30 March 2017
8:14:59 AM
Sambad News
ଖେଳ

ଓସିଏରେ ସିବିଆଇର ମାରାଥନ୍‌ ଜେରା

କ୍ରିକେଟ୍‌ ପାଇଁ ବୟସ ଜାଲିଆତି ପ୍ରସଙ୍ଗ

By Sambad | Date: Aug 24 2016 7:33AM
ଓସିଏରେ ସିବିଆଇର ମାରାଥନ୍‌ ଜେରା

କଟକ: ଓସିଏ ବୟସ ଜାଲିଆତି ଘଟଣାର ତଦନ୍ତ କରୁଥିବା ସିବିଆଇ ଆଜି ପ୍ରାୟ ୨୩ ଜଣ କ୍ରିକେଟ୍‌ ଖେଳାଳି ଏବଂ ବିଭିନ୍ନ ମେଡ଼ିକାଲ୍‌ କର୍ତୃପକ୍ଷଙ୍କୁ ମାରାଥନ୍‌ ଜେରା କରିଛି। ଓସିଏ କ୍ଲବ୍‌ରେ ସିବିଆଇର ତିନି ଜଣିଆ ଟିମ୍‌ ଜଣକ ପରେ ଜଣେ ଖେଳାଳିଙ୍କୁ ଡାକି ଜାଲ୍‌ ଜନ୍ମ ସାର୍ଟିଫିକେଟ୍‌ ସଂପର୍କରେ ଜେରା କରିଛନ୍ତି। ତା’ସାଂଗକୁ ସଂପୃକ୍ତ ଖେଳାଳିଙ୍କୁ ଟିଡବ୍ଲ୍ୟୁ-୩ ଟେଷ୍ଟ ରିପୋର୍ଟ ଦେଇଥିବା ତିନି ହସ୍ପିଟାଲ୍‌ କର୍ତୃପକ୍ଷଙ୍କୁ ମଧ୍ୟ ଜେରା କରିଛି। ସିଟି ହସ୍ପିଟାଲ୍‌, ଶାନ୍ତି ହସ୍ପିଟାଲ୍‌ ଏବଂ ସନ୍‌ ହସ୍ପିଟାଲର ଅଧିକାରୀ ତଥା କର୍ତ୍ତୃପକ୍ଷଙ୍କୁ ଡାକି ସେମାନଙ୍କ ଠାରୁ ତଥ୍ୟ ଆଦାୟ କରାଯାଇଛି। ବୟାଳିଶମୌଜା ସିଏଚ୍‌ସିକୁ ଯାଇ ମଧ୍ୟ ସିବିଆଇ ଅଧିକାରୀମାନେ କେତେକ ତଥ୍ୟ ପାଇଁ ଖୋଳତାଡ କରିଛନ୍ତି। ଆଜି ସିବିଆଇ ଅଧିକାରୀ ଖେଳାଳିମାନଙ୍କୁ ଜେରା କରିବା ସମୟରେ ସେମାନେ ଯେଉଁ ତଥ୍ୟ ଦେଇଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। କେତେକ ଖେଳାଳି କହିଥିଲେ ଯେ ଆମ ପୂର୍ବରୁ ବି ଏମିତି ବୟସ କମ କରି ଅନେକ ଖେଳାଳି ଖେଳିଥିବା ଆମେ ଶୁଣିଛୁ। କ୍ରିକେଟ ଖେଳ ସହ ସଂପୃକ୍ତ ଥିବା ପରଲୋକଗତ ବ୍ୟକ୍ତିଙ୍କ ନାଁ ନେଇ ସେମାନେ କହିଥିଲେ ଯେ ତାଙ୍କ ପରାମର୍ଶରେ ଆମେ ଏପରି କରିଥିଲୁ। ଖେଳାଳିମାନଙ୍କ ଏ ପ୍ରକାର ବୟାନ ଏବେ ଅନେକ ପୁରୁଣା ଖେଳାଳି ଓ କ୍ରିକେଟ ସହ ଜଡିତ ବ୍ୟକ୍ତି ବିଶେଷଙ୍କୁ ଜେରାକୁ ଟାଣିବାର ଆଶଙ୍କା ସୃଷ୍ଟି କରିଛି। ଖେଳାଳିଙ୍କ ଜନ୍ମ ସାର୍ଟିଫିକେଟ୍‌ ସଂପର୍କରେ ଗତକାଲି ସିଏମ୍‌ସିରେ ରେକର୍ଡ ଯାଞ୍ଚ୍‌ କରି ଜାଲିଆତି ଧରିବା ପରେ ଆଜି ସିବିଆଇ ଅଧିକାରୀ ଜାଲ୍‌ ସାର୍ଟିଫିକେଟ୍‌ ଥିବା ଖେଳାଳିଙ୍କ ସମେତ ତିନି ହସ୍ପିଟାଲ୍‌ କର୍ତୃପକ୍ଷଙ୍କୁ ଜେରା କରିଛନ୍ତି। ଆଜି ରାତି ପାଖାପାଖି ୯ଟା ଯାଏଁ ଏହି ଜେରା ଚାଲିଥିଲା। ଆସନ୍ତାକାଲି ଅନ୍ୟ ଖେଳାଳିଙ୍କ ପରେ ଓସିଏ ଅଧିକାରୀଙ୍କୁ ଜାଲିଆତି ସଂକ୍ରାନ୍ତରେ ପଚରାଉଚରା କରାଯିବାର ଯୋଜନା ରହିଥିବା ସୂଚନା ମିଳିଛି।

 
ଓସିଏରେ ଜାଲ୍‌ ଜନ୍ମସାର୍ଟିଫିକେଟ୍‌ ବଳରେ ବହୁ ଖେଳାଳି ସେମାନଙ୍କ ବୟସକୁ କମ୍‌ କରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଖେଳୁଥିବା ନେଇ ଅଭିଯୋଗ ହୋଇଥିଲ। ଅଭିଯୋଗ ଆଧାରରେ ଜୁନ୍‌ ୨୩ ତାରିଖରେ ସିବିଆଇ ୩୬ଜଣ କ୍ରିକେଟରଙ୍କ ଜନ୍ମ ସାର୍ଟିଫିକେଟ୍‌ ରେକର୍ଡ ଯାଞ୍ଚ୍‌ କରି ରିପୋର୍ଟ ଦେବାକୁ ସିଏମ୍‌ସିକୁ ଚିଠି ଲେଖିଥିଲା। ସିଏମ୍‌ସି କର୍ତୃପକ୍ଷ ଜୁନ୍‌ ୨୭ତାରିଖରେ ସଂପୃକ୍ତ ୩୬ଜଣଙ୍କ ମଧ୍ୟରୁ ୩୩ଟି ସାର୍ଟିଫିକେଟ୍‌ ଜାଲ୍‌ ଏବଂ ୩ଟି ଠିକ୍‌ ବୋଲି ରିପୋର୍ଟ ଦେଇଥିଲା। ସେହି ଆଧାରରେ ସିବିଆଇର ଜଣେ ଅଧିକାରୀ ସୋମବାର ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗରେ ପହଞ୍ଚି ଜାଲ୍‌ ଜନ୍ମ ସାର୍ଟିଫିକେଟ୍‌ଧାରୀ ଖେଳାଳିଙ୍କ ରେକର୍ଡ ଯାଞ୍ଚ୍‌ କରିଥିଲା। ଯାଞ୍ଚ୍‌ରେ ସାର୍ଟିଫିକେଟ୍‌ ଜାଲ୍‌ ବୋଲି ସ୍ପଷ୍ଟ ହେବା ପରେ ଆଜି ଓସିଏ କ୍ଲବ୍‌ରେ ସିବିଆଇର ତିନି ଜଣିଆ ଟିମ୍‌ ପ୍ରଥମେ ଅଧିକାଂଶ ଖେଳାଳିଙ୍କୁ ଟିଡବ୍ଲ୍ୟୁ-୩ଟେଷ୍ଟ୍‍ ରିପୋର୍ଟ ଦେଇଥିବା ତିନି ମେଡ଼ିକାଲ୍‌ କର୍ତୃପକ୍ଷଙ୍କୁ ଜେରା କରିିଥିଲା। ଏହା ପରେ ଜଣକ ପରେ ଜଣେ ଖେଳାଳିଙ୍କୁ ଡକାଯାଇ ସେମାନଙ୍କ ଜାଲ୍‌ ସାର୍ଟିଫିକେଟ୍‌ ସଂପର୍କରେ ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପଚରା ଯାଉଛି।  ବିଳମ୍ବିତ ରାତି ଯାଏଁ ଏହି ଜେରା ଚାଲିବ। ତେବେ ତଥାକଥିତ ଏହି ଖେଳାଳିଙ୍କ ମଧ୍ୟରୁ ଯେଉଁମାନଙ୍କ ଟିଡବ୍ଲ୍ୟୁ-୩ ଟେଷ୍ଟ ରିପୋର୍ଟ ବାହାର ନର୍ସିଂହୋମ୍‌ ଅଥବା ମେଡ଼ିକାଲ୍‌ରେ ହୋଇଛି, ସଂପୃକ୍ତ କର୍ତୃପକ୍ଷ ମଧ୍ୟ ପରବର୍ତି ସମୟରେ ଜେରାର ସମ୍ମୁଖୀନ ହେବେ। ତା’ଛଡ଼ା ଏଭଳି ବୟସ ଜାଲିଆତି ଘଟଣାରେ ଓସିଏ ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରରେ ଥିବାରୁ ସେମାନଙ୍କୁ ବି ସିବିଆଇ ପଚରାଉଚରା କରିବ ବୋଲି ଜଣାପଡ଼ିଛି।
 
କଳାହାଣ୍ଡି କପ୍‌ରେ କଟକ ଏ’ ଓ କଟକ ବି’ ଦଳରେ ବୟସାଧିକ ଖେଳାଳି ଖେଳିଥିବାବେଳେ ଓଡ଼ିଶା ୧୬ ଓ ୧୯ ବର୍ଷରୁ କମ୍‌ ଦଳରେ ମଧ୍ୟ ବୟସ କମ୍‌ କରି ଖେଳୁଥିବା ଖେଳାଳିଙ୍କୁ ସୁଯୋଗ ଦିଆଯାଇଥିଲା। ଫଳରେ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ କଟକ ଜିଲ୍ଲାପାଳ, ଓସିଏ ସଭାପତି, ସଂପାଦକ, ରାଜ୍ୟ କ୍ରୀଡ଼ା ସଚିବ, କ୍ରୀଡ଼ା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିସିଆଇ ସଭାପତି, ସଂପାଦକ, ସିବିଆଇ ନିକଟରେ ଅଭିଯୋଗ କରିଥିଲା। ପରେ ସିବିଆଇ ଏହା ଉପରେ ଓସିଏ ନିକଟରୁ ତଥ୍ୟ ଲୋଡିଥିଲା। ଓସିଏ ପକ୍ଷରୁ ୪୩ ଜଣ ଖେଳାଳିଙ୍କ ବାବଦରେ ସିବିଆଇକୁ ସଂପୃକ୍ତ କାଗଜପତ୍ର ପଠାଯାଇଥିଲା। ତଦନୁଯାୟୀ ସିବିଆଇ ବର୍ତମାନ ତଦନ୍ତ ଚଳାଇଥିବା ବେଳେ ପ୍ରଥମ ଦଫାରେ ଜାଲ୍‌ କଟକ ମହାନଗର ନିଗମର ଜନ୍ମ ସାର୍ଟିଫିକେଟ୍‌ ଥିବା ଖେଳାଳିଙ୍କୁ ଜେରା ଚାଲିଛି। ଏହାପରେ ଜଗତସିଂହପୁର ପୌରପାଳିକ ଏବଂ ବୁର୍ଲା ବିଜ୍ଞପିତ ପରିଷଦର ଥିବା ସାଟିଫିକେଟ୍‌କୁ ସେଠାକୁ ଯାଇ ଯାଞ୍ଚ୍‌ କରିବେ। ତେବେ ଜାଲ୍‌ ଜନ୍ମ ସାର୍ଟିଫିକେଟ୍‌ ପ୍ରମାଣ ଲାଗିସାରିଥିବାରୁ ଏବେ ସଂପୃକ୍ତ ଖେଳାଳିଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଚାଲି ଯାଇଛି।