17 August 2017
7:07:38 PM
Sambad News
ଖେଳ

କଟକ-କାକଟପୁର, ଜଗତ୍‌ସିଂହପୁର-ତିର୍ତୋଲ ସେମିଫାଇନାଲ୍‌

By Sambad | Date: Aug 13 2017 1:42AM
କଟକ-କାକଟପୁର, ଜଗତ୍‌ସିଂହପୁର-ତିର୍ତୋଲ ସେମିଫାଇନାଲ୍‌

ଭୁବନେଶ୍ୱର: ବାଙ୍ଗାଲୋରରେ ଓଡ଼ିଶା ୟୁଥ୍‌ ଆନୁକୂଲ୍ୟରେ ଚାଲିଥିବା ଚଳିତ ବର୍ଷର ସ୍ୱାଧୀନତା ଲିଗ୍‌ (ଟେ୍ଵଣ୍ଟି-୨୦) କ୍ରିକେଟ୍‌ ପ୍ରତିଯୋଗିତାରେ ଶନିବାର ନିଜ ନିଜର କ୍ୱାର୍ଟର ଫାଇନାଲ୍‌ ମୁକାବିଲା ଜିତି ଜଗତ୍‌ସିଂହପୁର କଳିଙ୍ଗା, କାକଟପୁର ମଙ୍ଗଳା ଓ୍ଵାରିଅର୍‌, କଟକ ବାରବାଟୀ ସୁପର କିଙ୍ଗ୍‌ସ ଓ ତିର୍ତୋଲ ଟାଇଗର୍‌ ଦଳ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ରବିବାର ଖେଳାଯିବାକୁ ଥିବା ସେମିଫାଇନାଲ୍‌ରେ କଟକ-କାକଟପୁର ଏବଂ ଜଗତ୍‌ସିଂହପୁର-ତିର୍ତୋଲ ମୁହାଁମୁହିଁ ହେବେ। କ୍ୱାର୍ଟର ଫାଇନାଲ୍‌ରେ ଓଡ଼ିଶାରୁ ଆଇପିଏଲ୍‌ ଖେଳିଥିବା ବିପ୍ଲବ ସାମନ୍ତରାୟଙ୍କ ବ୍ୟତୀତ ୬ ଜଣ ଏବର ରଣଜୀ ତାରକାଙ୍କୁ ଖେଳିବାର ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ଶୁଭ୍ରାଂଶୁ ସେନାପତି, ଅବିନାଶ ବେହେରା, ଅବିନାଶ ଶାହା, ସୌରଭ କନୋଜିଆ ଓ ସୌମେନ୍ଦ୍ର କୁମାର ଦାଶ କଟକ ଦଳରୁ ଏବଂ ସୌରଭ ରାଓ୍ଵତ୍‌ ଜଗତ୍‌ସିଂହପୁର ଦଳରୁ ଖେଳିଥିଲେ। 
ଶନିବାର ପ୍ରଥମ କ୍ୱାର୍ଟର ଫାଇନାଲ୍‌ରେ ଜଗତ୍‌ସିଂହପୁର ଦଳ ୧୫୯ ରନ୍‌ରେ ଭୁବନେଶ୍ୱର ବାଉଁସର୍‌ସକୁ ପରାସ୍ତ କରିଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ଜଗତ୍‌ସିଂହପୁର ଦଳ ୫ ଓ୍ଵିକେଟ୍‌ ବିନିମୟରେ ୨୨୯ ରନ୍‌ କରିଥିଲା। ଜବାବରେ ଭୁବନେଶ୍ୱର ଦଳ ୧୫.୪ ଓଭରରେ ମାତ୍ର ୭୦ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ୪୭ ବଲ୍‌ରୁ ୮୬ ରନ୍‌ କରିଥିବା ବିଜୟୀ ଦଳର ଶିବମ୍‌ ମିଶ୍ର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ କାକଟପୁର ୩ ଓ୍ଵିକେଟ୍‌ରେ ଜଟଣୀ ସେଣ୍ଟ୍ରାଲ ଦଳକୁ ହରାଇଥିଲା।ଜଟଣୀ ୧୯ ଓଭରରେ ୧୧୪ ରନ୍‌ କରି ସବୁ ଓ୍ଵିକେଟ୍‌ ହରାଇବା ପରେ କାକଟପୁର ୧୯.୧ ଓଭରରେ ୭ ଓ୍ଵିକେଟ୍‌ ବିନିମୟରେ ୧୧୫ ରନ୍‌ର ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ୪ ଓ୍ଵିକେଟ୍‌ ନେଇଥିବା ଷ୍ଟୋନି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ତୃତୀୟ ମ୍ୟାଚ୍‌ରେ କଟକ ଦଳ ୧୩୪ ରନ୍‌ରେ କୋଣାର୍କ ଏଜିଲେସ୍‌ ଦଳକୁ ପରାସ୍ତ କରିଥିଲା। କଟକ ଦଳ ୮ ଓ୍ଵିକେଟ୍‌ ହରାଇ ୨୧୧ ରନ୍‌ କରିବା ପରେ କୋଣାର୍କ ଦଳ ୧୬.୪ ଓଭରରେ ମାତ୍ର ୭୭ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ରୋହିତ (୨୬ ବଲ୍‌ରୁ ୪୧ ରନ୍‌ ଓ ୨ ରନ୍‌ରେ ୩ ଓ୍ଵିକେଟ୍‌)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ଏହା ପୂର୍ବରୁ ଗତ ସପ୍ତାହରେ ଯାଜପୁର ବିରଜା ଲାୟନ୍‌ସ ଦଳକୁ ୭ ଓ୍ଵିଟେ୍‌ରେ ପରାସ୍ତ କରି ତିର୍ତୋଲ ଟାଇଗର୍‌ ପ୍ରଥମ ଦଳ ଭାବେ ସେମି ଫାଇନାଲ୍‌ ପ୍ରବେଶ କରିଥିଲା।