ଋଣ ଆକାରରେ ୮୦% ସହାୟତା ଦେବାକୁ ଚୁକ୍ତିବଦ୍ଧ ହୋଇଛି। ଓଡ଼ିଶା ବ୍ୟତୀତ ମଧ୍ୟ ପ୍ରଦେଶର ୫୦ଟି ବନ୍ଧ ପାଇଁ ୩୧୪ କୋଟି ୫୫ ଲକ୍ଷ ଟଙ୍କା, କେରଳର ୩୧ଟି ବନ୍ଧ ପାଇଁ ୨୭୯ କୋଟି ୯୯ ଲକ୍ଷ ଟଙ୍କା, ତାମିଲନାଡ଼ୁର ୧୦୪ଟି ବନ୍ଧ ପାଇଁ ୭୪୫ କୋଟି ୪୬ ଲକ୍ଷ ଟଙ୍କାର ପ୍ରକଳ୍ପ ଡିଆଇପିଆର୍‌ ଅନ୍ତର୍ଭୁକ୍ତ। ଏଥି ସକାଶେ ବିଶ୍ୱ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ୨୦୧୨ରେ ଚୁକ୍ତି ସ୍ୱାକ୍ଷର ହେବା ପରେ ବିଶ୍ୱ ବ୍ୟାଙ୍କ ସହାୟତା ପର୍ଯ୍ୟାୟ ଭିତ୍ତିରେ ଆସୁଛି। 
 
ସିଡବ୍ଲୁସିର ପ୍ରକଳ୍ପ ନିର୍ଦ୍ଦେଶକ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ହୀରାକୁଦ ବନ୍ଧର ପୁନରୁଦ୍ଧାର ଓ ବିକାଶ ପ୍ରକଳ୍ପ ପାଇଁ ସାମଗ୍ରୀ କିଣା ଓ ନିର୍ମାଣ ସଂକ୍ରାନ୍ତ ଟେଣ୍ଡର ପ୍ରକ୍ରିୟାରେ ବିଶ୍ୱ ବ୍ୟାଙ୍କ ନିୟମାବଳୀ ଏକାଧିକ ବାର ଉଲ୍ଲଂଘନ ହୋଇଥିବା ବିଶ୍ୱ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନଜରକୁ ଆସିଛି। ଏହି ପ୍ରକଳ୍ପର ସୁପରିଚାଳନା ପାଇଁ ଭାରତରେ ନିଯୁକ୍ତ ବିଶ୍ୱ ବ୍ୟାଙ୍କ ପ୍ରତିନିଧି ଜୁନ୍‌ ମାତ୍‌ସୁମୋତୋ ଏହାକୁ ଗୁରୁତର ତ୍ରୁଟି ଭାବେ ଗ୍ରହଣ କରିଛନ୍ତି। ବିଶେଷକରି ଟେଣ୍ଡର ଓ ନିଲାମ ଗ୍ରହୀତାଙ୍କ ପାଇଁ ଧାର୍ଯ୍ୟ ନିୟମାବଳୀ (ଆଇଏଫ୍‌ବି) ଓ ଠିକା କାର୍ଯ୍ୟ ପାଇଁ ନିର୍ଦ୍ଧାରିତ ସର୍ତ୍ତ (ସିସି)ରେ କୌଣସି ପ୍ରକାର ଉଲ୍ଲଂଘନ ବରଦାସ୍ତଯୋଗ୍ୟ ନୁହେଁ।
 
ପାରିପାର୍ଶ୍ୱିକ ପରିସ୍ଥିତି ଦୃଷ୍ଟିରୁ ନିର୍ବାହୀ କର୍ତ୍ତୃପକ୍ଷ ଯଦି ଉପରୋକ୍ତ ଦୁଇଟି ଧାରାରେ କୌଣସି ପରିବର୍ତ୍ତନ ଆବଶ୍ୟକ ମନେ କରିବେ, ତେବେ ତାହାକୁ ପୃଥକ ନଥି (ଡାଟା ସିଟ୍‌)ରେ ଉଲ୍ଲେଖ କରିବେ। ଦିଲ୍ଲୀରେ ଥିବା କେନ୍ଦ୍ରୀୟ ପରିଚାଳନା ଶାଖା (ସିପିଏମୟୁ) ଓ ବିଶ୍ୱ ବ୍ୟାଙ୍କ ପ୍ରତିନିଧି ତାହାକୁ ତନଖି କରି   ଅଣାପତ୍ତି ପ୍ରମାଣପତ୍ର (ଏନ୍‌ଓସି) ନଦେବା ପର୍ଯ୍ୟନ୍ତ ରାଜ୍ୟ ପ୍ରକଳ୍ପ ପରିଚାଳନା ଶାଖା (ଏସ୍‌ପିଏମ୍‌ୟୁ) କିମ୍ବା ନିର୍ବାହୀ କର୍ତ୍ତୃପକ୍ଷ ସମ୍ପୃକ୍ତ ଟେଣ୍ଡର ବା ନିଲାମ ପ୍ରକ୍ରିୟାରେ ଆଗେଇ ପାରିବେ ନାହିଁ। 

image