22 January 2017
9:44:56 PM
image
Sambad News
ରାଜ୍ୟ

ଦଶରଥପୁର ବ୍ଲକ୍‌ରେ ହେବ ନିର୍ବାଚନ : ଜାନୁଆରି ୧୭ରୁ ନାମାଙ୍କନ ପତ୍ର ଦାଖଲ

By Sambad | Date: Jan 12 2017 1:28AM
ଦଶରଥପୁର ବ୍ଲକ୍‌ରେ ହେବ ନିର୍ବାଚନ : ଜାନୁଆରି ୧୭ରୁ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌କୁ ସାମିଲ୍‌ କରାଯାଇଛି। ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ଯୋଗୁଁ ଏହି ବ୍ଲକ୍‌କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଥିଲା। ହାଇକୋର୍ଟ ରହିତାଦେଶକୁ ଉଠାଇଦେଲା ପରେ ସେଠାରେ ନିର୍ବାଚନ କରାଯିବା ନେଇ ନିର୍ବାଚନ କମିସନ୍‌ ଆଜି ଘୋଷଣା କରିଛନ୍ତି। ନିର୍ବାଚନର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି। 

 
ନିର୍ବାଚନ କମିସନ୍‌ଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୧୩ ତାରିଖରେ ବ୍ଲକ୍‌ ଅଧୀନରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ୍‌ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୋଟିସ୍‌ ଜାରି କରାଯିବ। ୧୭ରୁ ୨୧ ଜାନୁଆରି ପର୍ଯ୍ୟନ୍ତ ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ବ୍ଲକ୍‌ ଅଫିସ୍‌ରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ୨୪ ଜାନୁଆରିରେ ମନୋନୟନ ପତ୍ର ଯାଞ୍ଚ୍‌ କରାଯିବ। ୨୫ ତାରିଖରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଜାନୁଆରି ୨୭ ତାରିଖ ଅପରାହ୍ନ ୩ଟା ସୁଦ୍ଧା ଆଗ୍ରହୀ ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। 
 
ସେହିଦିନ ଅପରାହ୍ନରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଫେବ୍ରୁଆରି ୧୭ ତାରିଖ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହେବ। ସେହିଦିନ ୧ଟା ପରଠାରୁ ଭୋଟ୍‌ ଗଣତି କରାଯିବ। ଫେବ୍ରୁଆରି ୨୫ରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ମାର୍ଚ୍ଚ ୧୧ ତାରିଖରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ୨୩ ତାରିଖରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପାଇଁ ନିର୍ବାଚନ କରାଯିବ।