01 May 2017
2:02:50 AM
image
Sambad News
ଖେଳ

ଆକ୍ରମଙ୍କ ବିରୋଧରେ ଗିରଫ ପରଓ୍ଵାନା

By Sambad | Date: Jan 12 2017 12:54AM
ଆକ୍ରମଙ୍କ ବିରୋଧରେ ଗିରଫ ପରଓ୍ଵାନା

କରାଚି: ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର୍‌ ତଥା ଏବର ଭାଷ୍ୟକାର ଓ୍ଵାସିମ୍‌ ଆକ୍ରମଙ୍କ ବିରୋଧରେ ଏକ ପାକିସ୍ତାନୀ ଅଦାଲତ ଗିରଫ ପରଓ୍ଵାନା ଜାରି କରିଛି। ରାସ୍ତାରେ ବେପରୁଆ ଗାଡ଼ି ଚଳାଇବା ସାଙ୍ଗକୁ ଅନ୍ୟମାନଙ୍କୁ ଧମକଚମକ ଦେଉଥିବା ନେଇ ଏକ ମାମଲା ନିଜେ ଆକ୍ରମ୍‌ ଦାୟର କରିଥିଲେ ମଧ୍ୟ ଏହାର ୩୧ଟି ଶୁଣାଣି ବେଳେ ଉପସ୍ଥିତ ନରହିବାରୁ ଅଦାଲତ ତାଙ୍କୁ ଗିରଫ ପାଇଁ ପରଓ୍ଵାନା ଜାରି କରିଛି। ୫୦ ବର୍ଷ ବୟସ୍କ ଆକ୍ରମ୍‌ ୨୦୧୫ରେ ଏହି ମାମଲା ବାହାଦ୍ରାବାଦ୍‌ ଥାନାରେ ଦାୟର କରିଥିଲେ। କରାଚିର କର୍ସାଜ୍‌ ଅଞ୍ଚଳରେ ସେ ନିଜ ଗାଡ଼ିରେ ଯାଉଥିଲା ବେଳେ ଅନ୍ୟ ଏକ ଗାଡ଼ି ତାଙ୍କୁ ବେନିୟମ ଭାବେ ଟପି ଆଗକୁ ଯିବା ଏବଂ ପରେ ଯୁକ୍ତିତର୍କ ବେଳେ ଆକ୍ରମ୍‌ଙ୍କୁ ବନ୍ଧୁକ ଦେଖାଇ ଧମକଚମକ ଦେବା ଘଟଣାରେ ମାମଲା ଦାୟର ହୋଇଥିଲା। ସେତେବେଳେ ପୁଲିସ ଜଣେ ସନ୍ଦିଗ୍‌ଧଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ହେଲେ ମାମଲାରୁ ଣୁଣାଣି ପାଇଁ ବାରମ୍ବାର ତାରିଖ ଧାର୍ଯ୍ୟ ହେଉଥିଲେ ବି ଆକ୍ରମ୍‌ ଉପସ୍ଥିତ ରହୁନଥିଲେ।

୩୧ଟି ତାରିଖରେ ଅନୁପସ୍ଥିତ ରହିବା ପରେ ଏବେ ଆକ୍ରମ୍‌ଙ୍କୁ ଗିରଫ ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି। ଏଥି ସହିତ ଜାନୁଆରି ୧୭ ତାରିଖ ପୂର୍ବରୁ ତାଙ୍କୁ ଅଦାଲତରେ ହାଜର କରାଇବାକୁ ମଧ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ନିର୍ଦେଶ ଦେଇଛନ୍ତି। ଇତି ମଧ୍ୟରେ ସଂପୃକ୍ତ ମାମଲାରେ ଜଡ଼ିତ କାର୍‌ ଚିହ୍ନଟ ହୋଇସାରିଛି। ତାହା ଜଣେ ଅବସରପ୍ରାପ୍ତ ମେଜର ଅମିରୁଲ୍‌ ରେହମନ୍‌ଙ୍କର ବୋଲି ଜଣାପଡ଼ିଛି। ଫଳରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଆକ୍ରମ୍‌ଙ୍କ ଉପରକୁ ଗୁଳିମାଡ଼ କରିଥିବା ସନ୍ଦେହ କରାଯାଉଛି। ହେଲେ ଆକ୍ରମ୍‌ଙ୍କୁ ସଂପୃକ୍ତ ବ୍ୟକ୍ତି  ପରେ କ୍ଷମା ମାଗିନେଇଥିଲା ବୋଲି ମଧ୍ୟ ଜଣାପଡ଼ିଛି। କିନ୍ତୁ ରହମନ୍‌ଙ୍କର ବନ୍ଧୁକ ଏବଂ ଡ୍ରାଇଭିଂ ଲାଇସେନ୍ସ ତୁରନ୍ତ ମୁକ୍ତ କରିବାକୁ ସେ ଦାବି କରିନଥିଲେ। ତେଣୁ ମାମଲାର ଅନ୍ତ ଘଟିନାହଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।

image