17 January 2017
2:18:03 PM
Sambad News
ଖେଳ

ପାର୍ଥିବ ଓ ମନପ୍ରୀତଙ୍କ ଅର୍ଧଶତକ, ଆଗେଇଲା ଗୁଜରାଟ

By Sambad | Date: Jan 12 2017 1:01AM
ପାର୍ଥିବ ଓ ମନପ୍ରୀତଙ୍କ ଅର୍ଧଶତକ, ଆଗେଇଲା ଗୁଜରାଟ

ଇନ୍ଦୋର: ସ୍ଥାନୀୟ ହୋଲକର ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲରେ ଗୁଜରାଟ ପ୍ରଥମ ପାଳିରେ ଆଗୁଆ ହୋଇ ଯାଇଛି। ୪୨ତମ ଟ୍ରଫି ବିଜୟ ଲକ୍ଷ୍ୟରେ ଥିବା ଶକ୍ତିଶାଳୀ ମୁମ୍ବାଇର ୨୨୮ ରନ୍‌ ଜବାବରେ ଗୁଜରାଟ ବୁଧବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୬ ଓ୍ଵିକେଟ୍‌ ବିନିମୟରେ ୨୯୧ ରନ୍‌ କରି ନେଇଛି। ଫଳରେ ହାତରେ ଅହୁରି ୪ ଓ୍ଵିକେଟ୍‌ ବାକି ଥାଇ ଏହି ଦଳ ଆଜିର ଷ୍ଟମ୍ପ ଅପସାରଣ ସୁଦ୍ଧା ୬୩ ରନ୍‌ରେ ଆଗୁଆ ରହିଛି। ଦୀର୍ଘ ୬୬ ବର୍ଷର ବ୍ୟବଧାନ ପରେ ରଣଜୀ ଫାଇନାଲ୍‌କୁ ଯାଇଥିବା ଗୁଜରାଟକୁ ଦୃଢ଼ ସ୍ଥିତିରେ ପହଞ୍ଚାଇବାରେ ଅଧିନାୟକ ପାର୍ଥିବ ପଟେଲ (୯୦ ରନ୍‌, ୧୪୬ ବଲ୍‌, ୧୨ ଚୌକା) ଏବଂ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ମନପ୍ରୀତ ଜୁନେଜା (୭୭ ରନ୍‌, ୯୫ ବଲ୍‌, ୧୧ ଚୌକା) ପ୍ରମୁଖ ଭୂମିକା ତୁଲାଇଛନ୍ତି। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌  ସମିତ ଗୋହେଲ (୪) ଏବଂ ପ୍ରିୟଙ୍କ ପାଞ୍ଚାଲ (୬) ମାତ୍ର ୩୭ ରନ୍‌ ଭିତରେ ନିଜ ନିଜ ଓ୍ଵିକେଟ୍‌ ଫିଙ୍ଗି ଦେବା ପରେ  ପାର୍ଥିବ ପ୍ରଥମେ ଭାର୍ଗଭ ମେରାଇ (୪୫)ଙ୍କ ସହ ମିଶି ସ୍ଥିତି ସମ୍ଭାଳିଥିଲେ। ଉଭୟ ତୃତୀୟ ଓ୍ଵିକେଟ୍‌ରେ ମହତ୍ୱପୂର୍ଣ୍ଣ ୬୯ ରନ୍‌ ଯୋଡ଼ି ଓ୍ଵିକେଟ୍‌ ପତନ ଧାରାକୁ ଅଟକାଇ ଦେଇଥିଲେ। ଭାର୍ଗଭ ମାତ୍ର ୫ ରନ୍‌ ପାଇଁ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ।

ହେଲେ ପାର୍ଥିବ ମୁମ୍ବାଇ ବୋଲରଙ୍କୁ ପ୍ରତିହତ କରି ନିଜ ଅର୍ଧଶତକ ପୂରଣ କରି ନେଇଥିଲେ। ଭାର୍ଗଭ ଆଉଟ୍‌ ହୋଇଯିବା ପରେ ପାର୍ଥିବ ମନପ୍ରୀତଙ୍କ ସହ ମିଶି ଚତୁର୍ଥ ଓ୍ଵିକେଟ୍‌ରେ ୧୨୦ ରନ୍‌ ଯୋଡ଼ି ନିଜ ଦଳକୁ ସୁବିଧା ଜନକ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। ତେବେ ଶତକ ଅର୍ଜନର ୧୦ ରନ୍‌ ପୂର୍ବରୁ ଅଭିଷେକ ନାୟରଙ୍କ ବଲ୍‌ରେ ମୁମ୍ବାଇ ଅଧିନାୟକ ଆଦିତ୍ୟ ତାରେଙ୍କୁ କ୍ୟାଚ୍‌ ଦେଇ ପାଭିଲିୟନ ଫେରି ଯାଇଥିଲେ। ମନପ୍ରୀତ ମଧ୍ୟ ନିଜ ଅର୍ଧଶତକ ପୂରଣ କରିବା ପରେ ଆଉ ବେଶୀ ସମୟ କ୍ରିଜରେ ରହି ପାରି ନଥିଲେ। ଏହା ପରେ ରୁଜୁଲ ଭଟ୍ଟ (୨୫) ଭଲ ଆରମ୍ଭ ପାଇଥିଲେ ମଧ୍ୟ ଏହାକୁ ବଡ଼ ସ୍କୋରରେ ରୂପାନ୍ତର କରି ପାରି ନଥିଲେ। ସପ୍ତମ ସ୍ଥାନରେ ଖେଳିବାକୁ ଆସିଥିବା ଚିରାଗ ଗାନ୍ଧୀ (୧୭*) ଏବଂ ରୁଶ୍‌ କାଲାରିଆ (୧୬*) ଅବିଭାଜିତ ସପ୍ତମ ଓ୍ଵିକେଟ୍‌ରେ ୨୭ ରନ୍‌ ସଂଗ୍ରହ କରି ମୁମ୍ବାଇକୁ ପୁଣି ଥରେ ନିରାଶ କରିଥିଲେ। ଏହି ଦୁଇ ଜଣ ଅପରାଜିତ ରହିବା ପରେ ଆଜି ସଂପୂର୍ଣ୍ଣ ଦିନର ସମ୍ମାନ ଗୁଜରାଟ ଖାତାକୁ ଚାଲି ଯାଇଥିଲା। ମୁମ୍ବାଇର ସଫଳତମ ବୋଲର ଭାବେ ୯୧ ରନ୍‌ ଦେଇ ୩ ଏବଂ ସର୍ଦୁଲ ଠାକୁର ୬୭ ରନ୍‌ ଦେଇ ୨ ଓ୍ଵିକେଟ୍‌ ନେଇଥିଲେ।

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ୮୩.୫ ଓଭରରେ ୨୨୮ (ପୃଥ୍ଵୀ ସ’ ୭୧, ସୂର୍ଯ୍ୟ କୁମାର ଯାଦବ ୫୭, ଅଭିଷେକ ନାୟର ୩୫, ଆର ପି ସିଂହ ୨/୪୮, ଚିନ୍ତନ ଗଜା ୨/୪୬, ରୁଜୁଲ ଭଟ୍ଟ ୨/୫)। ଗୁଜରାଟ ୯୨ ଓଭରରେ ୨୯୧/୬ (ପାର୍ଥିବ ପଟେଲ ୯୦, ମନପ୍ରୀତ ଜୁନେଜା ୭୭, ଭାର୍ଗଭ ମେରାଇ ୪୫, ରୁଜୁଲ ଭଟ୍ଟ ୨୫, ଚିରାଗ ଗାନ୍ଧୀ ୧୭*, ରୁଶ୍‌ କାଲେରିଆ ୧୬*, ଅଭିଷେକ ନାୟର ୩/୯୧, ସର୍ଦୁଲ ଠାକୁର ୨/୬୭)।