25 September 2017
3:26:24 PM
Sambad News
ରାଜ୍ୟ

ଜୁନ୍‌ ସୁଦ୍ଧା ମେଡିକାଲ୍‌ କଲେଜ ନିର୍ମାଣ ଶେଷ ଲକ୍ଷ୍ୟ

୨ ମାସରେ ତ୍ରିଶୂଳିଆ ସେତୁ, ସେପ୍ଟେମ୍ବର ସୁଦ୍ଧା ସରିବ ଗୁରୁପ୍ରିୟା ସେତୁ

By Sambad | Date: Jan 12 2017 1:10AM
ଜୁନ୍‌ ସୁଦ୍ଧା ମେଡିକାଲ୍‌ କଲେଜ ନିର୍ମାଣ ଶେଷ ଲକ୍ଷ୍ୟ

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷରୁ ପ୍ରସ୍ତାବିତ ୪ଟି ମେଡିକାଲ୍‌ କଲେଜ ମଧ୍ୟରୁ ଗୋଟିକରେ ବି ଶିକ୍ଷାରମ୍ଭର ସମ୍ଭାବନା କମ୍‌। କାରଣ ସେହି ମେଡିକାଲ୍‌ କଲେଜଗୁଡିକର ଗୃହନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବାର ଲକ୍ଷ୍ୟ ଏ ବର୍ଷ ଜୁନ୍‌ ମାସ ରଖାଯାଇଛି। 
 
ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୂର୍ତ୍ତ ବିଭାଗର ବାର୍ଷିକ ସମୀକ୍ଷାରୁ ଏଭଳି ସୂଚନା ମିଳିଛି। ସୂଚନାନୁସାରେ ବାଲେଶ୍ୱର, ବଲାଙ୍ଗୀର, କୋରାପୁଟ ଓ ବାରିପଦା ମେଡ଼ିକାଲ୍‌ କଲେଜର ଗୃହ ନିର୍ମାଣ କାର୍ଯ୍ୟ ଜୁନ୍‌ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି କଟକ-ଭୁବନେଶ୍ୱର ସଂଯୋଗକାରୀ ତ୍ରିଶୂଳିଆ ସେତୁର ନିର୍ମାଣ କାର୍ଯ୍ୟ ଆସନ୍ତା ଦୁଇମାସ ଭିତରେ ଶେଷ କରିବାକୁ ମୁଖ୍ୟ ସଚିବ ବିଭାଗୀୟ ସଚିବ ନଳିନୀକାନ୍ତ ପ୍ରଧାନଙ୍କୁ ନିର୍ଦେଶ ଦେଇଥିଲେ। ଗୁରୁପ୍ରିୟା ସେତୁ ନିର୍ମାଣ କାର୍ଯ୍ୟର ସମୀକ୍ଷା କରି ଆସନ୍ତା ସେପ୍ଟେମ୍ବର ସୁଦ୍ଧା ସାରିବାକୁ କହିଥିଲେ। ଏହି କ୍ରମରେ ସମ୍ବଲପୁର-ରାଉରକେଲା ରାସ୍ତା ଆସନ୍ତା ମାର୍ଚ ସୁଦ୍ଧା ଓ ଇବ୍‌ ନବୀ ଉପରେ ସେତୁ ଜୁନ୍‌ ମାସ ସୁଦ୍ଧା ଯେପରି ନିର୍ମାଣ ଶେଷ ହେବ ସେ ନେଇ ତାଗିଦ୍‌ କରିଥିଲେ ଶ୍ରୀ ପାଢ଼ୀ।   
 
ସମୀକ୍ଷା ବେଳେ ଚଳିତ ଆର୍ଥିକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ୭୨ ପ୍ରତିଶତ ଖର୍ଚ ହୋଇଥିବାର ସୂଚନା ମିଳିଥିଲା। ବର୍ଷ ଶେଷ ସୁଦ୍ଧା ବଜେଟ ଆକଳନର ଶତ ପ୍ରତିଶତ ଖର୍ଚ କରିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଥିଲେ। ଏହାବ୍ୟତୀତ, ଜାତୀୟ ରାଜପଥ ନିର୍ମାଣ ଓ ମରାମତି, ଫ୍ଲାଏ-ଆସ୍‌ ସ୍ଲାବ୍‌ ନିର୍ମାଣ, ଇଲେକ୍ଟ୍ରୋନିକ୍‌ ମେଜରମେଣ୍ଟ, ଅନ୍‌ଲାଇନ ବିଲିଂ ଆଦି କ୍ଷେତ୍ରରେ ଅଗ୍ରଗତି ନେଇ ସମୀକ୍ଷା ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବୋଚ୍ଚ ଯନ୍ତ୍ରୀ (ଜାତୀୟ ରାଜପଥ) ବିଜନ ବେହେରା, ମୁଖ୍ୟ ଯନ୍ତ୍ରୀ ଓମ୍‌ପ୍ରକାଶ ଦାସ, ମୁଖ୍ୟ ଯନ୍ତ୍ରୀ (ବିଲ୍‌ଡିଂ) ସତ୍ୟରଞ୍ଜନ ସେଠୀ, ଅଧୀକ୍ଷକ ଯନ୍ତ୍ରୀ ଜୟକୃଷ୍ଣ ଦାସ ପ୍ରମୁଖ ଯୋଗ ଦେଇଥିଲେ। 

image