30 March 2017
8:15:10 AM
Sambad News
ରାଜ୍ୟ

ପାରଳା ପ୍ୟାଲେସ ବିବାଦ: ସନ୍ଦେହରେ ନେତାଙ୍କ ଭୂମିକା

By Sambad | Date: Aug 24 2016 5:34AM
ପାରଳା ପ୍ୟାଲେସ ବିବାଦ: ସନ୍ଦେହରେ ନେତାଙ୍କ ଭୂମିକା
ରାଜପରିବାର ଗହଣରେ ବିଧାୟକ

ଭୁବନେଶ୍ୱର : ପାରଳା ଗଣମୃତ୍ୟୁକୁ ନେଇ ଯେତିକି ଅଧିକ ଖୋଳତାଡ଼ ହେଉଛି, ଏ ନେଇ ସେତିକି ଅଧିକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଲାଣି। କାହା ଚାପରେ ଅନଙ୍ଗ ମଞ୍ଜରୀଙ୍କ ପରିବାରର ଚାରି ଚାରି ଜଣ ଆତ୍ମହତ୍ୟା କଲେ, ସୁଇସାଇଡାଲ୍‌ ନୋଟ୍‌ର ସତ୍ୟାସତ୍ୟ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତର ଫଳାଫଳ ନିର୍ଣ୍ଣୟ ହୋଇନଥିଲେ ହେଁ ରାଜ ପରିବାର ଭିତରେ ବିବାଦ ଓ ମହାରାଜାଙ୍କ ୫୦୦ କୋଟିର ସଂପତ୍ତି ଉପରେ ନଜର ହିଁ ଏହାର ମୁଖ୍ୟ କାରଣ ହୋଇପାରେ। 
ମାତ୍ର କେଉଁ ପରିସ୍ଥିତିରେ ରାଜନୈତିକ ଦଳର ନେତାମାନେ ରାଜ ପରିବାରର ରାଜନୀତିରେ ପ୍ରତ୍ୟକ୍ଷ ବା ପରୋକ୍ଷ ହସ୍ତକ୍ଷେପ କରିବା ଆରମ୍ଭ କରିଛନ୍ତି, ଏହା ପଛରେ ସେମାନଙ୍କର କି ଉଦ୍ଦେଶ୍ୟ ରହିଛି, ତାହା ଏବେ ସମଗ୍ର ରାଜ୍ୟରେ  ମୁଖ୍ୟ ଚର୍ଚାର ବିଷୟ ହେଲାଣି। ସମାନ୍ତରାଳ ଭାବେ ଏହି ଘଟଣା ସହିତ ଶାସକ ବିଜେଡି ସହିତ କଂଗ୍ରେସ ଓ ବିଜେପି ଭଳି ତିନି ପ୍ରମୁଖ ରାଜନୈତିକ ଦଳର ନେତାଙ୍କ ନାମ ଚର୍ଚାକୁ ଆସିଛି, ଏଣୁ କ୍ରାଇମବ୍ରାଞ୍ଚ ତଦନ୍ତର ନିରପେକ୍ଷତା ନେଇ ପ୍ରଶ୍ନ ଉଠିଲାଣି।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ପାରଳା ମହାରାଜା ଗୋପୀନାଥ ଗଜପତିଙ୍କର ଆଉ ରାଜନୀତିରେ କିଛି ସଂପୃକ୍ତି ନାହିଁ। ଯଦିଓ ଏକଦା ସେ ସାଂସଦ ଥିଲେ, ଏବେ କିନ୍ତୁ ନା ତାଙ୍କର ରାଜନୀତିରେ ପ୍ରଭାବ ରହିଛି ନା ମହାରାଜାଙ୍କ ଇଙ୍ଗିତରେ ପାରଳାଖେମୁଣ୍ଡି ଭୋଟ୍‌ ବ୍ୟାଙ୍କ ନିୟନ୍ତ୍ରଣ ହେବାର ସୁଯୋଗ ରହିଛି। ଓଡ଼ିଶା ସ୍ୱାଧୀନତା ସଂଗ୍ରାମରେ ପାରଳା ମହାରାଜାଙ୍କ ଅବଦାନ କାରଣରୁ ସମଗ୍ର ଓ଼ଡ଼ିଶାରେ ଏହି ରାଜ ପରିବାର ପ୍ରତି ଲୋକଙ୍କ ଭଲ ପାଇବା ରହିଛି, ପାରଳାଖେମୁଣ୍ଡି ବାସିନ୍ଦାଙ୍କର ବି।  
ରାଜାଙ୍କ ଆଇନ ପରାମର୍ଶଦାତାଙ୍କ ସୂଚନା ଅନୁସାରେ, ୨୦୦୬ ମସିହାରୁ ରାଜ ପରିବାରର ଆଭ୍ୟନ୍ତରୀଣ ବିବାଦ ଦାଣ୍ଡରେ ପଡି ହାଟରେ ଗଡିଲାଣି। ଜମି ଜମା ଭାଗ ବଣ୍ଟାକୁ ନେଇ ମାମଲା କୋର୍ଟକୁ ଯାଇଛି। ଏପରିକି ୨୦୧୦ରେ ଅଦାଲତ ଜମିଜମା ବିକ୍ରିବଟା ଉପରେ ରହିତାଦେଶ ଜାରି କରିଛନ୍ତି। ଏ ମଧ୍ୟରେ ୬ବର୍ଷ ବିତିଗଲାଣି। ରାଜ ପରିବାରର ପୂର୍ବ ଗରିମା ଆଉ ନାହିଁ।
ଗଜପତିଙ୍କ ଭାଇ ଜଗନ୍ନାଥ ଗଜପତି କିମ୍ବା ମହାରାଣୀ ଶୈଳଜା ଦେବୀଙ୍କର ମଧ୍ୟ ପାରଳାଖେମୁଣ୍ଡି ସହିତ ସଂପର୍କ ସେତେଟା ନିବିଡ ନୁହେଁ। ସେ ରାଜଉଆସକୁ ଆସୁନାହାନ୍ତି କି ସାଧାରଣ ଲୋକଙ୍କ ସହିତ ବି ନାହାନ୍ତି। 
ସେପଟେ ସାଧାରଣ ନିର୍ବାଚନ ସରିବା ପାଖାପାଖି ୩୦ ମାସ ଛୁଇଁବାକୁ ବସିଛି। ହଠାତ୍‌ କଣ ଘଟିଲା, କେଉଁ ପରିସ୍ଥିତିରେ କଂଗ୍ରେସ ବିଧାୟକ ସୁରିୟା ରାଓ ରାଜ ପରିବାର ସହିତ ଘନିଷ୍ଠତା ବଢାଇଲେ, ପାରଳା ରାଜା ଗୋପିନାଥ ଗଜପତିଙ୍କ ଭାଇ ଜଗନ୍ନାଥ ଗଜପତି ଓ ଭାଇ ବୋହୂ ଶୈଳଜା ଦେବୀଙ୍କ ସହିତ ନିଭୃତ ଆଲୋଚନା କଲେ ଏବଂ ତା ପରେ ପରେ ଏହି ଅଘଟଣ ସାମ୍ନାକୁ ଆସିଲା, ତାହା ଉପରୁ ରହସ୍ୟ ଉଠିବା ଦରକାର। କେବଳ ସେତିକି ନୁହେଁ, ଏହି ଆଲୋଚନା କେଉଁଠି ହୋଇଛି, କିଏ କାହାକୁ ଡକାଇଥିଲା, ବିଧାୟକ ନିଜେ ଯାଇଥିଲେ ନା ତାଙ୍କୁ ଗୋଟି କରିଛନ୍ତି ଜଗନ୍ନାଥ ଗଜପତି ସେ ନେଇ ମଧ୍ୟ ସାଧାରଣ ଲୋକେ ପ୍ରଶ୍ନ କରିବା ଆରମ୍ଭ କଲେଣି। 
ପୂର୍ବତନ ବିଜେଡି ଜିଲ୍ଲା ସଭାପତି ବସନ୍ତ ଦାଶ, ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା ଓ ବିଜେପି ଜିଲ୍ଲା ସଭାପତି ଜି ରାବଣା ପ୍ରମୁଖଙ୍କ ନାମ ଏ ମଧ୍ୟରେ ପଦାକୁ ଆସିଲାଣି। କେବଳ ଲୋକଙ୍କ ଭାବାବେଗକୁ ସମ୍ମାନ ଦେଇ ଏହି ନେତାମାନେ  ରାଜ ପରିବାର ରାଜନୀତିରେ ସାମିଲ ହେଲେ ନା ଏହା ପଛରେ ଏମାନଙ୍କର କିଛି ଉଦ୍ଦେଶ୍ୟ ରହିଛି, ସେ ନେଇ ଏବେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ତର୍ଜମା ଆରମ୍ଭ କରିଛନ୍ତି। 
କୌତୂହଳର କଥା ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରାଜାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ତତ୍ପରତା ଦେଖାଇଛନ୍ତି। ମହାରାଜାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଟେଲିଫୋନ୍‌ରେ ତାଙ୍କ ଝିଅ ସହିତ ଆଲୋଚନା କରିଛନ୍ତି ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବି ପଠାଇ ତଦାରଖ କରିଛନ୍ତି। ବର୍ଷ ବର୍ଷ ଧରି ସରକାରଙ୍କ ନଜର ଆଢୁଆଳରେ ପାରଳା ରାଜାଥିଲେ। ଥରୁଟିଏ ବି ମୁଖ୍ୟମନ୍ତ୍ରୀ ତାଙ୍କ ସଂପର୍କରେ ବୁଝିବାକୁ ଚାହିଁନାହାନ୍ତି। ଶାସକ ଦଳ ନେତାମାନେ ବି ମହାରାଜାଙ୍କୁ ଗୁରୁତ୍ୱ ଦେଇନଥିଲେ। ପ୍ରସଙ୍ଗଟିର ରାଜନୈତିକ ଦିଗ ଉପରୁ ପରଦା ଉଠୁଥିବା ପରିପ୍ରେକ୍ଷୀରେ ହଠାତ୍‌ ମହାରାଜାଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଗ୍ରହ ପଛର କିଛି ରାଜନୈତିକ ଅଭିସନ୍ଧି ନାହିଁ ତ ଏମିତି ସନ୍ଦେହ ଉଙ୍କି ମାରୁଛି।