18 January 2017
7:07:29 AM
Sambad News
ଖେଳ

ପୁଣି ଫସିବେ ଆଶୀର୍ବାଦ-ଡିସିପି

ମ୍ୟାଚ୍‌ ଟିକଟରେ ପୂର୍ବତନ ସଂପାଦକଙ୍କ ଦସ୍ତଖତ

By Sambad | Date: Jan 12 2017 1:15AM
ପୁଣି ଫସିବେ ଆଶୀର୍ବାଦ-ଡିସିପି

କଟକ: ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କ କାର୍ଯ୍ୟକାଳରେ ବିବାଦ ପିଛା ଛାଡୁ ନ ଥିଲା ବେଳେ ଏବେ ପଦବି ଯିବା ପରେ ମଧ୍ୟ ଆଉଥରେ ବିବାଦ ଭିତରକୁ ଆସିଯାଇଛନ୍ତି। ଭାରତ-ଇଂଲଣ୍ଡ ମ୍ୟାଚ୍‌ ପାଇଁ ଯେଉଁ ଟିକଟ ଛପାଯାଇଛି ସେଥିରେ ଆଶୀର୍ବାଦ ବେହେରାଙ୍କ ଦସ୍ତଖତ ରହିଛି। ହେଲେ ଗତ ୨ ତାରିଖରେ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦେଶ ପରେ ଓସିଏର ସମସ୍ତ କର୍ମକର୍ତ୍ତା ଅଯୋଗ୍ୟ ସାବ୍ୟସ୍ତ ହୋଇଥିଲେ। ଏହି ଆଧାରରେ ମ୍ୟାଚ୍‌ ଟିକଟରେ ତାଙ୍କର ଦସ୍ତଖତକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଯଦିଓ ଟିକଟ ଛପାଯିବା ପାଇଁ ବହୁ ଆଗରୁ ବାଙ୍ଗାଲୋରସ୍ଥିତ ଏକ ଘରୋଇ କମ୍ପାନିକୁ ଅର୍ଡର ଦିଆଯାଇଥିଲା। ତେବେ ଗତ ୨ ତାରିଖ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦେଶ ଆସିବା ପରେ ସେଥିରେ ପରିବର୍ତ୍ତନ କରାଯାଇପାରିଥାନ୍ତା। କିନ୍ତୁ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ଭୟରେ ଓସିଏ ପକ୍ଷରୁ ଛପା ସରିଥିବା ଟିକଟକୁ କାଏମ ରଖାଯାଇଥିଲା। ଗତ ତିନିଦିନ ତଳେ ଟିକଟ ଓସିଏର ହସ୍ତଗତ ହୋଇଛି। ବୁଧବାର ଅନ୍‌ଲାଇନ୍‌ରେ ବୁକ୍‌ କରିଥିବା ଦର୍ଶକମାନଙ୍କ ନିକଟକୁ ଟିକଟ ପଠାଯିବା ପାଇଁ ବ୍ୟାଙ୍କ୍‌କୁ ସେହି ପରିମାଣର ଟିକଟ ଦିଆଯାଇଛି। ଏହି ସମୟ ମଧ୍ୟରେ ଆଶୀର୍ବାଦଙ୍କ ଦସ୍ତଖତକୁ କଟାଯାଇପାରିଥାନ୍ତା କିମ୍ବା ତାହା ଉପରେ ରଙ୍ଗ ଲଗାଯାଇପାରିଥାନ୍ତା। ହେଲେ ତାହା ନକରି ଟିକଟଗୁଡିକୁ ସର୍ବସାଧାରଣରେ ଛଡ଼ାଯିବାକୁ ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଆଶୀର୍ବାଦଙ୍କ ମତରେ ବହୁତ ଆଗରୁ ଟିକଟ ଛପାଯିବା ପାଇଁ ଅର୍ଡର ଦିଆସରିଥିଲା। ପୁଣି ତାହାକୁ ନାକଚ କରି ନୂଆ ଟିକଟ ଛପାଇଲେ ଓସିଏର ପ୍ରାୟ ୧୬ ଲକ୍ଷ ଟଙ୍କା କ୍ଷତି ହୋଇଥାନ୍ତା ବୋଲି କହିଛନ୍ତି। ତେଣୁ ନ୍ୟାୟାଳୟଙ୍କ ନିର୍ଦେଶ ଆସିବା ପୂର୍ବରୁ ଟିକଟ ଛପା ହୋଇଥିବାରୁ ଏହାଦ୍ୱାରା ନ୍ୟାୟାଳୟ ନିର୍ଦେଶର ଅବମାନନା ହେବ ନାହିଁ ବୋଲି ଶ୍ରୀ ବେହେରା ପ୍ରତିକ୍ରିୟା ଦେଇଛନ୍ତି।

କେବଳ ଆଶୀର୍ବାଦ ନୁହଁନ୍ତି, ମ୍ୟାଚ୍‌ ଟିକଟରେ ଡିିସିପି ସଂଜୀବ ଆରୋରାଙ୍କ ଦସ୍ତଖତ ମଧ୍ୟ ରହିଛି। ତେଣୁ ଟିକଟ ବୈଧତା ବାବଦରେ ଉଭୟ ଆଶୀର୍ବାଦ ବେହେରା ଓ ସଂଜୀବ ଆରୋରା ନିଜର ସହମତି ଦେଇଥିବା ଜଣାପଡିଛି। ହେଲେ ଜାନୁଆରି ୨ ତାରିଖ ପରେ ମ୍ୟାଚ୍‌ ପରିଚାଳନା ପାଇଁ ବାରବାଟୀ କଟକ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଆୟୋଜନ ସମିତି ଅଧ୍ୟକ୍ଷ କରାଗଲା। ମ୍ୟାଚ୍‌ର ସମସ୍ତ ଭଲମନ୍ଦ ଏବେ ଦେବାଶିଷଙ୍କ ନାମରେ ଯିବ। ତେଣୁ ଟିକଟରେ ଆଶୀର୍ବାଦଙ୍କ ଦସ୍ତଖତ ସ୍ଥାନରେ ଦେବାଶିଷଙ୍କ ଦସ୍ତଖତ ରିହପାରିଥାନ୍ତା ବୋଲି ମତପ୍ରକାଶ ପାଇଛି। ଯଦିବି ଦେବାଶିଷଙ୍କ ଦସ୍ତଖତ ନରୁହେ, ତାହେଲେ ଅଯୋଗ୍ୟ ବିବେଚିତ ଆଶୀର୍ବାଦଙ୍କ ଦସ୍ତଖତ କିପରି ବୈଧ ହେବ ବୋଲି ଆଇନଜୀବୀ ସୁବ୍ରତ ନନ୍ଦ ପ୍ରଶ୍ନ କରିଛନ୍ତି। ଏହା ନ୍ୟାୟାଳୟଙ୍କ ନିର୍ଦେଶର ଅବମାନନା ବୋଲି ସେ ଅଭିଯୋଗ ଆଣିଛନ୍ତି। ଏହାଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରୀ ନନ୍ଦ ପ୍ରତିକ୍ରିୟା ରଖିଛନ୍ତି। ନ୍ୟାୟାଳୟଙ୍କ ନିର୍ଦେଶ ସଠିକ୍‌ ଭାବେ ପାଳନ ହେଉଛି କି ନାହିଁ ତାହା ତଦାରଖ କରିବା ଦାୟିତ୍ୱ ହେଉଛି ପୁଲିସର। ହେଲେ ଖୋଦ ଡିସିପି ଯଦି ଏସବୁ ଜାଣି ଅଜଣା ହେଉଛନ୍ତି, ତାହେଲେ ଏହା ନ୍ୟାୟାଳୟଙ୍କ ନିର୍ଦେଶକୁ ଚାଲେଞ୍ଜ ଦିଆଯିବା ସଦୃଶ ବୋଲି ପୂର୍ବତନ କୋଷାଧ୍ୟକ୍ଷ ବିଶ୍ୱାନାଥ ମୁଖାର୍ଜୀ କହିଛନ୍ତି। ତଥାପି ପୁଲିସ ମ୍ୟାଚ୍‌ ପୂର୍ବରୁ ଉଚିତ ପଦକ୍ଷେପ ନେବ ବୋଲି ସେ ଆଶା ରଖିଛନ୍ତି। ତେବେ ଟିକଟ ଉପରେ ଆଶୀର୍ବାଦଙ୍କ ଦସ୍ତଖତ ନ୍ୟାୟାଳୟଙ୍କ ନିର୍ଦେଶର ଅବମାନନା କି ନୁହେଁ ସେ ବିଷୟରେ ପୁଲିସ କମିସନର କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।