17 August 2017
7:11:02 PM
Sambad News
ଖେଳ

ସେପଙ୍ଗ ସର୍କିଟରେ ଓଡ଼ିଆ ପୁଅ ଉଦୀପ୍ତ

By Sambad | Date: Aug 13 2017 1:38AM
ସେପଙ୍ଗ ସର୍କିଟରେ ଓଡ଼ିଆ ପୁଅ ଉଦୀପ୍ତ

ଭୁବନେଶ୍ୱର: ମୋଟର ସ୍ପୋର୍ଟସରେ ଓଡ଼ିଶା ବହୁ ପଛରେ ପଡ଼ିଥିଲେ ମଧ୍ୟ ଅନେକ ପ୍ରତିବଂଧକ ଡେଇଁ ଚାଲିଛନ୍ତି ଉଦୀପ୍ତ କୁମାର ରଥ। ମାଲେସିଆର ବିଖ୍ୟାତ ଫର୍ମୁଲା ଓ୍ଵାନ୍‌ ସର୍କିଟ୍‌ ସେପଙ୍ଗରେ ଚାଲିଥିବା ପିରେଲି ମାଲେସିଆ ସୁପରବାଇକ୍‌ ପ୍ରତିଯୋଗିତାରେ ଭାଗ ନେଇ ଏହି ଓଡ଼ିଆ ପୁଅ ଓଡ଼ିଶା କ୍ରୀଡ଼ାରେ ନୂଆ ଅଧ୍ୟାୟ ସଂଯୋଗ କରିଛନ୍ତି। ଏଆର୍‌ଡି ପରଫର୍ମାନ୍‌ସ ମୋଟରସ୍ପୋର୍ଟ ଅନ୍ତର୍ଗତ ଟିମ୍‌ ସେଭେନ୍‌ ରେସିଂର ପ୍ରତିନିଧିତ୍ୱ କରୁଥିବା ଉଦୀପ୍ତ ସୁଜୁକି ଜିଏସ୍‌ଏକ୍ସଆର୍‌୬୦୦ ବାଇକ୍‌ରେ ସୁପରସ୍ପୋର୍ଟ ଏ ୬୦୦ ସିସି ଚଳାଉଛନ୍ତି। ଏହି ଭୁବନେଶ୍ୱର ଯୁବକ ପିରେଲି ମାଲେସିଆ ସୁପରବାଇକ୍‌ ପ୍ରତିଯୋଗିତାର ତୃତୀୟ ପର୍ଯ୍ୟାୟ ସୁଦ୍ଧା ମଧ୍ୟ ନିଜକୁ ଭଲ ସ୍ଥିତିରେ ରଖିଛନ୍ତି। ତୃତୀୟ ରାଉଣ୍ଡ୍‌ର ଉଭୟ ରେସ୍‌ ଭଲରେ ଥିବାରୁ ସେ ଅଷ୍ଟମରେ ରହିଥିଲେ। ଆଉ ଦୁଇ ରାଉଣ୍ଡ୍‌ (୪ ରେସ୍‌) ପୂର୍ବରୁ ମୋଟ ଉପରେ ଉଦୀପ୍ତ ନବମ ସ୍ଥାନରେ ରହିଛନ୍ତି। ଶୀର୍ଷ ୫ ଭିତରେ ରହି ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିଛନ୍ତି ଉଦୀପ୍ତ। ପ୍ରଥମ ବର୍ଷରେ ପଞ୍ଚମରେ ରହି ଅଭିଯାନ ଶେଷ କରିବା ନିଶ୍ଚିତ ବଡ଼ ଉପଲବ୍‌ଧି ହେବ। ଶୀର୍ଷ ୫ରେ ଥିବା ରେସର୍‌ଙ୍କଠାରୁ ଆମେ ମାତ୍ର ୨୦ ପଏଣ୍ଟ୍‌ ପଛରେ ରହିଛୁ। ଗାଣିତିକ ଦୃଷ୍ଟିକୋଣରୁ ଏହା ସମ୍ଭବ ଥିଲେ ମଧ୍ୟ ବଡ଼ ଆହ୍ଵାନ ଭରା ବୋଲି ସ୍ୱୀକାର କରିଛନ୍ତି ଉଦୀପ୍ତ। ପରବର୍ତୀ ରେସ୍‌ ସେପଙ୍ଗ ସର୍କିଟ (ଉତ୍ତର ଟ୍ରାକ୍‌)ରେ ସେପ୍ଟେମ୍ବର ୧୪ରୁ ୧୭ ତାରିଖ ମଧ୍ୟରେ ହେବ। ଶାରୀରିକ ଓ ବୈଷୟିକ ଦୃଷ୍ଟିକୋଣରୁ ଏହା ନିଶ୍ଚିତ ଆହ୍ଵାନଭରା। ଆମ ଗତି ଓ ସମୟରେ ଉନ୍ନତି ଘଟୁଛି। କିଛି ବିଭାଗ ରହିଛି ଯେଉଁଥିରେ ଉନ୍ନତି ଆବଶ୍ୟକ। ପରବର୍ତୀ ରାଉଣ୍ଡ୍‌ରେ ନିଶ୍ଚିତ ଏଥିରେ ସୁଧାର ଆସିବ ବୋଲି ବିଶ୍ୱାସ ରଖିଛନ୍ତି ଉଦୀପ୍ତ। ଆମ ପାଇଁ ସବୁଠାରୁ ବଡ଼ କଥା ହେଉଛି ଅଭିଜ୍ଞତା ଓ କିଛି ଚାମ୍ପିଅନ୍‌ସିପ୍‌ ପଏଣ୍ଟ ଅର୍ଜନ କରିବା। ଅନେକ କିଛି ଦିଗରେ କାର୍ଯ୍ୟ କରିବାକୁ ଅଛି ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ମାତ୍ର ୧୧ ବର୍ଷ ବୟସରୁ ନିଜ ଦୁଃସାହସିକ କ୍ରୀଡ଼ା ଅଭିଯାନର ସ୍ୱପ୍ନ ଦେଖିଥିବା ଉଦୀପ୍ତ ଫ୍ରିଷ୍ଟାଇଲ୍‌ ଷ୍ଟଣ୍ଟିଂରୁ ଆସି ଏବେ ଅନ୍ତର୍ଜାତୀୟ ରେସିଂ ଦୁନିଆରେ ପାଦ ଥାପିଛନ୍ତି। ପ୍ରଥମ ଓଡ଼ିଆ ଭାବେ ଚଳିତ ବର୍ଷ ଜାତୀୟ ମୋଟରସାଇକେଲ୍‌ ପ୍ରତିଯୋଗିତାରେ ଭାଗ ନେଇ ମଧ୍ୟ ସଫଳତା ଅର୍ଜନ କରିଥିଲେ। ତାଙ୍କ ସହିତ ଟିମ୍‌ ସେଭେନ୍‌ରେ ଅଛନ୍ତି ଅନ୍ୟତମ ଚାଳକ ପୀୟୂଷ ରଂଜନ। ଯିଏକି ହୋଣ୍ଡା ସିବିଆର୍‌ ୬୦୦ଆର୍‌ଆର୍‌ ଚଳାଉଛନ୍ତି ସମାନ ଦଳ ଏଆର୍‌ଡି ପରଫର୍ମାନ୍‌ସ ମୋଟରସ୍ପୋର୍ଟରେ।