23 August 2017
3:44:25 PM
image
Sambad News
ଖେଳ

ଏସିଆନ୍‌ ଗ୍ରାଁ ପ୍ରି: ଦୂତି ନେବେ ଭାରତର ନେତୃତ୍ୱ

By Sambad | Date: Apr 21 2017 12:44AM
ଏସିଆନ୍‌ ଗ୍ରାଁ ପ୍ରି: ଦୂତି ନେବେ ଭାରତର ନେତୃତ୍ୱ

ଭୁବନେଶ୍ୱର: ଚୀନର ଜିଆଜିଙ୍ଗ, ଜିନହୁଆ ଏବଂ ଚାଇନିଜ୍‌ ତାଇପେଇରେ ତିନିଟି ପର୍ଯର୍ର୍୍ୟାୟରେ ଆୟୋଜିତ ହେବାକୁ ଥିବା ଏସିଆନ୍‌ ଗ୍ରାଁ ପ୍ରି ଦୌଡ଼କୁଦ ପ୍ରତିଯୋଗିତାର ଓଡ଼ିଆ ଝିଅ ଦୂତି ଚାନ୍ଦ ୧୬ ଜଣିଆ ଭାରତୀୟ ଦଳର ନେତୃତ୍ୱ ନେବେ। ଏହି ଦଳ ଶନିବାର ଦିନ ଚୀନ ଅଭିମୁଖେ ଯାତ୍ରା କରିବ। ଏସିଆନ୍‌ ଗ୍ରାଁ ପ୍ରିର ପ୍ରଥମ ପର୍ଯ୍ୟାୟ ଜିଆଜିଙ୍ଗରେ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଜିନହୁଆଠାରେ ୨୭ ତାରିଖରେ ଆୟୋଜିତ ହେବ। ତୃତୀୟ ତଥା ଶେଷ ପର୍ଯ୍ୟାୟ ଚାଇନିଜ୍‌ ତାଇପେଇରେ ଚଳିତ ମାସ ୩୦ ତାରିଖରେ ଖେଳାଯିବ। ଦୂତି ଏବଂ ରୀନା ଜର୍ଜ ମହିଳା ଏବଂ  ବିଦ୍ୟାସାଗର ସିଦରାଜନାୟକ ପୁରୁଷ ୧୦୦ ମିଟରରେ ଭାରତର ପ୍ରତିନିଧିତ୍ୱ କରିବେ। ଟିଣ୍ଟୁ ଲୁକା ମହିଳା ୮୦୦ ମିଟର ଏବଂ ମନପ୍ରୀତ କୌର ସଟପୁଟରେ ନିଜ ଯାଦୁ ଦେଖାଇବେ। ନୀରଜ ଚୋପ୍ରା, ରବିନ୍ଦର ସିଂହ ପୁରୁଷ ଜାଭେଲିନ୍‌ ଏବଂ ରାକେଶ ବାବୁ ଟ୍ରିପଲ ଜମ୍ପରେ ପଦକ ଜିତିବାକୁ ଚେଷ୍ଟା କରିବେ। ନିନା ଭର୍କାଲି ଏବଂ ଜିନୁ ମାରିଆ ଲମ୍ବ ଡିଆଁ ଏବଂ ଉଚ୍ଚ ଡିଆଁରେ ଭାରତର ପ୍ରତିନିଧତ୍ୱ କରିବେ। ମହିଳା ୧୦୦ ମିଟରର ଜାତୀୟ କୀର୍ତ୍ତିମାନଧାରୀ ଦୂତି କଟକରେ ଆୟୋଜିତ ରାଜ୍ୟ କ୍ରୀଡ଼ାରେ ନିଜ ଚମକ ଦେଖାଇଥିଲା ବେଳେ ସଂପ୍ରତି ହାଇଦ୍ରାବାଦରେ ରହି ଏହି ପ୍ରତିଯୋଗିତା ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଏହି ସମ୍ମାନ ଜନକ ପ୍ରତିଯୋଗିତାରେ ସେ ପଦକ ଜିତିବାର ଆଶାରେ ଅଛନ୍ତି। ଭାରତୀୟ ଦଳ ସହ ବିଦେଶୀ ପ୍ରଶିକ୍ଷକ ଗ୍ୟାରି ଜେମ୍ସ କାଲଭର୍ଟ, ବିବୁ ମାଥ୍ୟୁ, ପିଟି ଉଷା ଓ ରାଧା କୃଷ୍ଣ ନାୟର ପ୍ରଶିକ୍ଷକ ଭାବେ ଯାତ୍ରା କରିବେ। ପ୍ରତିଯୋଗିତାର ପୁରୁଷ ୪୦୦ ମିଟରରେ ଜାତୀୟ କୀର୍ତ୍ତିମାନଧାରୀ ମହମ୍ମଦ ଆନସ ଏବଂ ୨୦୧୪ ଏସୀୟ କ୍ରୀଡ଼ା ମହିଳା ୪୦୦ ମିଟର କାଂସ୍ୟ ପଦକ ବିଜୟିନୀ ପୁଭାମା ରାଜୁ କେବଳ ଶେଷ ପର୍ଯ୍ୟାୟ ଲାଗି ପରବର୍ତୀ ସମୟରେ ଭାରତୀୟ ଦଳ ସହ ଚାଇନିଜ୍‌ ତାଇପେଇରେ ଯୋଗଦେବେ। ଏଣୁ ତୃତୀୟ ପର୍ଯ୍ୟାୟ ବେଳକୁ ଭାରତୀୟ ଦଳର ଖେଳାଳି ସଂଖ୍ୟା ୧୮କୁ ବଢ଼ିଯିବ। ସେପଟେ ୧୭ ବର୍ଷୀୟ ଜାଭେଲିନ୍‌ ଥ୍ରୋ ତାରକା ତେଜସ୍ୱିନ୍‌ ଶଙ୍କର ଗତ ସପ୍ତାହରେ ଆହତ ହୋଇଥିବାରୁ ଦଳରୁ ଓହରି ଯାଇଛନ୍ତି। ଭାରତୀୟ ଦଳ: ଦୂତି ଚାନ୍ଦ, ରୀନା ଜର୍ଜ, ଟିଣ୍ଟୁ ଲୁକା, ନିନା ଭର୍କାଲି, ଜିନୁ ମାରିଆ, ମନପ୍ରୀତ କୌର,  ବିଦ୍ୟାସାଗର ସିଦରାଜନାୟକ, ଜିନସନ ଜନସନ, ରାକେଶ ବାବୁ, ଓମ୍‌ ପ୍ରକାଶ ସିଂହ, ନୀରଜ ଚୋପ୍ରା ଓ ରବିନ୍ଦର ସିଂହ।