01 March 2017
11:16:02 PM
Sambad News
ଖେଳ

ଓଡ଼ିଶା ବାସ୍କେଟ୍‌ବଲ୍‌ରେ ନୂଆ ଇତିହାସ

ପ୍ରଥମ ଥର ଜାତୀୟ ପ୍ରତିଯୋଗିତା ପୁଲ୍‌ ବିଜେତା

By Sambad | Date: Jan 11 2017 1:00AM
ଓଡ଼ିଶା ବାସ୍କେଟ୍‌ବଲ୍‌ରେ ନୂଆ ଇତିହାସ

ଭୁବନେଶ୍ୱର: ପୁଡୁଚେରୀରେ ଚାଲିଥିବା ୬୭ତମ ଜାତୀୟ ବାସ୍କେଟ୍‌ବଲ ପ୍ରତିଯୋଗିତାରେ ମଙ୍ଗଳବାର ଓଡ଼ିଶା ନୂଆ ଇତିହାସ ରଚିଛି। ରାଜ୍ୟର ପୁରୁଷ ଦଳ ପ୍ରଥମ ଥର ପାଇଁ ନିଜ ପୁଲ୍‌ରେ ବିଜେତା ହୋଇ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ପୂର୍ବରୁ ପୁଲ୍‌ରେ ହାରି ଲୁଜର୍ସ ଗ୍ରୁପ୍‌ରେ ଖେଳୁଥିବା ଓଡ଼ିଶା ପ୍ରଥମ ଥର ପାଇଁ ଶୀର୍ଷ ଗ୍ରୁପ୍‌କୁ (ଲେବୁଲ୍‌-୧) ଉଠିବାର ସୁଯୋଗ ସୃଷ୍ଟି କରିଛି। ମଙ୍ଗଳବାର ଓଡ଼ିଶା ପୁଲ୍‌ ‘ଇ’ର ଏକ ମ୍ୟାଚ୍‌ରେ ଉତ୍ତରପ୍ରଦେଶକୁ ୭୪-୫୪ରେ ହରାଇଥିଲା। ଓଡ଼ିଶା ପକ୍ଷରୁ କେ ଶ୍ରବଣ କୁମାର ସର୍ବାଧିକ ୨୦ ପଏଣ୍ଟ୍‌ ସ୍କୋର୍‌ କରିଥିବାବେଳେ ସାହିଦ୍‌ ଖାନ୍‌ ୧୮, ଶଶୀକାନ୍ତ ମହାନ୍ତି ଓ ଅଶୋକ କୁମାର ନାୟକ ୧୩ ପଏଣ୍ଟ୍‌ ଲେଖାଏଁ ଦେଇଥିଲେ।

ଓଡ଼ିଶା ପ୍ରଥମ ୨ କ୍ୱାର୍ଟରରେ ୧୯-୧୧, ୨୧-୧୦ରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ମଧ୍ୟ ପରବର୍ତୀ ଦୁଇଟିରେ ଉତ୍ତରପ୍ରଦେଶ ଲଢ଼ୁଆ ଖେଳିଥିଲା। କିନ୍ତୁ ଏହି ଦୁଇ କ୍ୱାର୍ଟରରେ ଓଡ଼ିଶା ୧୭-୧୬, ୧୭-୧୭ରେ ଅଭିଯାନ ଶେଷ କରି ପଛରେ ପଡ଼ିନଥିଲା। ଓଡ଼ିଶା ଲେବୁଲ୍‌-୨ ଅନ୍ତର୍ଗତ ଏହି ପୁଲ୍‌ ‘ଇ’ରେ ମୋଟ ୪ରୁ ୪ ଜିତି ନକ୍‌ ଆଉଟ୍‌ ଉଠିବା ଭଲ ସଫଳତା ବୋଲି କହିଛନ୍ତି ଓଡ଼ିଶା ବାସ୍କେଟ୍‌ବଲ୍‌ ସଂଘ ସମ୍ପାଦକ ଜ୍ଞାନରଂଜନ ପରିଡ଼ା। ଭଲ ପିଲା ଅଛନ୍ତି ଏବଂ ବର୍ଷ ସାରା ଅଭ୍ୟାସ କରୁଥିବାରୁ ଦଳକୁ ସଫଳତା ମିଳିଛି। ଖେଳାଳିଙ୍କୁ ସମର୍ଥନ କରିବା ଏବଂ ଖେଳାଇପାରିବା ବଡ଼ କଥା ବୋଲି କହିଥିଲେ ଏହି କ୍ରୀଡ଼ା ଓ ଯୁବସେବା ବିଭାଗ ଅଧିକାରୀ।

ନକ୍‌ ଆଉଟ୍‌ରେ ଦଳ ବିଜୟୀ ହେଉ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ନିଜ ପୁଲ୍‌ରେ ଓଡ଼ିଶା ସବୁ (୪/୪) ମ୍ୟାଚ୍‌ ଜିତି ଶୀର୍ଷରେ ଅଭିଯାନ ଶେଷ କରିଛି। ଜମ୍ମୁ ଓ କଶ୍ମୀର, ମହାରାଷ୍ଟ୍ର ଏବଂ ଅରୁଣାଚଳ ପ୍ରଦେଶକୁ ହରାଇବା ପରେ ମଙ୍ଗଳବାର ଉତ୍ତରପ୍ରଦଶେକୁ ମାତ ଦେଇ ନୂଆ ସୋପାନରେ ପାଦ ଥାପିଛି। ବୁଧବାର ଦଳ ପ୍ରଥମ ନକ୍‌ ଆଉଟ୍‌ ମ୍ୟାଚ୍‌ରେ ପଣ୍ଡିଚେରୀକୁ ଭେଟିବ। ପଣ୍ଡିଚେରୀ ପୁଲ୍‌ ‘ଡି’ ବିଜେତା ଭାବେ ଯୋଗ୍ୟତା ଅର୍ଜନ କରିଛି। ସୂଚନାଯୋଗ୍ୟ, ଦେଶର ଶୀର୍ଷ ୧୦ ଦଳ ଲେବୁଲ୍‌ ‘ଏ’ରେ ଦୁଇଟି ପୁଲ୍‌ (ଏ, ବି)ରେ ରହିଥିବାବେଳେ ଅନ୍ୟ ରାଜ୍ୟଗୁଡ଼ିକୁ ଲେବୁଲ୍‌-୨ (ସି,ଡି,ଇ,ଏଫ୍‌)ରେ ସ୍ଥାନିତ ହୋଇ ଖେଳିଥାନ୍ତି।

ଅନ୍ୟପକ୍ଷରେ ଓଡ଼ିଶା ମହିଳା ଦଳ ମଧ୍ୟ ମଙ୍ଗଳବାର ବିଜୟୀ ହୋଇଛି। ଏକ ପୁଲ୍‌ ମ୍ୟାଚ୍‌ରେ ଜୟଶ୍ରୀ ବାସ୍କେ (୧୪ ) ଏବଂ ରାଜଶ୍ରୀ ସ୍ୱାଇଁ (୧୪), ଉର୍ବଶୀ ମଲ୍ଲିକ (୧୨)ଙ୍କ ସହାୟତାରେ ଓଡ଼ିଶା ମହିଳା ୫୨-୩୨ ପଏଣ୍ଟ୍‌ରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଥିଲା।