21 January 2017
3:30:34 AM
image
Sambad News
ବିଶେଷ

ଆଜି ଜନ୍ମ ଦିନ:ସ୍ୱାମୀ ବିବେକାନନ୍ଦ

By Sambad | Date: Jan 12 2017 12:44PM
ଆଜି ଜନ୍ମ ଦିନ:ସ୍ୱାମୀ ବିବେକାନନ୍ଦ

ଏଫ୍‌ଏ ଶ୍ରେଣୀର ଛାତ୍ର ଥିବା ବେଳେ ଘଟନାକ୍ରମେ ଶ୍ରୀରାମକୃଷ୍ଣ ପରମହଂସଙ୍କ ସଂପର୍କରେ ପ୍ରଥମ ଥର ପାଇଁ ଶୁଣିବାକୁ ପାଇଥିଲେ, ପରବର୍ତ୍ତୀ କାଳରେ ତାଙ୍କର ପ୍ରିୟ ଶିଷ୍ୟ ପାଲଟିଥିବା ସ୍ୱାମୀ ବିବେକାନନ୍ଦ। ଦିନେ ଇଂରେଜୀ ଶିକ୍ଷକଙ୍କ ଅନୁପସ୍ଥିତିରେ କଲେଜ୍‌ର ଅଧ୍ୟକ୍ଷ ଉଇଲିଅମ୍‌ ହେଷ୍ଟି ଆସିପହଞ୍ଚିଲେ ବିବେକାନନ୍ଦ ପଢ଼ୁଥିବା ଶ୍ରେଣୀରେ। ଆରମ୍ଭ ହେଲା ଇଂରେଜୀ କବି ଉଇଲିଅମ୍‌ ଓ୍ଵାଡ୍‌ର୍ସଓ୍ଵଥ୍‌ର୍ଙ୍କ ‘ଏକ୍‌ସକର୍‌ସନ୍‌’ ପଦ୍ୟ ପଠନ ଓ ଆଲୋଚନା। ଏଥିରେ ଥିବା ‘ଟ୍ରାନ୍‌ସ’ ବା ‘ସମାଧି’ ସଂପର୍କରେ ବୁଝାଇବାକୁ ଯାଇ ହେଷ୍ଟି କହିଲେ, ଏହି ଅବସ୍ଥା ମାନସିକ ପବିତ୍ରତା ଓ ଏକାଗ୍ରତା ଉପରେ ନିର୍ଭର କରେ।

ପୁଣି କହିଲେ, ସେ ଏ ଭଳି ମାତ୍ର ଜଣେ ବ୍ୟକ୍ତିଙ୍କୁ ଜାଣନ୍ତି, ଯିଏ ଦିବ୍ୟ ଅନୁଭୂତି ଓ ମହାନ୍‌ ମାନସିକ ଶକ୍ତିର ଅଧିକାରୀ। ସେ ଭଗବାନ୍‌ଙ୍କୁ ନେଇ ରହିଥିବା ସଂଶୟଭାବ ଦୂରକରିବାକୁ ସକ୍ଷମ ଏବଂ ସେ ହେଉଛନ୍ତି ଶ୍ରୀରାମକୃଷ୍ଣ। କୌତୂହଳୀ ବିବେକାନନ୍ଦ ଦକ୍ଷିଣେଶ୍ୱର କାଳୀ ମନ୍ଦିର ଯାଇ, ତାଙ୍କୁ ସାକ୍ଷାତ୍‌ କରିଥିଲେ। ଶ୍ରୀରାମକୃଷ୍ଣଙ୍କର ସରଳ ଭାଷା, ମଧୁର ବ୍ୟବହାର, ଶିଶୁସୁଲଭ ନିରହଙ୍କାରତା, ପାଶ୍ଚାତ୍ୟ ଶିକ୍ଷାପ୍ରାପ୍ତ ତରୁଣ ବିବେକାନନ୍ଦଙ୍କୁ ବିମୁଗ୍‌ଧ କରିଥିଲା। ସେ ହଠାତ୍‌ ପ୍ରଶ୍ନ କରିଥିଲେ- ‘ମହାଶୟ, ଆପଣ କ’ଣ ଈଶ୍ୱରଙ୍କୁ ଦର୍ଶନ କରିଛନ୍ତି?’ ଶ୍ରୀରାମକୃଷ୍ଣ ଉତ୍ତର ଦେଇଥିଲେ- ‘ମୁଁ, ତୁମକୁ ଯେଉଁ ପରି ଦେଖୁଛି, ତାହାଠାରୁ ଅଧିକ ସ୍ପଷ୍ଟ ଭାବେ ଈଶ୍ୱରଙ୍କୁ ଦର୍ଶନ କରୁଛି।’ ତାହା ପରେ  ଈଶ୍ୱରଙ୍କୁ କେଉଁ ଭଳି ଉପଲବ୍‌ଧି କରାଯାଇପାରେ ସରଳ ଭାବରେ ବୁଝାଇଥିଲେ।

ତାଙ୍କର ଶାନ୍ତ ଗମ୍ଭୀର ବାଣୀ ବିବେକାନନ୍ଦଙ୍କ ହୃଦୟର ନିଭୃତତମ ଅଞ୍ଚଳକୁ ସ୍ପର୍ଶ କରିଥିଲା। ଉଭୟଙ୍କ ମଧ୍ୟରେ ବାରମ୍ବାର ସାକ୍ଷାତ୍‌ ପରେ ବିବେକାନନ୍ଦ ନିଶ୍ଚିତ ହୋଇଥିଲେ ଯେ, ପୃଥିବୀର କୋଟି କୋଟି ପାଗଳଙ୍କ ମଧ୍ୟରେ କେବଳ ଶ୍ରୀରାମକୃଷ୍ଣ ହିଁ ସ୍ଥିତପ୍ରଜ୍ଞ। ଏହି ଧାରଣା ଦୃଢ଼ୀଭୂତ ହେବା ସହ ତାଙ୍କର ସନ୍ନ୍ୟାସୀ ଜୀବନର ଶୁଭାରମ୍ଭ ହୋଇଥିଲା। ଶ୍ରୀରାମକୃଷ୍ଣଙ୍କ ମହାସମାଧି ପରେ, ତାଙ୍କର ସକଳ ଶକ୍ତିର ପ୍ରତିନିଧି ଭାବେ ବିବେକାନନ୍ଦଙ୍କ ଆଧ୍ୟାତ୍ମିକ ଯାତ୍ରା ସୁଦୂରପ୍ରସାରୀ ହୋଇଥିଲା।

୧୮୯୩ରେ ଚିକାଗୋରେ ଅନୁଷ୍ଠିତ ବିଶ୍ୱ ଧର୍ମ ସମ୍ମିଳନୀରେ ଭାଷଣ ପ୍ରଦାନ କରି ସେ ପାଶ୍ଚାତ୍ୟବାସୀଙ୍କୁ ଚମତ୍କତ କରିଥିଲେ। ସମଗ୍ର ପାଶ୍ଚାତ୍ୟ ଜଗତ୍‌ ଅନୁଭବ କରିଥିଲା, ଭାରତର ସମୁନ୍ନତ ବୈଦିକ ସଂସ୍କୃତି କେଉଁ ପରି ବ୍ୟାପକ, ବିଶାଳ ଓ ବୈଚିତ୍ର୍ୟମୟ। ଶ୍ରୀରାମକୃଷ୍ଣଙ୍କ ବାଣୀକୁ ସମଗ୍ର ଜଗତ୍‌ରେ ପ୍ରଚାର କରିବା ପାଇଁ ୧୮୯୭ ମେ ପହିଲାରେ ସେ ପ୍ରତିଷ୍ଠା କରିଥିଲେ ‘ଶ୍ରୀରାମକୃଷ୍ଣ ମିସନ୍‌’। ୧୮୬୩ ଜାନୁଆରି ଆଜିର ଦିନରେ କଲକାତାରେ ଜନ୍ମ ହୋଇଥିଲେ ସ୍ୱାମୀ ବିବେକାନନ୍ଦ।