30 March 2017
8:13:37 AM
Sambad News
ଖେଳ

ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ୍‌: ଉତ୍କଳର ରୋମାଞ୍ଚକର ବିଜୟ

By Sambad | Date: Jan 12 2017 12:46AM
ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ୍‌: ଉତ୍କଳର ରୋମାଞ୍ଚକର ବିଜୟ

ଭୁବନେଶ୍ୱର: ପଶ୍ଚିମବଙ୍ଗର ବିଦ୍ୟାସାଗର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଚାଲିଥିବା ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ରବିବାର ନିଜର ପ୍ରଥମ ମ୍ୟାଚ୍‌ରେ ଛତିଶଗଡ଼ର ଦୁର୍ଗ ଦଳକୁ ୯୯ ରନ୍‌ରେ ପରାସ୍ତ କରିଥିବା ଉତ୍କଳ ଦଳ ବୁଧବାର ଦ୍ୱିତୀୟ ମୁକାବିଲାରେ କୋଲ୍‌କାତା ବିଶ୍ୱବିଦ୍ୟାଳୟ ଦଳ ବିପକ୍ଷରେ ୧ ଓ୍ଵିକେଟ୍‌ର ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା କୋଲ୍‌କାତା ଦଳ ନିର୍ଧାରିତ ୩୫ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୯୩ ରନ୍‌ କରିଥିଲା। ଉତ୍କଳ ପକ୍ଷରୁ ନିଲୁ ପ୍ରଧାନ ୩ ଓ ଓମ୍‌ବିକାଶ ନାୟକ ୨ ଓ୍ଵିକେଟ୍‌ ନେଇ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ। ଜବାବରେ ଉତ୍କଳ ଦଳ ଅଭିନବ ଘୋଷଙ୍କ ୪୪ ବଲ୍‌ରୁ ୪୫, ବାଦଲ ଭୋଳଙ୍କ ୨୫ ବଲ୍‌ରୁ ୪୮ (୫ ଛକା ଓ ୨ ଚୌକା) ଏବଂ କାର୍ତିକ ବିଶ୍ୱାଳଙ୍କ ୨୨ ରନ୍‌ ସହାୟତାରେ ୩୪.୫ ଓଭରରେ ୯ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଥିଲା। ଉତ୍କଳ ଦଳ ଆସନ୍ତା ୧୪ ତାରିଖରେ ତା’ର ପରବର୍ତୀ ମ୍ୟାଚ୍‌ ପାଟନା ଓ ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟ ମୁକାବିଲାର ବିଜେତା ସହ ଖେଳିବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ନିର୍ଦେଶକ ପ୍ରଫେସର ଜୟନ୍ତ କୁମାର ପରିଡ଼ା ଜଣାଇଛନ୍ତି।

ରେଭେନ୍ସା ଦଳର ପଶ୍ଚିମବଙ୍ଗ ଯାତ୍ରା

କଟକ: ପଶ୍ଚିମବଙ୍ଗର ମେଦିନାପୁର ବିଦ୍ୟାସାଗର ବିଶ୍ୱବିଦ୍ୟାଳୟରେ ପୂର୍ବାଞ୍ଚଳ ପୁରୁଷ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଥିରେ ଭାଗ ନେଉଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୬ ଜଣିଆ ଦଳ ପଶ୍ଚିମବଙ୍ଗ ଯାତ୍ରା କରିଛି। କ୍ରୀଡା ସଂପାଦକ ନିର୍ନିମେସ ଜେନା ଅଧିନାୟକ ମନୋନୀତ ହୋଇଥିଲା ବେଳେ ଓ୍ଵାଇ ଶ୍ରୀକାନ୍ତ, ବିନାୟକ ନାୟକ, ମହମ୍ମଦ ଆମିର ଅନିସ, ବିକାଶ କୁମାର ଶ୍ରୀବାସ୍ତବ, ଚନ୍ଦ୍ରପ୍ରକାଶ ମହାନ୍ତି, ସୁନୀଲ କୁମାର ରାଉଳ, ମୃତ୍ୟୁଞ୍ଜୟ ସ୍ୱାଇଁ, ଅସ୍ମିତ କୁମାର ରାଉତ, ସୈଫୁଦିନ୍‌ ଖାନ୍‌, ଲିଲାଧର ପ୍ରଧାନ, ବିପ୍ରଭ ମହାରଣା, ସୁଶୀଲ ବାରିକ, ଶୁଭ୍ରଜିତ ରାଉଳ, ପ୍ରୀତମ ବାରିକ, ସନ୍ଦୀପ କୁମାର କର ଦଳରେ ସ୍ଥାନ ପାଇଛନ୍ତି। କଳିଙ୍ଗ ଦାସ ପ୍ରଶିକ୍ଷକ ଓ ପ୍ରସନ୍ନଜିତ ବାନାର୍ଜୀ ପ୍ରବନ୍ଧକ ଭାବେ ଦଳ ସହିତ ଯାତ୍ରା କରିଛନ୍ତି।