24 January 2017
10:34:32 AM
image
Sambad News
ବିଶେଷ

ଅସ୍ତ୍ରୋପଚାର କରି ‘କୁମାରୀତ୍ୱ’ ଫେରାଇ ଆଣୁଛନ୍ତି ଯୁବତୀ

By Sambad | Date: Jan 11 2017 12:24PM
ଅସ୍ତ୍ରୋପଚାର କରି ‘କୁମାରୀତ୍ୱ’ ଫେରାଇ ଆଣୁଛନ୍ତି ଯୁବତୀ
Pic Courtesy: TOI

ହାଇଦ୍ରାବାଦ: ଦୁଇ ମାସ ତଳେ ବଞ୍ଜାରା ହିଲ୍‌ସ୍‌ବାସିନୀ ହେମନ୍ତା, ବାହାଘର ସ୍ଥିର ହୋଇସାରିଥିବା ନିଜ ଝିଅକୁ ନେଇ ଜଣେ ପ୍ଲାଷ୍ଟିକ୍‌ ସର୍ଜନଙ୍କ ପାଖକୁ ଗଲେ। ବ୍ୟାଡ୍‌ମିଣ୍ଟନ୍‌ କ୍ରୀଡ଼ିକା ତାଙ୍କ ଝିଅର ସତୀଚ୍ଛଦ ମରାମତି କରାଇବାକୁ ଚାହୁଁଥିଲେ ମାଆ ହେମନ୍ତା। 
 
ହେମନ୍ତା କହନ୍ତି କି, ବିବାହ ପରେ ମୋ ଝିଅର କୁମାରୀତ୍ୱ ନାହିଁ ବୋଲି ତା’ ସ୍ୱାମୀ ଭାବିଲେ, କାଳେ ସମସ୍ୟା ଉପୁଜିବ, ସେହି ଆଶଙ୍କାରେ ମୁଁ ତା’ର ସତୀଚ୍ଛଦର ପ୍ଲାଷ୍ଟିକ୍‌ ସର୍ଜରୀ କରାଇଲି।
 
ଏ ପରି କରାଇବାରେ ହେମନ୍ତା ଜଣେ ନୁହନ୍ତି। ସହରର ଡାକ୍ତରମାନେ କହନ୍ତି- ବିଶେଷକରି ୨୦-୩୦ ବର୍ଷୀୟ ବହୁ ଯୁବତୀ ନଷ୍ଟ ହୋଇଯାଇଥିବା ନିଜର ସତୀଛିଦ୍ର ୪୦ ମିନିଟ୍‌ର ପ୍ଲାଷ୍ଟିକ୍‌ ସର୍ଜରି ମାଧ୍ୟମରେ ଠିକ୍‌ କରାଇ ଯାଉଛନ୍ତି। ସର୍ଜରି ପରେ କିଛି ସପ୍ତାହ ପାଇଁ ଶାରୀରିକ ବ୍ୟାୟାମ ବାରଣ କରାଯାଇଥାଏ। 
 
ସନ୍‌ସାଇନ୍‌ ହସ୍‌ପିଟାଲ୍‌ର ପ୍ଲାଷ୍ଟିକ୍‌ ସର୍ଜନ୍‌ ଡାକ୍ତର ଭବାନୀ ପ୍ରସାଦ କହନ୍ତି- ପୂର୍ବରୁ ଦୁଇଟି କି, ତିନୋଟି କେସ୍‌ ଆସୁଥିବାବେଳେ ଏବେ ବର୍ଷକୁ ୫୦ ସରିକି ଏଭଳି କେସ୍‌ ଆସୁଛି। ଉତ୍ତମ ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ସତୀଚ୍ଛଦ ପୁନଃନିର୍ମାଣ କରାଇବା ଅପରିହାର୍ଯ୍ୟ। ସେମାନେ ଭାବନ୍ତି, ଜୀବନସାଥି ଯେଡ଼େ ଆଧୁନିକ ହୋଇଥାଆନ୍ତୁ ନା କାହିଁକି, ସେମାନେ ‘କୁମାରୀ’ ହୋଇଥିବା ବାଞ୍ଛନୀୟ।
 
ପ୍ରାକ୍‌-ବିବାହ ଯୌନକ୍ରିୟା ଛଡ଼ା କଠିନ ଶାରୀରିକ ବ୍ୟାୟାମ, କ୍ରୀଡ଼ା ଏବଂ ନୃତ୍ୟ ଆଦି ଯୋଗୁଁ ଯୁବତୀମାନଙ୍କ ସତୀଚ୍ଛଦ କ୍ଷତିଗ୍ରସ୍ତ ହୋଇଥାଏ। 
 
ଯଦିବା ଏହା ପୁନଃନିର୍ମାଣ କରାଇବା ଶୀଘ୍ର ଏବଂ ସରଳ, ଡାକ୍ତରମାନେ ସତର୍କ କରାଇଦେଇଛନ୍ତି କି, ଏହା ଦକ୍ଷ ପ୍ଲାଷ୍ଟିକ୍‌ ସର୍ଜନ୍‌ମାନଙ୍କ ଦ୍ୱାରା କରାଇବା ଉଚିତ। ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ଦ୍ୱାରା ଏ କାମ କରାଯାଉଥିବାରୁ ଏହାର ଚାହିଦା ଏବେ ବଢ଼ିବାରେ ଲାଗିଛି।