30 April 2017
10:39:27 AM
image
Sambad News
ଖେଳ

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌ ଆଜି: ପନ୍ତ୍‌ଙ୍କ ଉପରେ ନଜର

By Sambad | Date: Jan 12 2017 12:53AM
ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌ ଆଜି: ପନ୍ତ୍‌ଙ୍କ ଉପରେ ନଜର

ମୁମ୍ବାଇ: ସୀମିତ ଓଭର ଶୃଙ୍ଖଳା ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଭାରତ-ଏ ଦଳକୁ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ପରାସ୍ତ କରି ମନୋବଳ ବୃଦ୍ଧି କରିଥିବା ଭ୍ରମଣକାରୀ ଇଂଲଣ୍ଡ ଦଳ ଆସନ୍ତାକାଲି ଦ୍ୱିତୀୟ ତଥା ଶେଷ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ପାଇଁ ଭାରତୀୟ-ଏ ଦଳରେ ଆଜିଙ୍କ୍ୟ ରାହାଣେ ଓ ସୁରେଶ ରାଇନାଙ୍କ ଭଳି ନାମୀ ଖେଳାଳିଙ୍କ ଉପସ୍ଥିତି ସତ୍ତ୍ୱେ ଯୁବ ଓ୍ଵିକେଟ୍‌ରକ୍ଷକ/ବ୍ୟାଟ୍‌ସମ୍ୟାନ୍‌ ତଥା ଭାରତ ଟେ୍ଵଣ୍ଟି-୨୦ ଦଳରେ ନୂଆ ମୁହଁ ଭାବେ ସାମିଲ ହୋଇଥିବା ଋଷଭ ପନ୍ତ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଆସନ୍ତା ୧୫ ତାରିଖରେ ପୁନେରେ ପ୍ରଥମ ଦିନିକିଆ ଖେଳଯିବା ପୂର୍ବରୁ ବିଶେଷକରି ଭ୍ରମଣକାରୀ ଦଳ ଏବଂ ଭାରତୀୟ ଦଳର କିଛି ସଦସ୍ୟଙ୍କ ପାଇଁ ମ୍ୟାଚ୍‌ ୬ ମ୍ୟାଚ୍‌ ବିଶିଷ୍ଟ ସୀମିତ ଓଭର ଶୃଙ୍ଖଳା ପାଇଁ ଏହା ଶେଷ ପ୍ରସ୍ତୁତି ହେବ। ବହୁଦିନର ଅସୁସ୍ଥତା ପରେ ରାହାଣେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଓହ୍ଲାଇବେ। ଦିନିକିଆ ଶୃଙ୍ଖଳା ପୂର୍ବରୁ ରାହାଣେଙ୍କ ପାଇଁ ବ୍ୟକ୍ତିଗତ ଭାବେ ଏହି ଅଭ୍ୟାସ ମ୍ୟାଚ୍‌ ମଧ୍ୟ ଗୁରୁତ୍ୱ ରଖୁଛି। ସେହିପରି ଦିନିକିଆ ଦଳରୁ ସ୍ଥାନ ହରାଇଥିବା ରାଇନା ଟେ୍ଵଣ୍ଟି-୨୦ ଦଳରେ ସ୍ଥାନ ପାଇଥିବାରୁ ଚାପରେ ରହିବେ। ଅନ୍ୟପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଖେଳିନଥିବା ପ୍ରମୁଖ ଦ୍ରୁତ ବୋଲର ବେନ୍‌ ଷ୍ଟୋକ୍‌ସ, ଓ୍ଵିକେଟ୍‌ରକ୍ଷକ ଜନି ବେୟାରଷ୍ଟୋ ଓ ଦ୍ରୁତ ବୋଲର ଲିଆମ୍‌ ପ୍ଲଙ୍କେଟ୍‌ ଗୁରୁବାର ଅଭ୍ୟାସ ମ୍ୟାଚ୍‌ ଖେଳିବେ ବୋଲି ଇଂଲଣ୍ଡ ଦଳ ପକ୍ଷରୁ ଆଭାସ ଦିଆଯାଇଛି। 

ଋଷଭ ଗତ କନିଷ୍ଠ ବିଶ୍ୱକପ୍‌ରେ ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ସଦସ୍ୟ ଥିଲେ। ସେହି ବିଶ୍ୱକପ୍‌ରେ ସେ ଚମତ୍କାର ବ୍ୟାଟିଂ କରିଥିଲେ। ଫାଇନାଲ୍‌ରେ େଓ୍ଵଷ୍ଟଇଣ୍ଡିଜ୍‌ ନିକଟରୁ ହାରି ଭାରତ ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ତେବେ ଋଷଭ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଏପର୍ଯ୍ୟନ୍ତ ପାହାଡ଼ ସଦୃଶ ରନ୍‌ ଠୁଳ କରିସାରିଲେଣି। ଯାହାକି ତାଙ୍କୁ ଜାତୀୟ ଦଳରେ ସାମିଲ ହେବାରେ ସହାୟକ ହୋଇଛି। ଚଳିତ ରଣଜୀ ଋତୁରେ ଏହି ଯୁବ ତାରକା ବିସ୍ଫୋରକ ବ୍ୟାଟିଂ କରିଥିଲେ। ଆସାମ ବିପକ୍ଷରେ ୧୪୬ ଓ ଝାଡ଼ଖଣ୍ଡ ବିପକ୍ଷରେ ୧୧୭ ରନ୍‌ କରିବା ମଝିରେ ମହାରାଷ୍ଟ୍ର ବିପକ୍ଷରେ ତ୍ରିଶତକୀୟ (୩୦୮) ପାଳି ଖେଳିଥିବା ଦିଲ୍ଲୀ ଯୁବ ତାରକା ଋଷଭ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ପାଇଁ ଜାତୀୟ ଟେ୍ଵଣ୍ଠି-୨୦ ଦଳରେ ସାମିଲ ପାଇଁ ମନୋନୟନକର୍ତାଙ୍କୁ ବାଧ୍ୟ କରିଥିଲେ। ମହାରାଷ୍ଟ୍ର ବିପକ୍ଷ ତ୍ରିଶତକୀୟ ପାଳିରେ ସେ ୯ ଛକା ଓ ୪୨ ଚୌକା ତାଙ୍କ ପ୍ରବଳ ଧୈର୍ଯ୍ୟର ପ୍ରମାଣ ଦେଇଥିଲା। ହେଲେ ଏବେ ତାଙ୍କ ପାଇଁ ପ୍ରକୃତ ପରୀକ୍ଷା ଅପେକ୍ଷା କରିଛି। ଧୋନିଙ୍କ ସଫଳ ଉତ୍ତରାଧିକାରୀ ଭାବେ ଗଣାଯାଉଥିବା ଋଷଭ ଗୁରୁବାର ସ୍ଥାନୀୟ ବ୍ରାବର୍ଣ ଷ୍ଟାଡିୟମ୍‌ରେ ଇଂଲଣ୍ଡ ବିପକ୍ଷରେ ଦିବାରାତ୍ର ଅଭ୍ୟାସ ମ୍ୟାଚ୍‌ ଖେଳିବେ। ତେଣୁ ତାଙ୍କ ବ୍ୟାଟିଂ ଓ ଓ୍ଵିକେଟ୍‌ରକ୍ଷଣ ଦକ୍ଷତାକୁ ଦୃଢ଼ ଭାବେ ପ୍ରମାଣିତ କରିବାକୁ ଏହି ମ୍ୟାଚ୍‌ ଋଷଭଙ୍କ ପାଇଁ ସୁଯୋଗ ରଖିଛି। ରାହାଣେଙ୍କ ନେତୃତ୍ୱରେ ଏହି ଅଭ୍ୟାସ ମ୍ୟାଚ୍‌ ଦଳରେ ପନ୍ତ୍‌ଙ୍କ ଆଉ ଜଣେ ପ୍ରତିଦ୍ୱନ୍ଦ୍ୱୀ ତଥା ଝାଡ଼ଖଣ୍ଡ ଓ୍ଵିକେଟ୍‌ ରକ୍ଷକ ଇଶାନ୍‌ କୃଷ୍ଣନ୍‌ ସାମିଲ ଥିବାରୁ ତାଙ୍କ ଉପରେ ମଧ୍ୟ ମନୋନୟନକର୍ତାଙ୍କ ନଜର ରହିବ। 

ଭାରତ-ଏ ଦଳ: ରିଷଭ ପନ୍ତ୍‌, ଆଜିଙ୍କ୍ୟ ରାହାଣେ (ଅଧିନାୟକ), ସୁରେଶ ରାଇନା, ଦୀପକ୍‌ ହୁଦା, ଇଶାନ୍‌ କୃଷ୍ଣନ୍‌ (ଓ୍ଵିକେଟ୍‌ରକ୍ଷକ), ସେଲ୍‌ଡନ୍‌ ଜାକ୍‌ସନ୍‌, ବିଜୟ ଶଙ୍କର, ସାହବାଜ୍‌ ନଦିମ୍‌, ପର୍ଭେଜ୍‌ ରସୁଲ୍‌, ବିନୟ କୁମାର, ପ୍ରଦୀପ ସାଙ୍ଗ୍‌ଓ୍ଵନ୍‌, ଅଶୋକ ଦିଣ୍ଡା।

ଇଂଲଣ୍ଡ ଦିନିକିଆ ଦଳ: ଇଓ୍ଵିନ୍‌ ମୋର୍ଗାନ୍‌ (ଅଧିନାୟକ), ମୋଇନ୍‌ ଅଲ୍ଲୀ, ଜନି ବେୟାରଷ୍ଟୋ, ଜାକେ ବାଲ୍‌, ସାମ୍‌ ବିଲିଙ୍ଗ୍‌ସ, ଜୋସ୍‌ ବଟ୍ଟଲର୍‌, ଲିଆମ୍‌ ଡସନ୍‌, ଆଲେକ୍ସ ହେଲ୍‌ସ, ଲିଆମ୍‌ ପ୍ଲଙ୍କେଟ୍‌, ଆଦିଲ୍‌ ରସିଦ୍‌, ଜୋଏ ରୁଟ୍‌, ଜାସନ୍‌ ରୟ, ବେନ୍‌ ଷ୍ଟୋକ୍‌ସ, ଡେଭିଡ୍‌ ଓ୍ଵିଲି ଓ କ୍ରିସ୍‌ ଓ୍ଵକ୍‌ସ।

image