24 September 2017
10:32:21 AM
Sambad News
ବିଶେଷ

ଫେସ୍‌ବୁକ୍‌ରେ ସହିଦ ପତ୍ନୀଙ୍କ ହୃଦୟ ବିଦାରକ ପୋଷ୍ଟ୍‍, ଏମିତି ଚାଲିଛି ସ୍ୱାମୀଙ୍କ ବିନା ଜୀବନ!

By Sambad | Date: Sep 12 2017 7:31PM
ଫେସ୍‌ବୁକ୍‌ରେ ସହିଦ ପତ୍ନୀଙ୍କ ହୃଦୟ ବିଦାରକ ପୋଷ୍ଟ୍‍, ଏମିତି ଚାଲିଛି ସ୍ୱାମୀଙ୍କ ବିନା ଜୀବନ!

ଜମ୍ମୁ-କଶ୍ମୀର:ଯବାନମାନେ ଯେତେବେଳେ ସହିଦ ହୁଅନ୍ତି ଗଣମାଧ୍ୟମରେ ଚର୍ଚ୍ଚା ହୁଏ। କିଛି ଦିନ ପର୍ଯ୍ୟନ୍ତ ପରିବାର ଲୋକଙ୍କୁ ସମବେଦନା ମିଳେ। ହେଲେ ତାହା କ୍ଷଣିକ ମାତ୍ର। କିଏ ଜାଣିବାକୁ ଚେଷ୍ଟା କରେ ଯେ କେମିତି ଅଛନ୍ତି ସହିଦଙ୍କ ମାଆ, ବାପା ପତ୍ନୀ ବା ପିଲା? ଦେଶ ପାଇଁ ଜୀବନ ଦେଇଥିବା ସେହି ମହାନ ବ୍ୟକ୍ତିଙ୍କ ପରିବାର ସମୟକ୍ରମେ ହୁଅନ୍ତି ଅବହେଳିତ।
 
ନିକଟରେ ନଗୋରତା ଯବାନ ଅକ୍ଷୟ ଗିରିଶ କୁମାର ସହିଦ ହେବା ପରେ ଫେସ୍‌ବୁକ୍‌ରେ ତାଙ୍କ ପତ୍ନୀ ସଂଗୀତାଙ୍କ ପୋଷ୍ଟ୍‍ ଅତ୍ୟନ୍ତ ହୃଦୟ ବିଦାରକ। ସ୍ୱାମୀଙ୍କ ବିନା କିପରି ସଂଗୀତାଙ୍କ ଜୀବନ ପାଲଟି ଯାଇଛି ସଂଘର୍ଷପୂର୍ଣ୍ଣ ସେ ସଂପର୍କରେ ନିଜ ଫେସ୍‌ବୁକ୍‌ ପୋଷ୍ଟ୍‍ରେ ଉଲ୍ଲେଖ କରିଛନ୍ତିି।
 
ସହିଦ ପତ୍ନୀ ସଂଗୀତା ଲେଖିଛନ୍ତି, ‘ସେ ପ୍ରଥମେ ମୋତେ ୨୦୦୯ ମହିହାରେ ପ୍ରେମ ନିବେଦନ କରିଥିଲେ। ୨୦୧୧ରେ ଆମେ ବିବାହ ବନ୍ଧନରେ ବାନ୍ଧି ହେଲୁ। ତା’ପରେ ଆମ ପ୍ରେମର ସଂତକ ଭାବେ ନୈନା ଜନ୍ମ ନେଲା। ମୁଁ ସେତେବେଳେ ତାଙ୍କ ସହ ସିମ୍‌ଲାରେ ରହୁଥାଏ। ପରିବାର ଲୋକେ ମୋତେ ବାଙ୍ଗାଲୋର ଆସିବାକୁ ପରାମର୍ଶ ଦେଲେ। କିନ୍ତୁ ମଁ ତାଙ୍କୁ ଛାଡ଼ି ଆସିବାକୁ ଚାହିୁଁନଥିଲି।
 
୨୦୧୬ରେ ତାଙ୍କର ନଗରୋତାରେ ପୋଷ୍ଟିଂ ହେଲା। ନଭେମ୍ବର ୧୯ ତାରିଖ ସକାଳ ୫.୩୦। ହଠାତ୍‌ ଗୁଳି ଶବ୍ଦ ହେଲା। ଆମେ ସେ ଶବ୍ଦକୁ ପ୍ରଶିକ୍ଷଣ ବୋଲି ଭାବିନେଲୁ। ୫.୪୫ ସମୟରେ ଜଣେ ଜୁନିଅର୍‌ ଆସି ତାଙ୍କୁ ସୂଚୀତ କଲେ ଯେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ସେ ତରବର ହୋଇ ଘରୁ ବାହାରିଗଲେ। ମୁଁ ମୋ ଶାଶୂ ଓ ନଣନ୍ଦଙ୍କୁ ମେସେଜ୍‌ କଲି। ସେମାନେ ଝିଅକୁ ଧରି ବନ୍ଦ ଘରେ ରହିବା ପାଇଁ ମୋତେ ବାରମ୍ବାର ପରାମର୍ଶ ଦେଉଥାନ୍ତି। ୮.୩୦ ବେଳକୁ ଆମକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଗଲା।
 
ଦିନ ୧୧.୩୦ ପର୍ଯ୍ୟନ୍ତ ତାଙ୍କର କୌଣସି ଖବର ଆସିଲା ନାହିଁ। ମୁଁ ତାଙ୍କ ସହକର୍ମୀଙ୍କ ସହ ଫୋନ୍‌ ଯୋଗେ କଥା ହେଲି। ସେ କହିଲେ ଯେ ଅକ୍ଷୟ ଅପରେସନରେ ଭିନ୍ନ ଏକ ସ୍ଥାନକୁ ଯାଇଛନ୍ତି। ପାଖାପାଖି ସଂଧ୍ୟା ୬.୧୫। ତାଙ୍କର କମାଣ୍ଡିଙ୍ଗ୍‌ ଅଫିସର୍‌ ଏବଂ ଅନ୍ୟ ଷ୍ଟାଫ୍‌ ମୋତେ ଭେଟିବାକୁ ଆସିଲେ। ସେ କହିଲେ ,ମ୍ୟାଡାମ ଆମେ ଅକ୍ଷୟଙ୍କୁ ହରାଇ ଦେଲେ,ସକାଳ ୮.୩୦ରେ ସେ ସହିଦ ହୋଇଛନ୍ତି!
 
ମୋ ପୃଥିବୀ ଭୁଶୁଡ଼ି ପଡ଼ିଲା! ମୁଁ ସ୍ତବ୍ଧ ପାଲଟିଗଲି। କାସ୍‌ ମୁଁ ତାଙ୍କୁ ମେସେଜ୍‌ କରିପାରିଥାନ୍ତି। କାସ୍‌ ମୁଁ ତାଙ୍କୁ ଆଲିଙ୍ଗନ କରି ବିଦାୟ ଦେଇପାରିଥାନ୍ତି। କାସ ଶେଷ ଥର ପାଇଁ ମୁଁ  କହିପାରିଥାନ୍ତି କି କେତେ ଭଲପାଏ ମୁଁ ତାଙ୍କୁ। ମାତ୍ର ଆମେ ଯାହା ଭାବନ୍ତି ତାହା ଆଉ ହୁଏକି? ମୁଁ ଶିଶୁଟିଏ ପରି ବ୍ୟସ୍ତ ହୋଇ ପଡୁଥିଲି। ମୋ ଆତ୍ମାଠାରୁ ଦୂରେଇ ଯାଉଥିଲି କି ଅବା!
 
ମୁଁ ତାଙ୍କର ସାମଗ୍ରୀ ବୁହା ହୋଇ ଆସିଥିବା ଟ୍ରକ୍‌ରୁ ତାଙ୍କ ୟୁନିଫର୍ମ, ପୋଷାକ ଏବଂ ଆମେ ବର୍ଷ ବର୍ଷ ଧରି କିଣିଥିବା ସାମଗ୍ରୀ ସବୁକୁ ସଂଗ୍ରହ କଲି। ମୁଁ ମୋ ଲୁହମାନଙ୍କ ସହ ଯୁଦ୍ଧ କରି ତାଙ୍କୁ ପରାସ୍ତ କରିବାକୁ ଚେଷ୍ଟା କଲି। ତାଙ୍କ ପିନ୍ଧା ପୋଷାକକୁ ମୁଁ ଏ ଯାଏ ଧୋଇନି। ସେ ମନେ ପଡ଼ିଲେ ମୁଁ ତାଙ୍କ ପୋଷାକକୁ ପିନ୍ଧେ। ସେଥିରେ ଆଜି ବି ଅଛି ତାଙ୍କ ଦେହର ଗନ୍ଧ। 
 
ନୈନାକୁ ଏ ସବୁ କେମିତି ବୁଝାଇବି ଯେ ତା ବାପା ଏବେ ଆକଶର ତାରା? ଆମେ ସାଥି ହୋଇ କିଣିିଥିବା ସାମଗ୍ରୀ ଓ ଫଟୋକୁ ସଜାଇ ମୁଁ ମୋର ଏକ ଦୁନିଆ ସୃଷ୍ଟି କରିଛି। ମୁଁ ସେଠି ତାଙ୍କୁ ଖୋଜେ। ଦେଶ ପାଇଁ ଜୀବନ ଦେଇଥିବା ମୋ ସ୍ୱାମୀଙ୍କୁ ଅନୁଭବ କରେ। ତାଙ୍କ ଆତ୍ମାକୁ ମୁଁ ପାଖରୁ ଦେଖିପାରେ। ଏ ସବୁ ଯନ୍ତ୍ରଣାଦାୟକ। ଏହି ଯନ୍ତ୍ରଣାରେ ହିଁ ମୁଁ ତାଙ୍କୁ ସବୁବେଳେ ଭଲପାଇବି।’
 
 

image