17 January 2017
12:46:30 AM
Sambad News
ଖେଳ

ଜୈସାଙ୍କ ଅଭିଯୋଗରେ ଜବାବ ମାଗିଲେ କ୍ରୀଡ଼ାମନ୍ତ୍ରୀ

By Sambad | Date: Aug 24 2016 8:20AM
ଜୈସାଙ୍କ ଅଭିଯୋଗରେ ଜବାବ ମାଗିଲେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍ସର ମାରାଥନ ଦୌଡ଼ବେଳେ ଭାରତୀୟ ଅଧିକାରୀଙ୍କ ଦ୍ୱାରା ଚରମ ଅବହେଳାର ଶିକାର ହୋଇଥିବା ଧାବିକା ଓପି ଜୈସାଙ୍କ ମାମଲା ମଙ୍ଗଳବାର ନୂଆ ମୋଡ଼ ନେଇଛି। ଜୈସାଙ୍କ ଚାଞ୍ଚଲ୍ୟକର ଅଭିଯୋଗ ପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଏହି ମାମଲାର ଆନୁଷ୍ଠାନିକ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି। ଚାରିଆଡ଼ୁ ସମାଲୋଚନା ଓ ଚାପର ସମ୍ମୁଖୀନ ହେବା ପରେ କ୍ରୀଡ଼ା ମନ୍ତ୍ରୀ ବିଜୟ ଗୋଏଲ ଆଜି ଏହି ମାମଲାର ତଦନ୍ତ ଲାଗି ଦୁଇ ଜଣିଆ ସମିତି ଗଠନ କରିଛନ୍ତି। କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ଓଂକାର କେଡିଆ ଏବଂ ନିର୍ଦେଶକ ବିବେକ ନାରାୟଣ ଏହାର ସଦସ୍ୟ ଅଛନ୍ତି। ସମିତି ତା’ର ତଦନ୍ତ ବିବରଣୀ ସପ୍ତାହକ ମଧ୍ୟରେ ଦେବାକୁ ଗୋଏଲ ନିର୍ଦେଶ ଦେଇଛନ୍ତି।  ସମିତି ଜୈସାଙ୍କୁ ପାଣି ଦିଆ ଯାଇ ଥିଲା କି ନାହିଁ ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ।
 
ରିଓ ଅଲିମ୍ପିକ୍ସରେ ମହିଳା ମାରାଥନର ୮୯ତମ ସ୍ଥାନରେ ରହିଥିବା ଜୈସା ସ୍ୱଦେଶ ଫେରିବା ପରେ ଭାରତୀୟ ଅଧିକାରୀଙ୍କ ବିରୋଧରେ ସୋମବାର କେତେକ ସଂଗୀନ ଅଭିଯୋଗ ଆଣିଥିଲେ। ଏହାର ଦିନକ ପରେ ହିଁ କ୍ରୀଡ଼ାମନ୍ତ୍ରୀ ମାମଲାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଯାହା ଫଳରେ ସତ ବାହାରକୁ ଆସିବାର ଆଶା ସଂଚାର ହୋଇଛି। ସେପଟେ ଜୈସାଙ୍କ ସବୁ ଅଭିଯୋଗକୁ ସର୍ବଭାରତୀୟ ଦୌଡ଼କୁଦ ସଂଘ ଖଣ୍ଡନ କରିଛି।
 
ସୋମବାର ଭାରତ ପହଞ୍ଚିବା ପରେ ଜୈସା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ ମାରାଥନ ଦୌଡ଼ ବେଳେ ଭାରତୀୟ ଅଧିକାରୀମାନେ ମୋତେ ପାଣି ମୁନ୍ଦାଏ ଦେଇ ନଥିଲେ। ବିପଜ୍ଜନକ ଦୌଡ଼ ହୋଇଥିଲେ ମଧ୍ୟ ଅଧିକାରୀମାନେ ମୋ ପାଇଁ କୌଣସି ବ୍ୟବସ୍ଥା କରି ନ ଥିଲେ। ଭାରତୀୟ ମଞ୍ଚରେ ଜଣେ ହେଲେ ବି ଅଧିକାରୀ ନ ଥିଲେ। ସ୍ଥାନୀୟ ମାରାଥନରେ ମଧ୍ୟ ଏସବୁ ମୈଳିକ ବ୍ୟବସ୍ଥା ହୋଇ ଥାଏ।  ଜଣେ ମାରାଥନ ପ୍ରତିଯୋଗୀ ପାଇଁ ଏହା ନିତାନ୍ତ ଅପରିହାର୍ଯ୍ୟ। ହେଲେ ରିଓରେ ଏହା ଖାଲି ପଡ଼ିଥିଲା। ପାଣି ନ ମିଳିବାରୁ ମୋ ଜୀବନ ଚାଲି ଯିବାର ଆଶଙ୍କା ଥିଲା । ନିଜ ଅଭିଜ୍ଞତା ବର୍ଣ୍ଣନା କଲା ବେଳେ ସେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ଯାହାକୁ ନେଇ ଭାରତୀୟ କ୍ରୀଡ଼ା ଜଗତରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଅଧିକାରୀଙ୍କ ଦାୟିତ୍ୱହୀନତା ଏବଂ ଖେଳାଳିଙ୍କ ପ୍ରତି ଏଭଳି ମନୋଭାବକୁ ବହୁ ପୂର୍ବତନ ଖେଳାଳି ଖୋଲା ସମାଲୋଚନା କରିଥିଲେ।
 
ଜୈସା କୋହଭରା କଣ୍ଠରେ ଆହୁରି କହିଥିଲେ ଯେ ମାରାଥନ ନିୟମ ଅନୁସାରେ ଆୟୋଜକମାନେ ମୋତେ ପାଣି ଓ ଶକ୍ତିବର୍ଦ୍ଧକ ତରଳ ଦେବା ଲାଗି ନିର୍ଦିଷ୍ଟ ସ୍ଥାନ ନିରୂପଣ କରି ସାରିଥିଲେ। ଏହି ବିଷୟରେ ଭାରତୀୟ ଅଧିକାରୀଙ୍କୁ ଜଣାଇ ଦେଇଥିଲେ। ହେଲେ ମୁଁ ଦୌଡ଼ିଲା ବେଳେ ସେହି ସ୍ଥାନମାନଙ୍କରେ କେହି ନ ଥିଲେ। କେବଳ ୮ କିଲୋମିଟରର ବ୍ୟବଧାନରେ ଆୟୋଜକମାନେ ଯାହା  ପାନୀୟ ଜଳ ଯୋଗାଉଥିଲେ। ଅନ୍ୟ ଦେଶଗୁଡ଼ିକ ସେମାନଙ୍କ ଖେଳାଳିଙ୍କ ପାଇଁ ପ୍ରତି ୨ କିଲୋମିଟରରେ ଜଳ ଯୋଗାଣର ବ୍ୟବସ୍ଥା କରିଥିଲେ। ହେଲେ ଆମ ଦେଶ ପାଇଁ ଥିବା ସ୍ଥାନ ଖାଲି ପଡ଼ିଥିଲା।  ସେଥିପାଇଁ ମୁଁ  ମରୁ ମରୁ ବଞ୍ଚି ଯାଇଥିଲି।
ସୂଚନାଯୋଗ୍ୟ ଯେ ରିଓରେ ମହିଳା ମାରାଥନ ଦୌଡ଼ ସକାଳ ୯ଟାରେ ଆରମ୍ଭ ହୋଇଥିଲା। ସେତେବେଳେ ସେଠାରେ ଅସହ୍ୟ  ଗରମ ହେଉଥିଲା। ଫଳରେ ଜୈସା ମୁନ୍ଦାଏ ପାଣି ପାଇଁ ଡହଳ ବିକଳ ହୋଇ ଯାଇଥିଲେ। ତାଙ୍କ ଶରୀରରୁ ଜଳୀୟ ଅଂଶ ଅସ୍ୱାଭାବିକ ଭାବେ କମି ଯାଇଥିଲା। ସ୍ଥିତି ଏମିତି ଥିଲା ଯେ ଅନ୍ତିମ ରେଖା ପାର ହେବା ପରେ ସେ ବେହୋସ ହୋଇ ତଳେ ପଡ଼ି ଯାଇଥିଲେ। ତତକ୍ଷଣାତ୍‌ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା। ସେଠାରେ ଚିକିତ୍ସିତ ହେବା ପରେ ଯାଇ ସେ କ୍ରୀଡ଼ାଗ୍ରାମକୁ ଫେରି ଥିଲେ। ଜୈସାଙ୍କ ଅବସ୍ଥା ଦେଖି ତାଙ୍କ ପ୍ରଶିକ୍ଷକ ନିକୋଲାଇ ସେସାରେଭ୍‌ ଏତେ ଭୟଭୀତ ହୋଇ ଯାଇଥିଲେ ଯେ କ୍ରୀଡ଼ାଗ୍ରାମ ଡାକ୍ତରଖାନାରେ ଉପସ୍ଥିତ ମହିଳା ଡାକ୍ତରଙ୍କୁ ଠେଲା ପେଲା କରିବାକୁ ପଛାଇ ନ ଥିଲେ। ଡାକ୍ତର ତାଙ୍କୁ ଭିତରକୁ ଯିବାକୁ ବାରଣ କରିବା ପରେ ସେସାରେଭ୍‌ ତାଙ୍କୁ ଠେଲି ଦେଇ ଜୈସାଙ୍କ ସହ ସହ ଡାକ୍ତରଖାନା ଭିତରକୁ ଚାଲି ଯାଇଥିଲେ। ଏହି ଘଟଣା ପାଇଁ ରିଓ ପୁଲିସ୍‌ ତାଙ୍କୁ ୪ ଘଣ୍ଟା କାଳ ଥାନାରେ ଅଟକ ରଖିଥିଲା। ଭାରତୀୟ ଦୂତାବାସର ହସ୍ତକ୍ଷେପ ପରେ ଯାଇ ସେ ମୁକୁଳିଥିଲେ।
 
ହେଲେ (ଏଏଫ୍‌ଆଇ)ର ସଂପାଦକ ସିକେ ଭାଲସାନ୍‌ ଖେଳାଳିଙ୍କୁ ପୃଥକ ଭାବେ ପାନୀୟ ଓ ଶକ୍ତିବର୍ଦ୍ଧକ ତରଳ ଯୋଗାଇ ଦେବା ନିୟମ ବିଷୟରେ ଜାଣି ନ ଥିବା କହିଛନ୍ତି। ବରଂ ଜୈସା ମିଛ କହୁଥିବା ସେ ଲଜ୍ଜାଜନକ ଭାବେ କହିଛନ୍ତି। ତା’ଛଡ଼ା ଖେଳାଳିଙ୍କୁ ପାନୀୟ ଜଳ ଯୋଗାଇବାର ଦାୟିତ୍ୱ ଆୟୋଜକଙ୍କର ବୋଲି ମଧ୍ୟ ସେ କହିଛନ୍ତି। ଭାଲସାନଙ୍କ ଖାମଖିଆଲି ମନ୍ତବ୍ୟରେ ଜୈସା ବିସ୍ମୟ ପ୍ରକଟ କରିଛନ୍ତି । ସେ କହିଛନ୍ତି, ସମ୍ଭବତଃ ଲୋକମାନେ ଜାଣି ପାରୁ ନାହାନ୍ତି ଯେ ମାରାଥନରେ ଜଣେ ଖେଳାଳିକୁ ୪୨ କିଲୋମିଟର ଦୌଡ଼ିବାକୁ ପଡ଼ିଥାଏ। ଏହା କେତେ କଷ୍ଟକର ସେମାନେ ଅନୁଭବ କରି ପାରୁ ନାହାନ୍ତି। ଅନ୍ୟ ଦେଶଠାରୁ ଆମେ ଅନେକ କିଛି ଶିଖିବାର ଅଛି।