25 June 2017
7:27:13 AM
Sambad News
ଖେଳ

ସରକାରଙ୍କୁ ପୁଣି ବୁଦ୍ଧିଆ ଚିନ୍ତା, କ୍ରୀଡ଼ା ଛାତ୍ରାବାସକୁ ଫେରି ଆସିବାକୁ ଚାପ

ଯଦି ସରକାର ଚାହାନ୍ତି ତାହେଲେ ଖର୍ଚ୍ଚ ବହନ କରନ୍ତୁ: ସୁକାନ୍ତି

By Sambad | Date: Jan 12 2017 1:04AM
ସରକାରଙ୍କୁ ପୁଣି ବୁଦ୍ଧିଆ ଚିନ୍ତା, କ୍ରୀଡ଼ା ଛାତ୍ରାବାସକୁ ଫେରି ଆସିବାକୁ ଚାପ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ପୁଣିଥରେ ବିସ୍ମୟ ବାଳକ ବୁଦ୍ଧିଆ ସିଂହଙ୍କ ଚିନ୍ତା ଘାରିଛି। ବୁଦ୍ଧିଆଙ୍କ ମଙ୍ଗଳ ପାଇଁ ନୁହେଁ ଶାସକ ଦଳର ରାଜନୈତିକ ସ୍ୱାର୍ଥ ପାଇଁ। ତେଣୁ ୬ ମାସର ଅନ୍ତରାଳ ପରେ ସରକାର ପୁଣିଥରେ ବୁଦ୍ଧିଆଙ୍କୁ ନିଜ ଅଧୀନକୁ ଆଣିବାକୁ ଉଦ୍ୟମ କରିଛନ୍ତି। ତେବେ ବର୍ତମାନ ତାହା ଫଳପ୍ରଦ ହେବା ଭଳି ମନେ ହେଉ ନାହିଁ। ବୁଦ୍ଧିଆ ଆଉ କୌଣସି ପରିସ୍ଥିତିରେ ରାଜ୍ୟ କ୍ରୀଡ଼ା ଛାତ୍ରାବାସକୁ ଫେରିବାକୁ ଆଗ୍ରହୀ ନାହାନ୍ତି। ସେ ନିଜ ପ୍ରଶିକ୍ଷଣ ବ୍ୟବସ୍ଥା ନିଜେ କରିବେ। ଯଦି ସରକାର ଚାହୁଁଛନ୍ତି ତାହେଲେ ତାଙ୍କର ଖର୍ଚ୍ଚ ବହନ କରନ୍ତୁ ବୋଲି ବୁଦ୍ଧିଆଙ୍କ ମାଆ ସୁକାନ୍ତି ସିଂହ କହିଛନ୍ତି। ବୁଧବାର ବୁଦ୍ଧିଆ ଏବଂ ତାଙ୍କ ମାଆ ସୁକାନ୍ତିଙ୍କୁ ନୟାପଲ୍ଲୀସ୍ଥିତ କ୍ରୀଡ଼ା ନିର୍ଦେଶାଳୟକୁ ଡକରା ହୋଇଥିଲା। କ୍ରୀଡ଼ା ବିଭାଗର କିଛି ଅଧିକାରୀ ଓ କିଛି ପ୍ରଶିକ୍ଷକଙ୍କ ସହ ସେମାନଙ୍କ ବୈଠକ ହୋଇଥିଲା। ବୈଠକ ପରେ ବୁଦ୍ଧିଆ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ ସେ ପାଠ ପଢ଼ୁଥିବା ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ୍‌ ଛାତ୍ରାବାସରେ ରହିବେ। ସେଠାରେ ଜଣେ ସ୍ୱତନ୍ତ୍ର ପ୍ରଶିକ୍ଷକ ତାଙ୍କୁ ପ୍ରଶିକ୍ଷଣ ଦେବେ। ଯଦି ରାଜ୍ୟ ସରକାର ତାଙ୍କ ମଙ୍ଗଳ ଚାହାନ୍ତି ତାହେଲେ ବୁଦ୍ଧିଆଙ୍କ ସମସ୍ତ ଖର୍ଚ୍ଚ ବହନ କରନ୍ତୁ ବୋଲି ତାଙ୍କ ମାଆ ସୁକାନ୍ତି କହିଥିଲେ।

ତେବେ ଏହା ପଛରେ ଆଉ ଏକ କାହାଣୀ ଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି। ବୁଦ୍ଧିଆ ସିଂହ ରାଜ୍ୟ ବାହାରର କୌଣସି ଏକ ଅନୁଷ୍ଠାନରେ ରହି ପ୍ରଶିକ୍ଷଣ ନେବା ପାଇଁ ଯୋଜନା ହେଉଥିବା ରାଜ୍ୟ ଗୁଇନ୍ଦା ବିଭାଗ ସୂଚନା ପାଇଥିଲା। ଏନେଇ ଜଣେ କେନ୍ଦ୍ରମନ୍ତ୍ରୀ ବ୍ୟବସ୍ଥା କରୁଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସଚିବାଳୟର ତୃତୀୟ ମହଲାକୁ ସୂଚନା ଦିଆ ଯାଇଥିଲା। ଏହି ଖବର ପାଇବା ପରେ ବୁଦ୍ଧିଆକୁ ନେଇ ତୃତୀୟ ମହଲା ତତ୍ପର ହୋଇ ଉଠିଥିଲା। ବୁଦ୍ଧିଆ ରାଜ୍ୟ ବାହାରକୁ ଚାଲିଗଲେ ସରକାରଙ୍କ ଛବି ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ଦର୍ଶାଇ ତାଙ୍କୁ ଯେକୌଣସି ପ୍ରକାରେ ପୁଣିଥରେ ରାଜ୍ୟ କ୍ରୀଡ଼ା ଛାତ୍ରାବାସକୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କ୍ରୀଡ଼ା ବିଭାଗକୁ ନିର୍ଦେଶ ଦିଆଗଲା। କିଛି ଦିନ ତଳେ କ୍ରୀଡ଼ା ସଚିବ ବିଶାଲ ଦେବ ବୁଦ୍ଧିଆଙ୍କ ମାଆ ସୁକାନ୍ତିଙ୍କୁ ଡକାଇ ଏକ ଗୋପନ ବୈଠକ କରିଥିଲେ। ବୈଠକରେ କ୍ରୀଡ଼ା ବିଭାଗର କିଛି ଅଧିକାରୀ ଏବଂ ବୁଦ୍ଧିଆଙ୍କ ପ୍ରଶିକ୍ଷକ ସାମିଲ ଥିଲେ। ରାଜ୍ୟ ସରକାର କ୍ରୀଡ଼ା ଛାତ୍ରାବାସରେ ରଖି, ଉପଯୁକ୍ତ ପ୍ରଶିକ୍ଷଣ ନଦେଇ ଓ ଯତ୍ନ ନନେଇ ତାଙ୍କ ପୁଅର କ୍ୟାରିୟର୍‌କୁ ନଷ୍ଟ କରି ଦେଇଛନ୍ତି ବୋଲି ଉକ୍ତ ବୈଠକରେ କୁଆଡ଼େ ସୁକାନ୍ତି ଅଭିଯୋଗ କରିଥିଲେ। ସେ ମଧ୍ୟ ବୁଦ୍ଧିଆଙ୍କୁ ପୁଣି କ୍ରୀଡ଼ା ଛାତ୍ରାବାସକୁ ପଠାଇବାର ପ୍ରସ୍ତାବକୁ ସିଧାସିଧା ଅଗ୍ରାହ୍ୟ କରି ଦେଇଥିଲେ। ଏହାପରେ ସଚିବ ବୁଧବାର ପୁନର୍ବାର ବୈଠକ ଡାକିଥିଲେ ବି ନିଜେ ଆଲୋଚନାରେ ସାମିଲ ହୋଇ ନଥିଲେ।

ଉଲ୍ଲେଖଯୋଗ୍ୟ, ଗତ ଗ୍ରୀଷ୍ମ ଅବକାଶରେ ବୁଦ୍ଧିଆ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସରୁ ଘରକୁ ଯାଇଥିଲେ। କିନ୍ତୁ ଛାତ୍ରାବାସ ଖୋଲିବା ପରେ ଆଉ ଫେରି ନଥିଲେ। ତାଙ୍କ ଜୀବନ କାହାଣୀ ଉପରେ ନିର୍ମିତ ଚଳଚ୍ଚିତ୍ର ‘ବୁଦ୍ଧିଆ ସିଂହ, ବର୍ନ ଟୁ ରନ୍‌’ର ପ୍ରଯୋଜନା ସଂସ୍ଥା ତରଫରୁ ବୁଦ୍ଧିଆ ଏବଂ ତାଙ୍କ ମାଆଙ୍କୁ ଦେଶର ବିଭିନ୍ନ ସ୍ଥାନ ଭ୍ରମଣ ପାଇଁ ସେତେବେଳେ ପଠା ଯାଇଥିଲା। ସେତିକି ବେଳେ ବୁଦ୍ଧିଆଙ୍କୁ ନେଇ ରାଜ୍ୟ ସରକାର ଖୋଳତାଡ଼ କରିବା ଚର୍ଚ୍ଚା ସୃଷ୍ଟି କରିଥିଲା। ତେବେ ବୁଦ୍ଧିଆ ଓଡ଼ିଶା ଫେରିବା ପରେ ସେ ନିଜ ଇଚ୍ଛାରେ ଯାଇଥିଲେ ଓ ପୁନର୍ବାର କ୍ରୀଡ଼ା ଛାତ୍ରାବାସକୁ ଫେରିବେ ନାହିଁ ବୋଲି ଘୋଷଣା କରିଥିଲେ। ଏହା ପରଠାରୁ ଆଉ ବୁଦ୍ଧିଆ ରାଜ୍ୟ କ୍ରୀଡ଼ା ଛାତ୍ରାବାସକୁ ଫେରି ନାହାନ୍ତି।

ବୈଠକରେ ଉପସ୍ଥିତ ଥିବା କ୍ରୀଡ଼ା ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ ଅନୌପଚାରିକ ଆଲୋଚନାରେ କହିଛନ୍ତି ଯେ ବୁଦ୍ଧିଆକୁ ଆମେ ସବୁ ପ୍ରକାର ସହାୟତା ଦେବାକୁ ପ୍ରସ୍ତୁତ। ହେଲେ ସେ ଯାହା କହୁଛି, ତାହା ସେତେଟା ସହଜ ନୁହେଁ। କ୍ରୀଡ଼ା ଛାତ୍ରାବାସର ପ୍ରଶିକ୍ଷଣ ତା’ର ପସନ୍ଦ ନୁହେଁ। ସେଥିପାଇଁ ସେ ବାହାରେ ପ୍ରଶିକ୍ଷଣ ନେବାକୁ ଚାହୁଁଛି। ସେ କେଉଁଠିକି ଯିବାକୁ ଚାହୁଁଛି, କ’ଣ କରିବାକୁ ଚାହୁଁଛି ତାହା ପ୍ରଥମେ ସ୍ଥିର କରିବା ଦରକାର। ସେହିଭଳି କେଉଁ ଏକାଡେମି ତାକୁ ଗ୍ରହଣ କରିବ, ସେଥିପାଇଁ କେତେ ଅର୍ଥ ଦରକାର ତାର ରୁପରେଖ ସେ ପ୍ରସ୍ତୁତ କରୁ। ଆଜି ଆମେ ତା’ର ମତ ଜାଣିବାକୁ ଚାହିଁଥିଲୁ। ସେ ତା’ ମା’ ଓ ସ୍କୁଲ ଶିକ୍ଷକଭ୍କ ସହ ଆସି ଆଲୋଚନା କରିଛି। ଖୁବଶୀଘ୍ର ଏଥିନେଇ ନିଷ୍ପତ୍ତି ନିଆଯିବ।