28 May 2017
5:56:49 PM
image
Sambad News
ଖେଳ

ଭାରତ-ଇଣ୍ଡିଜ୍‌ ଟେଷ୍ଟ ବାତିଲର ତଦନ୍ତ ଆରମ୍ଭ

By Sambad | Date: Aug 24 2016 8:07AM
ଭାରତ-ଇଣ୍ଡିଜ୍‌ ଟେଷ୍ଟ ବାତିଲର ତଦନ୍ତ ଆରମ୍ଭ

ପୋର୍ଟ ଅଫ୍‌ ସ୍ପେନ୍‌: ଭାରତ ଓ େଓ୍ଵଷ୍ଟଇଣ୍ଡିଜ୍‌ ମଧ୍ୟରେ ଏଠାରେ ଚତୁର୍ଥ ଟେଷ୍ଟ ବାତିଲର କାରଣ ଖୋଜୁଛି ଆୟୋଜକ ତ୍ରିନିଦାଦ୍‌ ଓ ଟବାଗୋ କ୍ରିକେଟ୍‌ ବୋର୍ଡ। ଏହି ଟେଷ୍ଟର ପ୍ରଥମ ଦିବସରେ ମାତ୍ର ୨୨ ଓଭର ଖେଳ ସମ୍ଭବ ହୋଇଥିଲା ବେଳେ ଅବଶିଷ୍ଟ ୪ ଦିନ ଗୋଟିଏ ବି ବଲ୍‌ ବୋଲିଂ ନହୋଇ ବାତିଲ ହୋଇଥିଲା। ପଡ଼ିଆ ଓଦା କାରଣରୁ କ୍ରମାଗତ ଚତୁର୍ଥ ଦିନ ଧରି ଆଦୌ ଖେଳ ହୋଇନଥିଲା। ବିଶେଷକରି ଏହି ୪ ଦିନ ମଧ୍ୟରେ ବହୁ ସମୟ ଧରି ପାଗ ଶୁଖିଲା ଏବଂ ସୂର୍ଯ୍ୟାଲୋକ ସତ୍ତ୍ୱେ ମ୍ୟାଚ୍‌ ବାତିଲ ହେବାକୁ ସହଜରେ ଗ୍ରହଣ କରାଯାଇନାହିଁ। ତେଣୁ ଏହି ଟେଷ୍ଟ ବାତିଲ ହେବାର କାରଣ ଖୋଜିବା ପାଇଁ ତ୍ରିନିଦାଦ୍‌ ଓ ଟବାଗୋ ବୋର୍ଡ ତଦନ୍ତ ଆରମ୍ଭ କରିଛି। ପଡ଼ିଆ ଦାୟିତ୍ୱରେ ଥିବା କର୍ମଚାରୀମାନେ ପ୍ରବଳ ପ୍ରୟାସ କରିବା ସତ୍ତ୍ୱେ କାହିଁକି ପିଚ୍‌ ଖେଳ ଉପଯୋଗୀ ହୋଇପାରିଲା ନାହିଁ ତାହାର ତଦନ୍ତ ଆରମ୍ଭ କରିଛି ବୋର୍ଡ।  ଏହି ଟେଷ୍ଟ ବାତିଲ ହୋଇଯିବା ଯୋଗୁଁ ଭାରତ ଯଦିଓ କାରବୀୟ ରାଷ୍ଟ୍ରରେ ପ୍ରଥମ ଥର ଲାଗି ଗୋଟିଏ ଶୃଙ୍ଖଳାରେ ଏକାଧିକ ଟେଷ୍ଟ ଜିତିବାର ଗୌରବ ପାଇଥିଲା, ତଥାପି ଅଯଥାରେ ଆଇସିସି ମାନ୍ୟତାର ଶୀର୍ଷ ସ୍ଥାନ ହରାଇଲା। ଏଥିପାଇଁ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଏକରକମ କ୍ଷୁବ୍‌ଧ ହୋଇଛି। ଉଭୟ ବୋର୍ଡ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବାକୁ ବୁଝାମଣା ହୋଇଥିଲା। ଏହାର ବଦଳରେ ୨୦୧୪ରେ କିଛି ଖେଳାଳିଙ୍କ ବିବାଦ ଯୋଗୁଁ େଓ୍ଵଷ୍ଟଇଣ୍ଡିଜ୍‌ ଦଳ ତା’ର ଭାରତ ଗସ୍ତ ଅଧାରୁ ବାତିଲ କରିଥିବା ଯୋଗୁ େଓ୍ଵଷ୍ଟଇଣ୍ଡିିଜ୍‌ କ୍ରିକେଟ୍‌ ବୋର୍ଡଠୁ ବିପୁଳ ପରିମାଣର କ୍ଷତିପୂରଣ ଦାବିରୁ ବିସିସିଆଇ ଓହରି ଯାଇଥିଲା। ହେଲେ ପୂରା ଗୋଟିଏ ଟେଷ୍ଟ ବାତିଲ ହୋଇଯିବା ଏବଂ ଆଇସିସି ଶୀର୍ଷ ମାନ୍ୟତା ହରାଇବା ବିସିସିଆଇକୁ ଖୁବ୍‌ ବାଧିଛି। ଅନ୍ୟପକ୍ଷରେ ପୋର୍ଟ ଅଫ୍‌ ସ୍ପେନ୍‌ର କୁଇନ୍‌ସ ପାର୍କ ଓଭାଲ୍‌ ପଡ଼ିଆରେ ୫ ଦିନିଆ ଟେଷ୍ଟର ମାତ୍ର ୨୨ ଓଭର ଖେଳ ସମ୍ଭବ ହୋଇଥିବାରୁ ଏନେଇ ଆୟୋଜକ ତ୍ରିନିଦାଦ୍‌ ଓ ଟବାଗୋ ବୋର୍ଡ ଏବଂ କୁଇନ୍‌ସ ପାର୍କ କ୍ରିକେଟ୍‌ କ୍ଲବ୍‌ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଆମେ ମିଳିତ ଭାବେ ଏଭଳି ଘଟଣାର ତଦନ୍ତ କରୁଛୁ।  କ’ଣ ପାଇଁ ଏଭଳି ପରିସ୍ଥିତି ଉପୁଜିଲା ତାହାର କାରଣ ଖୋଜିବା ସାଙ୍ଗକୁ ଭବିଷ୍ୟତରେ କିପରି ଏହାର ପୁନରାବୃତ୍ତି ନହେବ ସେନେଇ ବାଟ ବାହାର କରିବୁ ବୋଲି ତ୍ରିନିଦାଦ୍‌ ଓ ଟବାଗୋ ବୋର୍ଡ ସଭାପତି ଆଜିମ୍‌ ବାସାରଥ୍‌ ଏକ ବିବୃତିରେ କହିଛନ୍ତି। ଏହି ତଦନ୍ତ ଶେଷ କରିବା ପରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଆମେ େଓ୍ଵଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ବୋର୍ଡକୁ ପ୍ରଦାନ କରିବୁ ବୋଲି ବାସାରଥ୍‌ କହିଛନ୍ତି। ତେବେ ବାସାରଥ୍‌ ତଦନ୍ତ କେବେ ଶେଷ ହେବ ସେନେଇ ନିର୍ଦିଷ୍ଟ କିଛି ସମୟର ସଂକେତ ଦେଇନାହାନ୍ତି। ଆଉ ଏହାର ତଦନ୍ତ ଯେଉଁ ବାଟରେ ଯାଉ ନା କାହିଁକି, ଭବିଷ୍ୟତରେ କୌଣସି ଆନ୍ତର୍ଜାତିକ ମ୍ୟାଚ୍‌ ଆୟୋଜନ ଅଧିକାର ପାଇବା କୁଇନ୍‌ସ ପାର୍କ କ୍ରିକେଟ୍‌ କ୍ଲବ୍‌ ପାଇଁ ଅନିଶ୍ଚିତତା ସୃଷ୍ଟି କରିଛି ବୋଲି ବାସାରଥ୍‌ କହିଛନ୍ତି।

image