25 September 2017
3:21:08 PM
Sambad News
ଖେଳ

ଫାଇନାଲ୍‌ ପାଇଁ ମୁମ୍ବାଇ-କୋଲକାତା ଟକ୍କର

By Sambad | Date: May 19 2017 2:54AM
ଫାଇନାଲ୍‌ ପାଇଁ ମୁମ୍ବାଇ-କୋଲକାତା ଟକ୍କର

ବେଙ୍ଗାଲୁରୁ : ଦୁଇ ପୂର୍ବ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଚଳିତ ଆଇପିଏଲ୍‌ର ଦ୍ୱିତୀୟ କ୍ୱାଲିଫାୟର ଶୁକ୍ରବାର ଖେଳାଯିବ। ଫାଇନାଲ୍‌ ପ୍ରବେଶ ପାଇଁ ଏହି ମ୍ୟାଚ୍‌ ଦୁଇଟି ଯାକ ଦଳ ପାଇଁ ଶେଷ ସୁଯୋଗ ହେବ। ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନରେ ରହି କ୍ୱାଲିଫାୟର ପାଇଁ ଯୋଗ୍ୟତା ଅର୍ଜନ କରିଥିବା ମୁମ୍ବାଇ ପୁନେଠାରୁ ହାରିବା ପରେ ଫାଇନାଲ୍‌ ଟିକେଟ ହାତେଇବାର ପ୍ରଥମ ସୁଯୋଗ ହାତଛଡ଼ା କରି ସାରିଛି। ଶୁକ୍ରବାର ମ୍ୟାଚ୍‌ ସେଥିପାଇଁ ଏହି ଦଳ ଲାଗି ଦ୍ୱିତୀୟ ତଥା ଶେଷ ସୁଯୋଗ ହେବାକୁ ଯାଉଛି। ସେପଟେ ପଏଣ୍ଟ୍‌ ତାଲିକାର ଚତୁର୍ଥ ସ୍ଥାନରେ ରହିଥିଲେ ମଧ୍ୟ ତୃତୀୟ ସ୍ଥାନ ଅଧିକାର କରିଥିବା ସନ୍‌ରାଇଜର୍ସ ହାଇଦ୍ରାବାଦକୁ ବୁଧବାରର ବର୍ଷା ପ୍ରଭାବିତ ଏଲିମିନେଟର ମ୍ୟାଚ୍‌ରେ ୭ ଓ୍ଵିକେଟ୍‌ରେ ହରାଇ କୋଲକାତା ଦ୍ୱିତୀୟ କ୍ୱାଲିଫାୟର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ପୂର୍ବ ପ୍ରଦର୍ଶନ ଦୃଷ୍ଟିରୁ କିନ୍ତୁ ମୁମ୍ବାଇ କୋଲକାତାଠାରୁ ଢେର ଆଗରେ ରହିଛି। ଉଭୟ ଦଳ ପରସ୍ପରକୁ ୨୦ ଥର ଭେଟିଥିଲା ବେଳେ ସେଥିମଧ୍ୟରୁ ମୁମ୍ବାଇ ୧୫ ଏବଂ କୋଲକାତା ମାତ୍ର ୫ଟିରେ ବିଜୟୀ ହୋଇଛି। ଏପରିକି କୋଲକାତାକୁ ହରାଇ ମୁମ୍ବାଇ ଚଳିତ ଋତୁରେ ଅଭିଯାନ ଆରମ୍ଭ କରିଥିଲା।

ସେହି ମ୍ୟାଚ୍‌ରେ ମୁମ୍ବାଇ କୋଲକାତାକୁ ୪ ଓ୍ଵିକେଟ୍‌ରେ ପରାସ୍ତ କରି ଦେଇଥିଲେ। ଶେଷ ୨୪ ବଲ୍‌ରୁ ବିଜୟ ପାଇଁ ୬୦ ରନ୍‌ ଦରକାର ଥିଲା ବେଳେ ହାର୍ଦିକ ପାଣ୍ଡ୍ୟା ୧୧ ବଲ୍‌ରୁ ୨୯ ରନ୍‌ କରି ମୁମ୍ବାଇକୁ ବିଜୟ ଉପହାର ଦେଇଥିଲେ। ସେହିଭଳି ଦ୍ୱିତୀୟ ଲିଗ୍‌ ମ୍ୟାଚ୍‌ରେ ପୁଣି ଥରେ କୋଲକାତାକୁ ମୁମ୍ବାଇ ହରାଇ ଦେଇଥିଲା। ଇଡେନ୍‌ ଗାର୍ଡେନରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ କୋଲକାତା ଲଜ୍ଜା ଜନକ ଭାବେ ୯ ଓ୍ଵିକେଟ୍‌ରେ ପରାସ୍ତ ହୋଇଥିଲା।  ହେଲେ ଆଇପିଏଲ୍‌ରେ ପୂର୍ବ ପ୍ରଦର୍ଶନର କୌଣସି ମହତ୍ୱ ନଥିବାରୁ କୋଲକାତା ଏଥର ବଡ଼ ବିଜୟ ସହ ଫଇନାଲ୍‌ ଖେଳିବା ଲକ୍ଷ୍ୟରେ ରହିଛି। ମୁମ୍ବାଇ ପୂରା ପ୍ରତିଯୋଗିତାରେ ଆଧିପତ୍ୟ ବିସ୍ତାର କରିବା ପରେ ଠିକଣା ସମୟରେ ବିଫଳ ହୋଇଥିଲା। ପ୍ରଥମ କ୍ୱାଲିଫାୟରରେ ପୁନେ ବିପକ୍ଷରେ ଦୟନୀୟ ପ୍ରଦର୍ଶନ କରିଥିଲା।

  ଫଳରେ ଏବେ ଦ୍ୱିତୀୟ କ୍ୱାଲିଫାୟର ଖେଳିବାକୁ ବାଧ୍ୟ ହୋଇଛି। ବେଙ୍ଗାଲୁରୁରେ ବୁଧବାର ଖେଳା ଯାଇଥିବା ଏଲିମିନେଟର ମୁକାବିଲାରେ ବର୍ଷା ବିଭ୍ରାଟ ସୃଷ୍ଟି କରିଥିବାରୁ ଏହା ମଧ୍ୟ ମୁମ୍ବାଇ ପାଇଁ ଚିନ୍ତାର କାରଣ ହୋଇପାରେ। ଉଭୟ କୋଲକାତା ଏବଂ ମୁମ୍ବାଇ ଦୁଇ ଥର ଲେଖାଏଁ ଆଇପିଏଲ୍‌ ବିଜେତା ହୋଇ ସାରିଛନ୍ତି। ଶୁକ୍ରବାର ଯିଏ ବିଜୟୀ ହେବ ସେ ନିଜର ତୃତୀୟ ଟ୍ରଫି ଲାଗି ଫାଇନାଲରେ ଅବତୀର୍ଣ୍ଣ ହେବ। ଶୁକ୍ରବାର ମ୍ୟାଚ୍‌ ଲାଗି ଅପରିବର୍ତିତ ଦଳ ଓହ୍ଲାଇବ ବୋଲି କୋଲକାତା ପ୍ରଶିକ୍ଷକ ଜ୍ୟାକ୍‌ କାଲିସ୍‌ ସୂଚନା ଦେଇ ସାରିଛନ୍ତି। ହେଲେ ମୁମ୍ବାଇ ପାଗ ଓ ପରିବେଶକୁ ଦେଖି ନିଜ ଦଳରେ କେତେକ ପରିବର୍ତନ କରିପାରେ।
ସମ୍ଭାବ୍ୟ କୋଲକାତା: ଗୌତମ ଗମ୍ଭୀର (ଅଧିନାୟକ), ରବିନ ଉଥାପ୍ପା, କ୍ରିସ୍‌ ଲିନ୍‌, ୟୁସୁଫ ପଠାନ, ଈଶାଙ୍କ ଜାଗି, ସୂର୍ଯ୍ୟକୁମାର ଯାଦବ, ସୁନୀଲ ନରିନ, ପୀୟୂଷ ଚାଓ୍ଵଲା, ଉମେଶ ଯାଦବ, ନାଥନ କୁଲଟର ନାଇଲ୍‌, ଟ୍ରେଣ୍ଟ ବୋଲ୍ଟ,  ମନୀଷ ପଣ୍ଡେ, ଡାରେନ୍‌ ବ୍ରାଭୋ।
ସମ୍ଭାବ୍ୟ ମୁମ୍ବାଇ: ରୋହିତ ଶର୍ମା (ଅଧିନାୟକ), ଲେଣ୍ଡଲ ସିମନ୍ସ, ମିଚେଲ ଜନସନ, ମିଚେଲ ମ୍ୟାକକ୍ଲିନାଘନ,  ପାର୍ଥିବ ପଟେଲ, ସୌରଭ ତିଓ୍ଵାରୀ,  ଲସିଥ ମାଲିଙ୍ଗା, କ୍ରୁନାଲ ପାଣ୍ଡ୍ୟା, ହାର୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, ଅମ୍ବାତି ରାୟୁଡୁ, ହରଭଜନ ସିଂହ, ଯସପ୍ରୀତ ବୁମରା, କର୍ଣ୍ଣ ଶର୍ମା।

image