17 January 2017
12:47:11 AM
Sambad News
ଖେଳ

ଭାରତୀୟ ଖେଳ ଇତିହାସର ପ୍ରଥମ

By Sambad | Date: Aug 23 2016 7:47AM
ଭାରତୀୟ ଖେଳ ଇତିହାସର ପ୍ରଥମ

 ନୂଆଦିଲ୍ଲୀ: ଭାରତୀୟ ଖେଳ ଇତିହାସର ପ୍ରଥମ ଘଟଣା ଭାବେ ଚଳିତ ବର୍ଷ ଏକାଥରକେ ୪ ଜଣ ଖେଳାଳି ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇବେ। ରିଓ ଅଲିମ୍ପିକ୍ସ ଶେଷ ହେବାର ଠିକ୍‌ ପରେ ପରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରଣାଳୟ ଘୋଷଣା କରିଥିବା ତାଲିକା ଅନୁସାରେ ଏଥରର ଅଲିମ୍ପିକ୍ସରେ ପଦକ ଜିତିଥିବା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଓ କୁସ୍ତିରାଣୀ ସାକ୍ଷୀ ମଲ୍ଲିକଙ୍କ ସହ ପ୍ରଥମ ଭାରତୀୟ ଭାବେ ମହିଳା ଜିମ୍ନାଷ୍ଟିକ୍ସର ଫାଇନାଲକୁ ଯାଇଥିବା ଦୀପା କର୍ମକାର ଏବଂ ବନ୍ଧୁକ ଚାଳକ ଜିତୁ ରାୟ ଖେଳ ରତ୍ନ ପାଇଁ ମନୋନୀତ ହୋଇଛନ୍ତି। ଚତୁର୍ଥ ସ୍ଥାନରେ ରହି ଐତିହାସିକ ପଦକ ହାସଲ କରିବାରୁ ଅଳ୍ପକେ ବଞ୍ଚିତ ହୋଇଥିବା ଦୀପାଙ୍କ ପ୍ରଶିକ୍ଷକ ବିଶେଶ୍ୱର ନନ୍ଦୀ, ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ପ୍ରଶିକ୍ଷକ ଏନ୍‌ ରମେଶ, ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ସାଗର ମଲ ଧୟାଲ, କ୍ରିକେଟ୍‌ ପ୍ରଶିକ୍ଷକ ରାଜ୍‌ କୁମାର ଶର୍ମା, ସନ୍ତରଣ ପ୍ରଶିକ୍ଷକ ଏସ୍‌ ପ୍ରଦୀପ କୁମାର ଏବଂ  କୁସ୍ତି ପ୍ରଶିକ୍ଷକ ମହାବୀର ସିଂହ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ପ୍ରଦୀପ ଏବଂ ମହାବୀରଙ୍କୁ ଜୀବନ ବ୍ୟାପି ସେବା ପାଇଁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯିବ। ସେହିଭଳି ୧୫ ଜଣ ଖେଳାଳିଙ୍କୁ ଉନ୍ନତ ପ୍ରଦର୍ଶନ ପାଇଁ ଅର୍ଜୁନ ଏବଂ ତିନି ଜଣଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ମିଳିବ। ପଦକ ଓ ପ୍ରଶସ୍ତିପତ୍ର ସହ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ବିଜେତା ୭.୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପାଇବେ। ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଓ ଧ୍ୟାନଚାନ୍ଦ ପୁରସ୍କାର ବିଜେତା ଏକ ମୂର୍ତ୍ତି ଓ ପ୍ରଶସ୍ତିପତ୍ର ସହ ୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପାଇବେ। ଦିଲ୍ଲୀ ଉଚ୍ଚନ୍ୟାୟାଳୟର  ଅବସରପ୍ରାପ୍ତ ବିଚାରପତି ଏସ୍‌ କେ ଅଗ୍ରଓ୍ଵାଲ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ଗଠିତ ଚୟନ ସମିତିର ମୁଖ୍ୟ ଥିଲେ। ସେହିଭଳି  ଦ୍ରୋଣାଚାର୍ଯ୍ୟ ଓ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ଗଠିତ ଚୟନ ସମିତିର ଅଧ୍ୟକ୍ଷତା ଏମସି ମେରିକମ୍‌ କରୁଥିଲେ। ଏହି ପୁରସ୍କାର ଅଗଷ୍ଟ ୨୯ ତାରିଖରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ବଣ୍ଟନ କରିବେ।

ଖେଳରତ୍ନ:  
ପିଭି ସିନ୍ଧୁ (ବ୍ୟାଡମିଣ୍ଟନ), ସାକ୍ଷୀ ମଲ୍ଲିକ (କୁସ୍ତି), ଦୀପା କର୍ମକାର (ଜିମ୍ନାଷ୍ଟିକ୍ସ), ଜିତୁ ରାୟ (ବନ୍ଧୁକ ଚାଳନା)। ଦ୍ରୋଣାଚାର୍ଯ୍ୟ: ନାଗପୁରୀ ରମେଶ, ସାଗର ମଲ ଧୟାଲ (ମୁଷ୍ଟିଯୁଦ୍ଧ)। ରାଜ କୁମାର ଶର୍ମା (କ୍ରିକେଟ୍‌), ମହାବୀର ସିଂହ (କୁସ୍ତି)। ଅର୍ଜୁନ: 
ରଜତ ଚୌହ୍ଵାନ (ତୀରନ୍ଦାଜୀ), ଲଳିତା ବାବର (ଦୌଡ଼କୁଦ), ସୌରଭ କୋଠାରୀ ( ବିଲିୟାର୍ଡସ ଓ ସ୍ନକର)। ଶିବ ଥାପ୍ପା (ମୁଷ୍ଟିଯୁଦ୍ଧ), ଅଜିଙ୍କ୍ୟ ରାହାନେ (କ୍ରିକେଟ୍‌),  ରାଣୀ (ହକି),  ସୁବ୍ରତ ପଲ (ଫୁଟବଲ୍‌), ଭିଆର ରଘୁନାଥ (ହକି), ଗୁରୁପ୍ରୀତ ସିଂହ (ବନ୍ଧୁକ ଚାଳନା), ଅପୂର୍ବୀ ଚାନ୍ଦିଲା (ବନ୍ଧୁକ ଚାଳନା), ସୌମ୍ୟଜିତ ଘୋଷ (ଟେବୁଲ ଟେନିସ୍‌), ଭିନେଶ ଫୋଗଟ (କୁସ୍ତି), ଅମିତ କୁମାର (କୁସ୍ତି), ସନ୍ଦୀପ ସିଂହ ମାନ୍‌ (ଭିନ୍ନକ୍ଷମ କ୍ରୀଡ଼ା), ବିରେନ୍ଦ୍ର ସିଂହ (କୁସ୍ତି, ବଧୀର)। ଧ୍ୟାନଚାନ୍ଦ: 
ସତୀ ଗୀତା (ଦୌଡ଼କୁଦ), ସିଲଭାନସ୍‌ ଡୁଙ୍ଗ୍‌ ଡୁଙ୍ଗ୍‌ (ହକି), ରାଜେନ୍ଦ୍ର ପ୍ରହଲାଦ ସେଲକେ (ନୌଚାଳନା)।