01 March 2017
11:14:30 PM
Sambad News
ଖେଳ

ବାରବାଟୀ ମ୍ୟାଚ୍‌ ଆଉ ୮ ଦିନ: ସ୍ଥିତି ଅନୁଧ୍ୟାନ କଲେ ଆର୍‌ଡିସି

ଅସଂପୂର୍ଣ୍ଣ କାର୍ଯ୍ୟ ସାରିବାକୁ ଜାଇକାକୁ ନିର୍ଦେର୍ଶ

By Sambad | Date: Jan 11 2017 12:59AM
ବାରବାଟୀ ମ୍ୟାଚ୍‌ ଆଉ ୮ ଦିନ: ସ୍ଥିତି  ଅନୁଧ୍ୟାନ କଲେ ଆର୍‌ଡିସି

କଟକ: ଆସନ୍ତା ୧୯ ତାରିଖରେ ବାରବାଟୀରେ ହେବାକୁଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ପାଇଁ ଜୋରଦାର୍‌ ପ୍ରସ୍ତୁତି ଚାଲିଛି। ମଙ୍ଗଳବାର ଆର୍‌ଡିସି ଅଖିଳ ବିହାରୀ ଓତା ବାରବାଟୀକୁ ଯାଇ ପ୍ରାକ୍‌ ପ୍ରସ୍ତୁତି ସଂପର୍କରେ ଅନୁଧ୍ୟାନ କରିଛନ୍ତି। ଆର୍‌ଡିସିଙ୍କ ସମେତ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ସିଏମ୍‌ସି କମିଶନର ଜ୍ଞାନ ଦାସ ଏବଂ ଜାଇକା କର୍ତ୍ତୃପକ୍ଷ ପଡିଆ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ତେବେ ଖେଳାଳି ଆସିବା ପୂର୍ବରୁ ଏହି ଅଂଚଳରେ ଜାଇକା କାର୍ଯ୍ୟ ସଂପୂର୍ଣ୍ଣ ଅଥବା ବିକଳ୍ପ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବିଭାଗୀୟ କର୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ତା’ଛଡ଼ା ଏଥର ଗ୍ୟାଲେରୀ ନମ୍ବରିଂ ଏବଂ ପ୍ରତି ଗ୍ୟାଲେରୀରେ ନେଟ୍‌ ବ୍ୟବସ୍ଥାକୁ ଉଚ୍ଚପଦସ୍ଥ ଅଧିକାରୀ ବୁଲି ଦେଖିଥିଲେ। ସେହିଭଳି ଗତଥର ମ୍ୟାଚ୍‌ ବେଳେ ବୋତଲ ପିଙ୍ଗା ଘଟଣା ବାରବାଟୀର ସୁନାମରେ ଆଞ୍ଚ୍‌ ଆଣିଥିଲା। ତେଣୁ ଏଥର ଯେଭଳି ସେହି ଘଟଣାର ପୁନରାବୃତ୍ତି ନଘଟେ, ସେଥିପାଇଁ ଷ୍ଟାଡ଼ିୟମ୍‌ ଭିତରକୁ ପାଣି ବୋତଲ ନେବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି ।

ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଦର୍ଶକଙ୍କ ପାଇଁ ପ୍ରତି ଗ୍ୟାଲେରୀ ପିଛା ୨୦ ଜଣ ସ୍ୱେଚ୍ଛାସେବୀ ନିୟୋଜିତ କରାଯାଇଛି । ସେମାନେ କାଗଜ ଗ୍ଲାସ୍‌ ଦ୍ୱାରା ଦର୍ଶକଙ୍କୁ ପିଇବା ପାଣି ଯୋଗାଇବେ । ପୂରା ଶୃଙ୍ଖଳିତ ଢଙ୍ଗରେ ଯେଭଳି ମ୍ୟାଚ୍‌ ପରିଚାଳନା ହେବ, ସେଥିପାଇଁ ବିଭିନ୍ନ ଦିଗ ଉପରେ ଜିଲ୍ଲା ପ୍ରଶାସନ ତୀକ୍ଷ୍‌ଣ ଦୃଷ୍ଟି ରଖିଛି। ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି ଯେ ପଡ଼ିଆ ଭିତରେ ଓ ବାହାରେ ସବୁ ବ୍ୟବସ୍ଥା ଶୃଙ୍ଖଳିତ ଢ଼ଙ୍ଗରେ କରାଯାଉଛି। ରାସ୍ତା ଦୂରବସ୍ଥା ଦୂର କରିବା ପାଇଁ ଜାଇକାକୁ ନିର୍ଦେଶ ଦିଆଯାଇଛି। ବହୁ ଲୋକଙ୍କ ସମାଗମ ହେବାକୁ ଥିବାରୁ ସହର ଭିତରେ ଏକାଧିକ ପାର୍କିଂ କରାଯିବା ପାଇଁ ଜାଗା ଚିହ୍ନଟ କରାଯାଇଛି। ମ୍ୟାଚ୍‌ ଦିନ ପୂର୍ବରୁ ଏ ସବୁ ବ୍ୟବସ୍ଥା ସଂପୂର୍ଣ୍ଣ କରିଦିଆଯିବ। ଅନ୍ୟପଟେ  ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା କହିଛନ୍ତି ଯେ ପଦବିରେ ନଥିଲେ ବି ଖେଳର ଉନ୍ନତି ପାଇଁ ସବୁବେଳେ ଉଦ୍ୟମ କରିବି। ଏଥର ମ୍ୟାଚ୍‌କୁ ଶାନ୍ତିଶୃଙ୍ଖଳାର ସହ କରାଯିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ହାତକୁ ନିଆଯାଇଥିବା ଶ୍ରୀ ବେହେରା କହିଛନ୍ତି ।