27 June 2017
2:21:42 PM
image
Sambad News
ରାଜ୍ୟ

ଭିମ୍‌ସାର୍‌:ପାଞ୍ଚ ବର୍ଷରେ ଆଖି ବୁଜିଲେଣି ୩୧୩୫

ଡାକ୍ତର ଅଭାବରୁ ଝୁଲି ରହିଛି ଟ୍ରମା କେୟାର୍‌ ୟନିଟ୍‌

By Sambad | Date: Jan 10 2017 11:50PM
ଭିମ୍‌ସାର୍‌:ପାଞ୍ଚ ବର୍ଷରେ ଆଖି ବୁଜିଲେଣି ୩୧୩୫

ବୁର୍ଲା: ସାତ ବର୍ଷ ବିତିସାରିଲାଣି ମାତ୍ର ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନସ୍‌ ଏଣ୍ଡ୍‌ ରିସର୍ଚ(ଭିମ୍‌ସାର୍‌)ରେ ଟ୍ରମା କେୟାର୍‌ ୟୁନିଟ୍‌ ଆରମ୍ଭ ହୋଇପାରୁନାହିିଁ। ଫଳରେ ବୁର୍ଲାମେଡିକାଲ୍‌କୁ ଗୁରୁତର ଅବସ୍ଥାରେ ଅଣାଯାଉଥିବା ଟ୍ରମା ରୋଗୀ ବା ଦୁର୍ଘଟଣାଗ୍ରସ୍ତମାନଙ୍କ ଠିକ୍‌ ସମୟରେ ଚିକିତ୍ସା ନହୋଇ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି। ତଥ୍ୟ କହୁଛି ଗତ ପାଞ୍ଚ ବର୍ଷରେ ଭିମ୍‌ସାର୍‌ ଆଶୁ ଚିକିତ୍ସା ବିଭାଗକୁ ଅଣାଯାଉଥିବା ଏଭଳି ଟ୍ରମା ରୋଗୀଙ୍କ ମଧ୍ୟରୁ ୩ହଜାର ୧୩୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଭିମ୍‌ସାର୍‌ରେ ଟ୍ରମା କେୟାର୍‌ ୟୁନିଟ୍‌ କାର୍ଯ୍ୟକ୍ଷମ କରିବାକୁ ହେଲେ ଏଥିପାଇଁ ଆବଶ୍ୟକ ଟ୍ରମା ବିଶେଷଜ୍ଞ ଡାକ୍ତର ଓ ଅନ୍ୟାନ୍ୟ ବୈଷୟିକ କର୍ମଚାରୀ। ଟ୍ରମା କେୟାରରେ ଚିକିତ୍ସା ସେବା ଯୋଗାଇବା ନେଇ ୪ଟି ଆଇସିୟୁ ଅଫିସର ଏବଂ ୩ଟି ବିଭାଗ ସର୍ଜରି ଅସ୍ଥିଶଲ୍ୟ, ଅନେସଥେସିଆ ଡାକ୍ତରଙ୍କ ପଦ ଅନୁମୋଦନ ହୋଇଛି। ମାତ୍ର ରାଜ୍ୟସରକାର ଡାକ୍ତର ନିଯୁକ୍ତ ଦେବାରେ କୌଣସି ପ୍ରକାର ତତ୍ପରତା ପ୍ରକାଶ କରୁ ନଥିବାରୁ ବୁର୍ଲାମେଡିକାଲ୍‌ରେ ଟ୍ରମା କେୟାର୍‌ ୟୁନିଟ୍‌ ଖୋଲାଯିବା ପଦ୍ମ କେବଳ ଘୁଞ୍ଚିବାରେ ଲାଗିଛି।
   

 ଅପରପକ୍ଷେ ଭିମ୍‌ସାର୍‌ ଆଶୁ ଚିକିତ୍ସା ବିଭାଗ ଉପରମହଲାରେ ମୋଟ ୧.୫ କୋଟି ବ୍ୟୟରେ ଟ୍ରମା କେୟାର ୟୁନିଟ୍‌ ସକାଶେ ଆବଶ୍ୟକ ଅନୁଷଙ୍ଗିକ ବ୍ୟବସ୍ଥା ହୋଇସାରିଛି । ପ୍ରାୟ ୬୦ ଲକ୍ଷର ଟ୍ରମା ମେସିନେରିଜ୍‌ ବା ଉପକରଣ ସହ ୧ କୋଟି ଅନୁଷଙ୍ଗିକ ବ୍ୟବସ୍ଥାରେ ଖର୍ଚ୍ଚ ହୋଇଥିବା ଜଣାଯାଇଛି। ମାତ୍ର ଟ୍ରମା କେୟାର୍‌ ହୋଇ ପାରୁ ନଥିବାରୁ ବିଭାଗଟିକୁ ଅସ୍ଥାୟୀ ଡେଙ୍ଗୁ ବିଭାଗ ଭାବେ ବ୍ୟବହୃତ କରାଯାଉଛି।

ହସ୍ତଗତ ତଥ୍ୟ ଅନୁସାରେ ଗତ ୨୦୧୨ରୁ ୨୦୧୬ ପାଞ୍ଚ ବର୍ଷରେ ବୁର୍ଲାମେଡିକାଲକୁ ଗୁରୁତର ଅବସ୍ଥାରେ ଅଣାଯାଉଥିବା ଟ୍ରମା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ ଭାବେ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି। ଗତ ୨୦୧୨ରେ ଏଭଳି ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୫୩୬ ରହିଥିବା ବେଳେ ୨୦୧୫ରେ ୬୩୨କୁ ପହଞ୍ଚିଥିଲା। ବାର୍ଷିକ ମୃତ୍ୟୁହାରରେ ଅଧିକ ଶହେ ରହିଥିଲା। ତେବେ ୨୦୧୬ରେ ମୃତ୍ୟୁ ସଂଖ୍ୟା ୭୭୨ ରହିଥିବା ତଥ୍ୟ କହୁଛି।
 ଗତ ମଇ ୨୦୧୩ରେ ତତ୍କାଳୀନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ତିନି ସରକାରୀ ମେଡିକାଲ୍‌ କଲେଜ ସମେତ କେତେକ ନିର୍ଦ୍ଦିଷ୍ଟ ଜିଲ୍ଲା ସଦର ହସପିଟାଲରେ ଟ୍ରମା କେୟାର ୟୁନିଟ୍‌ ଖୋଲାଯିବା ନେଇ ସୂଚନା କୁହାଯାଇଥିଲା।

କେନ୍ଦ୍ର ସରକାରଙ୍କ ଦ୍ଵାରା ୧୧ତମ ପଞ୍ଚବାର୍ଷିକ ଯୋଜନାରେ ଏହି ଟ୍ରମା କେୟାର ୟୁନିଟ୍‌ ଖୋଲାଯିବା ବୋଲି କୁହାଯାଇଥିଲା। ଏନେଇ କେନ୍ଦ୍ର ସରକାର ରାଜ୍ୟକୁ ୪୪.୯୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରିବେ ଅନୁମୋଦନ ହୋଇଥିବା କୁହାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୦.୩୩ କୋଟି ରାଜ୍ୟସରକାରଙ୍କୁ ପ୍ରଦାନ କରାଯାଇଥିଲା। ଏହି ଯୋଜନାରେ କଟକ ବଡମେଡିକାଲରେ ଲେବେଲ ୧ ଟ୍ରମା କେୟାର ୟୁନିଟ୍‌ ସମେତ ଏମ୍‌କେସିଜି ବ୍ରହ୍ମପୁର, ଭଦ୍ରକ ଓ ଖୋର୍ଦା ସଦର ହସପିଟାଲରେ ଦ୍ଵିତୀୟ ଲେବଲ ଏବଂ ଭିଏସ୍‌ଏସ୍‌ ମେଡିକାଲ୍‌ କଲେଜ ବୁର୍ଲାରେ ତୃତୀୟ ଲେବଲ୍‌ ୟୁନିଟ୍‌ ଖୋଲାଯିବାକୁ ପ୍ରସ୍ତାବ ରହିଥିଲା।

ତେବେ ଏହି ଯୋଜନାରେ ନାହିଁ ନଥିବା ବ୍ୟତିକ୍ରମ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ପଶ୍ଚିମଓଡ଼ିଶାର ଲାଇଫ୍‌ ଲାଇନ୍‌ କୁହାଯାଉଥିବା ବୁର୍ଲାମେଡିକାଲରେ ଟ୍ରମା କେୟାର୍‌ ୟୁନିଟ୍‌ କାର୍ଯ୍ୟକ୍ଷମ ହେବା ଏକ ପ୍ରକାର ଅନିଶ୍ଚିତତା ମଧ୍ୟରେ ରହିଯାଇଛି। ଏସଂପର୍କରେ ଭିମ୍‌ସାର୍‌ ଅଧୀକ୍ଷକ ପ୍ରଫେସର ଡା. ବ୍ରଜମୋହନ ମିଶ୍ରଙ୍କୁ ପଚରାଯିବାରୁ ସେ କହିଥିଲେ ଭିମ୍‌ସାର୍‌ ଟ୍ରମା କେୟାର୍‌ ୟୁନିଟ୍‌ ପାଇଁ ଆବଶ୍ୟକ ସମସ୍ତ ପ୍ରକାର ଭିତ୍ତିଭୂମି ପ୍ରସ୍ତୁତ ରହିଛି। ମେସିନ ମଧ୍ୟ ଅଣାସାରିଛି। ସରକାର ସ୍ୱତନ୍ତ୍ର ଭାବେ  ଆବଶ୍ୟକ ଡାକ୍ତର ପଦ ପାଇଁ ଅନୁମୋଦନ କରିଛନ୍ତି। ତେବେ ନିଯୁକ୍ତିରେ ବିଳମ୍ବ ଯୋଗୁଁ ୟୁନିଟ୍‌ ଆରମ୍ଭ ହୋଇ ପାରୁ ନାହିଁ ଏଥିପାଇଁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଡାକ୍ତର ନିଯୁକ୍ତି ହେଲେ ଟ୍ରମା ୟୁନିଟ୍‌ ଆରମ୍ଭ କରାଯିବାରେ କୌଣସି ସମସ୍ୟା ନାହିଁ ବୋଲି ଡା.ମିଶ୍ର କହିଛନ୍ତି।