30 April 2017
10:31:55 AM
image
Sambad News
ଖେଳ

ଶୀର୍ଷରେ ମୁମ୍ବାଇ

ଆମଲାଙ୍କ ଶତକ ସତ୍ତ୍ୱେ ପଞ୍ଜାବ ପରାସ୍ତ

By Sambad | Date: Apr 21 2017 12:49AM
ଶୀର୍ଷରେ ମୁମ୍ବାଇ

ଇନ୍ଦୋର: ହାସିମ ଆମ୍‌ଲା (୧୦୪* ରନ୍‌, ୬୦ ବଲ୍‌, ୮ ଚୌକା, ୬ ଛକା)ଙ୍କ ଜାଜ୍ଜ୍ୱଲ୍ୟମାନ ତଥା ପ୍ରଥମ ଟେ୍ଵଣ୍ଟି-୨୦ ଶତକକୁ ଫିକା କରିଦେଲେ ମୁମ୍ବାଇର ଦୁଇ ଯୁବ ମହାରଥୀ ଜୋସ୍‌ ବଟଲର (୭୭ ରନ୍‌, ୩୭ ବଲ୍‌, ୭ ଚୌକା, ୫ ଛକା) ଏବଂ ନୀତିଶ ରାଣା (୬୨ ରନ୍‌, ୩୪ ବଲ୍‌, ୭ ଛକା)। ଆମ୍‌ଲାଙ୍କ ଅପରାଜିତ ଏବଂ ଶତକୀୟ ବ୍ୟାଟିଂ ପରେ  ଗୋଟିଏ ଲେଖାଏଁ ଅର୍ଧଶତକୀୟ ପାଳିରେ ଉଭୟ ପଞ୍ଜାବ ପଞ୍ଝାରୁ ସହଜରେ ମ୍ୟାଚ୍‌ ଛଡ଼ାଇ ନେଇ ମୁମ୍ବାଇକୁ ଶୀର୍ଷରେ ପହଞ୍ଚାଇ ଦେଲେ।

ଗୁରୁବାର ଆମ୍‌ଲାଙ୍କ ଧମାକାଦାର ପାଳି ବଳରେ ଦୁଇ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ କିଙ୍ଗ୍ସ ଏକାଦଶ ପଞ୍ଜାବ ବଡ଼ ଝଟ୍‌କା ଦେବା ଆଶାରେ ଥିଲା। ହେଲେ ବଟଲର ଏବଂ ରାଣାଙ୍କ ମିଳିତ ଆକ୍ରମଣ ପାଇଁ ପଞ୍ଜାବର ଏହି ଆଶା ଧୂଳିସାତ୍‌ ହୋଇଗଲା। ଉଭୟଙ୍କ ଅର୍ଧଶତକ ସହ ଓ୍ଵିକେଟ୍‌ ରକ୍ଷକ ବ୍ୟାଟ୍ସମ୍ୟାନ୍‌ ପାର୍ଥିବ ପଟେଲ (୩୭ ରନ୍‌, ୧୮ ବଲ୍‌, ୪ ଚୌକା, ୨ ଛକା)ଙ୍କ ଦମ୍‌ଦାର ପାଳି ବଳରେ ମୁମ୍ବାଇ ୨୭ ବଲ୍‌ ପୂର୍ବରୁ ବିଜୟ ମୁଣ୍ଡି ମାରିନେଲା। ପଞ୍ଜାବ ଗୁରୁବାର ୧୯୯ ରନ୍‌ର ବଡ଼ ବିଜୟ ଲକ୍ଷ୍ୟ ଦେଇଥିଲା। ହେଲେ ମୁମ୍ବାଇ ୧୫.୩ ଓଭରରେ ମାତ୍ର ୨ ଓ୍ଵିକେଟ୍‌ ହରାଇ ଏହାକୁ ସହଜରେ ହାସଲ କରି ନେଇଥିଲା। ଫଳରେ ଆମ୍‌ଲାଙ୍କ ଶତକରେ ଉତ୍ସାହିତ ଥିବା ପଞ୍ଜାବ ପୂରା ନିରାଶ ହୋଇ ଯାଇଥିଲା। ମୁମ୍ବାଇ କିନ୍ତୁ ମହାଆନନ୍ଦରେ ବିଜୟର ମିଠା ସ୍ୱାଦ ଚାଖିଥିଲା। ଗୁରୁବାର ମଧ୍ୟ ମୁମ୍ବାଇ ପିଛା କରି ଜିତିବାରେ ସର୍ବବୃହତ୍‌ ବିଜୟ ହାସଲ କରିଥିଲା। ତା’ ସହ ରୋହିତ ଶର୍ମାଙ୍କ ଦଳ ଷଷ୍ଠ ମୁକାବିଲାରୁ ପଞ୍ଚମ ବିଜୟ ପାଇ ପଏଣ୍ଟ୍‌ ତାଲିକାର ତୃତୀୟରୁ ପ୍ରଥମ ସ୍ଥାନକୁ ଲମ୍ଫ ମାରିଥିଲା। ଅନ୍ୟ ପକ୍ଷରେ ପଞ୍ଜାବ ଷଷ୍ଠ ମ୍ୟାଚ୍‌ରୁ ଲଗାତାର ଚତୁର୍ଥ ପରାଜୟ ବରଣ କରି ପଞ୍ଚମ ସ୍ଥାନରେ ଅପରିବର୍ତିତ ରହିଥିଲା। ପାଖାପାଖି ୪୦୦ ରନ୍‌ ସ୍କୋର ହୋଇଥିବା ଆଇପିଏଲ୍‌-୧୦ର ଏହି ୨୨ତମ ମ୍ୟାଚ୍‌ରେ ୨୪ ଛକା ଏବଂ ୩୦ ଚୌକା ଦେଖିବାକୁ ମିଳିଥିଲା।

ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବ ତା’ର ନୂଆ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ସନ୍‌ ମାର୍ସଙ୍କୁ ୨୬ ଏବଂ ଓ୍ଵିକେଟ୍‌ ରକ୍ଷକ ଋଦ୍ଧିମାନ ସାହାଙ୍କୁ ମାତ୍ର ୧୧ ରନ୍‌ରେ ହରାଇ ଥିଲା। ଏପରିକି ପଞ୍ଜାବ ତା’ ପାଳିର ପ୍ରଥମ ୧୦ ଓଭରରେ ମାତ୍ର ୬୯ ରନ୍‌ କରି ପାରିଥିଲା। ଶେଷ ୧୦ ଓଭରରେ କିନ୍ତୁ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ହାସିମ ଆମଲା ଏବଂ ଅଧିନାୟକ ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌ (୪୦ ରନ୍‌, ୧୮ ବଲ୍‌, ୪ ଚୌକା, ୩ ଛକା) ଧମାକାଦାର ବ୍ୟାଟିଂ କରିଥିଲେ। ବିଶେଷ କରି ଆମଲା ଆଖି ଖୋସି ହେଲା ଭଳି ଏବଂ ଅଭିନବ ଉପାୟରେ ସଟ୍‌ ଖେଳି ମୁମ୍ବାଇ ବୋଲରଙ୍କ ହୋସ୍‌ ଉଡ଼ାଇ ଦେଇଥିଲେ। ପଞ୍ଚଦଶ ଓଭର ବୋଲିଂ କରିଥିବା ମିଚେଲ ମ୍ୟାକ୍ଲେନାଘନଙ୍କ ଓଭରରୁ ୨୮, ଲସିଥ ମାଲିଙ୍ଗାଙ୍କ ପରବର୍ତୀ ଓଭରରୁ ୨୨ ଏବଂ ମାଲିଙ୍ଗାଙ୍କ ୨୦ତମ ତଥା ଶେଷ ଓଭରରୁ ୧୮ ରନ୍‌ ସହ ଶେଷ ୧୦ ଓଭରରୁ ପଞ୍ଜାବ ୧୨୭ ରନ୍‌ ଯୋଡ଼ିଥିଲା। ଏହି ତିନିଟି ଓଭରରେ ମ୍ୟାକ୍ସେଓ୍ଵଲ୍‌ ଏବଂ ଆମଲା ମିଶି ୭ ଛକା ଏବଂ ୪ ଚୌକା ମାରିଥିଲେ। ଉଭୟ ମଧ୍ୟ ତୃତୀୟ ଓ୍ଵିକେଟ୍‌ ଭାଗୀଦାରିରେ ୮୩ ବହୁମୂଲ୍ୟ ରନ୍‌ ଯୋଡ଼ି ନେଇଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିବା ଆମଲା ୩୪ ବଲ୍‌ରୁ ୩ ଚୌକା ଓ ୨ ଛକା ସହ ଅର୍ଧଶତକ ପୂରଣ କରିଥିଲେ। ସେହିଭଳି ୫୮ ବଲ୍‌ରୁ ୮ ଚୌକା ଏବଂ ୬ ଛକା ସହ ଟେ୍ଵଣ୍ଟି-୨୦ରେ ପ୍ରଥମ ଥର ପାଇଁ ଶତକ ଅର୍ଜନ କରିଥିଲେ।  ଏହା ମଧ୍ୟ ଦିଲ୍ଲୀ ଡେୟାର ଡେଭିଲ୍ସ ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନଙ୍କ ପରେ ଚଳିତ ଆଇପିଏଲ୍‌ର ଦ୍ୱିତୀୟ ଶତକ ଥିଲା। ସେପଟେ ନିଜ ମିତ୍ତବ୍ୟୟୀ ବୋଲିଂ ପାଇଁ ପରିଚିତ ମୁମ୍ବାଇର ସିଂହଳୀ ଦ୍ରୁତ ବୋଲର ଲସିଥ ମାଳିଙ୍ଗା ୪ ଓଭରରେ କୌଣସି ଓ୍ଵିକେଟ୍‌ ନନେଇ ୫୮ ରନ୍‌ ବ୍ୟୟ କରିଥିଲେ। 

୧୯୯ ରନ୍‌ର ବଡ଼ ବିଜୟ ଲକ୍ଷ୍ୟ ପାଇଁ ମୁମ୍ବାଇର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ପାର୍ଥିବ ପଟେଲ ଏବଂ ଜୋସ୍‌ ବଟଲର ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ପ୍ରଥମ ଓ୍ଵିକେଟ୍‌ରେ ମାତ୍ର ୫.୫ ଓଭରରୁ ୮୧ ରନ୍‌ ସଂଗ୍ରହ କରି ମୁମ୍ବାଇର ଚାପକୁ କମାଇ ଦେଇଥିଲେ।  ଏହି ଦୁଇ ଜଣଙ୍କ ଆଉଟ୍‌ ପରେ ଯୁବ ତାରକା ନୀତିଶ ରାଣା  ଛକା ବର୍ଷା କରି ମୁମ୍ବାଇକୁ ସହଜ ବିଜୟ ଉପହାର ଦେଇଥିଲେ। ମୋହିତ ଶର୍ମାଙ୍କୁ ଲଙ୍ଗ ଲେଗ୍‌ ସୀମା ରେଖା ଉପରେ ଛକା ମାରି ସେ ୨୭ ବଲ୍‌ ପୂର୍ବରୁ ମୁମ୍ବାଇର ବିଜୟ ମୁଣ୍ଡି ମାରିଥିଲେ। ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ୧୫* ରନ୍‌ ( ୪ ବଲ୍‌, ୨ ଚୌକା, ୧ ଛକା)ରେ ଅପରାଜିତ ରହିଥିଲେ। ବଟଲର ତାଙ୍କ ଦ୍ରୁତ ଅର୍ଧଶତକ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୧୯୮/୪ ( ହାସିମ ଆମଲା ୧୦୪*, ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌ ୪୦, ସନ୍‌ ମାର୍ସ ୨୬, ମିଚେଲ ମ୍ୟାକ୍ଲେନାଘନ ୨/୪୬, ହାର୍ଦିକ ପାଣ୍ଡ୍ୟା ୧/୨୯, ଯସପ୍ରୀତ ବୁମରା ୧/୩୦)। ମୁମ୍ବାଇ ଇଣ୍ଡିଆନ୍ସ ୧୫.୩ ଓଭରରେ ୧୯୯/୨ ( ଜୋସ୍‌ ବଟଲର ୭୭, ନୀତିଶ ରାଣା ୬୨*, ମୋହିତ ଶର୍ମା ୧/୨୮, ମାର୍କସ ଷ୍ଟୋଇନିସ ୧/୨୮)।

image