30 May 2017
11:03:23 AM
image
Sambad News
ରାଜ୍ୟ

ଏଣିକି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସ୍କାନରରେ ରହିବ ବେକ୍‌ରି ୟୁନିଟ୍‌

୧୭ କମ୍ପାନିକୁ ଅନୁମତି ନେବାକୁ ନିର୍ଦେଶ

By Sambad | Date: Jan 12 2017 1:06AM
ଏଣିକି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସ୍କାନରରେ ରହିବ ବେକ୍‌ରି ୟୁନିଟ୍‌
Photo by : kingofwallpapers.com

ଭୁବନେଶ୍ୱର : ନିୟମ ବଦଳିଲା। ପୂର୍ବ ଆଇନ ଅନୁଯାୟୀ ବେକ୍‌ରି ପ୍ରସ୍ତୁତ କରୁଥିବା କମ୍ପାନିଗୁଡ଼ିକ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧୀନରେ ଆସୁନଥିଲେ। ମାତ୍ର କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନୂଆ ନିୟମ ଅନୁଯାୟୀ ଏଣିକି ପ୍ରତ୍ୟେକ ‘ଗ୍ରିନ୍‌ କାଟାଗୋରି ଶିଳ୍ପ’ ଅର୍ଥାତ ଯେଉଁ କମ୍ପାନିଗୁଡ଼ିକ ୧୦୦ ଟନ୍‌ରୁ କମ୍‌ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ସମସ୍ତେ ପ୍ରଦୂଷଣ ବୋର୍ଡ ଅଧୀନକୁ ଆସିବେ। ତେଣୁ କମ୍ପାନିଗୁଡ଼ିକୁ ବୋର୍ଡଠାରୁ ଅନୁମତି ଆଣିବାକୁ ପଡ଼ିବ। ଏହି ନୂଆ ନିୟମକୁ କାର୍ଯ୍ୟକାରୀ କରିବାକୁ ଯାଇ ବୋର୍ଡ ରାଜଧାନୀରେ ଥିବା ୧୭ଟି ବେକରି ୟୁନିଟ୍‌କୁ ଅନମୁତି ନେବା ପାଇଁ ଚିଠି ଲେଖିଛି।

 
ସେପ୍ଟେମ୍ବର ମାସର କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନୂଆ ନିୟମ ପ୍ରଣୟନ କରିଛି। ବେକ୍‌ରି ୟୁନିଟ୍‌ଗୁଡ଼ିକୁ ଏଣିକି ଦୁଇଟି ବିଭାଗରେ ବିଭକ୍ତ କରାଯାଇଛି। ଦିନକୁ ଶହେ ଟନରୁ କମ୍‌ ସାମଗ୍ରୀ ଉତ୍ପାଦନ କରୁଥିବା ୟୁନିଟ୍‌ ଗୁଡ଼ିକୁ ଗ୍ରିନ୍‌ କାଟାଗୋରିରେ ରଖାଯାଇଥିବା ବେଳେ ଏହାଠାରୁ ଅଧିକ ସାମଗ୍ରୀ ପ୍ରସ୍ତତ କରୁଥିବା ୟୁନିଟ୍‌ଗୁଡ଼ିକୁ ଅରେଞ୍ଜ କାଟାଗୋରିରେ ରଖାଯାଇଛି। ପୂର୍ବରୁ ଗ୍ରିନ୍‌ କାଟାଗୋରିରେ ଥିବା କମ୍ପାନିଗୁଡ଼ିକ ବୋର୍ଡର ବିନା ଅନୁମତିରେ ଉତ୍ପାଦନ କାର୍ଯ୍ୟ ଚଳାଉଥିଲେ। ଏହିସବୁ କମ୍ପାନିର ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ ନାହିଁ। ଏପଟେ ବେକ୍‌ରି କମ୍ପାନିଗୁଡ଼ିକ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଅଧିକ ପରିମାଣରେ ଜଳ ବ୍ୟବହାର କରନ୍ତି। ସାମଗ୍ରୀ ପ୍ରସ୍ତୁତ ହେବା ପରେ କମ୍ପାନିରୁ ବର୍ଜ୍ୟ ଜଳ ବାହାରି ସିଧାସଳଖ ନଦୀ, ନାଳରେ ମିଶୁଛି ଏବଂ ଉକ୍ତ ଅଞ୍ଚଳକୁ ପ୍ରଦୂଷିତ କରୁଛି। ଏମିତି ସମସ୍ୟା ଦିନକୁ ଦିନ ବଢ଼ିବାରୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବାଧ୍ୟ ହୋଇ ବେକ୍‌ରି କମ୍ପାନିଗୁଡ଼ିକର ମନମାନି ଉପରେ ରୋକ୍‌ ଲଗାଇଛନ୍ତି।
 
ଏ ନେଇ ବୋର୍ଡର ଆଞ୍ଚଳିକ ଅଧିକାରୀ ହାଡ଼ିବନ୍ଧୁ ପାଣିଗ୍ରାହୀ କହନ୍ତି, ବର୍ତମାନ ନୂଆ ନିୟମ ପରେ ରାଜ୍ୟର ୧୭ଟି ବେକ୍‌ରି କମ୍ପାନିକୁ ଅନୁମତି ନେବା ପାଇଁ ନୋଟିସ୍‌ ଜାରି କରାଯାଇଛି। ଆଉ ମାସକ ମଧ୍ୟରେ ଅନୁମତି ନେବା ପାଇଁ କୁହାଯାଇଛି। ନଚେତ କାରଣ ସେମାନଙ୍କୁ ଦର୍ଶାଅ ନୋଟିସ୍‌ ଜାରି କରାଯିବ। ଏହାପରେ କମ୍ପାନିଗୁଡ଼ିକ ନମାନିଲେ ଏହାକୁ ବନ୍ଦ କରିବା ପାଇଁ ନୋଟିସ୍‌ ଦିଆଯିବ।

image