29 March 2017
2:41:37 PM
Sambad News
ରାଜ୍ୟ

ଜାତୀୟ ମାନବାଧିକାର କମିସନଙ୍କ କ୍ୟାମ୍ପ କୋର୍ଟ ସରିଲା : ସରକାରୀ ଆଶ୍ୱାସନାରେ ସନ୍ତୁଷ୍ଟ

By Sambad | Date: Jan 12 2017 1:38AM
ଜାତୀୟ ମାନବାଧିକାର କମିସନଙ୍କ କ୍ୟାମ୍ପ କୋର୍ଟ ସରିଲା : ସରକାରୀ ଆଶ୍ୱାସନାରେ ସନ୍ତୁଷ୍ଟ

ଭୁବନେଶ୍ୱର : ଏଠାରେ ଗତ ତିନିଦିନି ଧରି ଚାଲିଥିବା ଜାତୀୟ ମାନବାଧିକାର କମିସନଙ୍କ କ୍ୟାମ୍ପ କୋର୍ଟ ଓ ଜନଶୁଣାଣି ଆଜି ଶେଷ ହୋଇଛି। ଉଦ୍‌ଘାଟନୀ ଅଭିଭାଷଣଠାରୁ ଆରମ୍ଭ କରି ଜନଶୁଣାଣି ବେଳେ ବିଭିନ୍ନ ମାମଲାରେ ବହୁସଂଖ୍ୟକ ସରକାରୀ ପଦାଧିକାରୀଙ୍କୁ ଭର୍ତ୍ସନା କରିଥିଲେ କମିସନ ଅଧ୍ୟକ୍ଷ ନ୍ୟାୟମୂର୍ତି ଏଚ୍‌.ଏଲ୍‌. ଦତ୍ତୁ। କିନ୍ତୁ କାର୍ଯ୍ୟକ୍ରମ ଶେଷରେ ରାଜ୍ୟ ସରକାର ଦେଇଥିବା ଆଶାସ୍ୱନାରେ ସେ ସନ୍ତୁଷ୍ଟ ବୋଲି ପ୍ରକାଶ କରିଥିଲେ। 
 
ଆଜି ଅପରାହ୍ଣରେ ରାଜ୍ୟ ଅତିଥି ଭବନରେ କମିସନ ଅଧ୍ୟକ୍ଷ ନ୍ୟାୟମୂର୍ତି ଶ୍ରୀ ଦତ୍ତୁ, କମିସନଙ୍କ ଅନ୍ୟତମ ସଦସ୍ୟ ନ୍ୟାୟମୂର୍ତି ଡି. ମୁରୁଗେସାନ, ନ୍ୟାୟମୂର୍ତି ଶରତ ଚନ୍ଦ୍ର ସିହ୍ନା ଜାତୀୟ ମାନବାଧିକାର କମିସନଙ୍କ ତିନିଦିନିଆ ଜନଶୁଣାଣି କାର୍ଯ୍ୟକ୍ରମର ବିବରଣୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିଲେ। କମିସନ କହିଥିଲେ ଯେ ଖାଦ୍ୟ ନିରାପତ୍ତା, ଗୋତି ଶ୍ରମିକଙ୍କ ଥଇଥାନ, ଜାତିଗତ ପ୍ରମାଣପତ୍ର ପ୍ରଦାନ, କେବିକେ ଅଞ୍ଚଳରେ ମାନବାଧିକାରର ଉଲ୍ଲଂଘନ, ରାଜ୍ୟରେ ଚାଷୀ ଆତ୍ମହତ୍ୟା, ପୋସ୍କୋ ପ୍ରକଳ୍ପରେ ଜମି ଅଧିଗ୍ରହଣ, ଶିଶୁଶ୍ରମିକ, ହସ୍‌ପିଟାଲ୍‌ରେ ଶିଶୁମୃତ୍ୟୁ, ଜାପାନୀ ଜ୍ୱର, ଡାହାଣୀ ସନ୍ଦେହରେ ହତ୍ୟା, ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲା। ଏ ନେଇ କମିସନ ବିଭିନ୍ନ ବିଭାଗର ସଚିବମାନଙ୍କ ସମେତ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଥିଲେ। ଏସବୁ ମାମଲାରେ ସେମାନେ ସକରାତ୍ମକ ମନୋଭବ ପ୍ରଦର୍ଶନ କରିଥିଲେ। କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନାଗୁଡିକୁ ଗମ୍ଭୀରତାର ସହିତ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ସଚିବ ଆଶ୍ୱାସନା ଦେଇଥିଲେ। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ଯେଉଁସବୁ ସମସ୍ୟା ରହିଛି, ସେଥିରେ ସୁଧାର ଆଣିବାକୁ ସରକାରଙ୍କ ସଂପୃକ୍ତ ବିଭାଗ ସଚିବମାନେ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ମୁଖ୍ୟ ସଚିବଙ୍କ କହିବାନୁସାରେ ମାଓବାଦୀ ସମସ୍ୟା ଏବେ ମାତ୍ର ୨ଟି ଜିଲ୍ଲାର କିଛି ଅଞ୍ଚଳରେ ସୀମିତ। ସେହିପରି ଓଡ଼ିଶା ମାନବାଧିକାର କମିସନଙ୍କ କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ପଦଗୁଡିକୁ ପୂରଣ କରିବାକୁ ପଦକ୍ଷେପ ନେବେ ବୋଲି କହିଥିଲେ। ଓଡ଼ିଶା ସରକାରଙ୍କ ଆଶ୍ୱାସନାରେ କମିସନ ସନ୍ତୋଷ ପ୍ରକାଶ କରିଥିଲେ। 
 
ମାନବାଧିକାର କମିସନଙ୍କ କ୍ଷମତା ସଂପର୍କରେ ନ୍ୟାୟମୂର୍ତି ଶ୍ରୀ ଦତ୍ତୁ କହିଲେ, କୌଣସି ମାମଲାର ଶୁଣାଣି କରି ପୀଡ଼ିତ ବା ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ‘ଖାଲି’ ସୁପାରିସ କରିବାର କ୍ଷମତା କମିସନଙ୍କ ହାତରେ ରହିଛି। କୌଣସି ଅପରାଧିକ ମାମଲା ନେଇ ପୁଲିସ ତଦନ୍ତ ରିପୋର୍ଟରେ କମିସନ ସନ୍ତୁଷ୍ଟ ନ ହେଲେ ପୁନଃତଦନ୍ତ ପାଇଁ ନିଜସ୍ୱ ତଦନ୍ତକାରୀ ଦଳ ପଠାଇପାରିବେ ବା ରିପୋର୍ଟ ତଲବ କରିପାରିବେ। ସେ ରିପୋର୍ଟର ନକଲ ସଂପୃକ୍ତ ଅଭିଯୋଗକାରୀଙ୍କୁ ଦେଇହେବ। କିନ୍ତୁ ଏହା ବାହାରେ ଅଧିକ କାର୍ଯ୍ୟ କରିହେଉ ନାହିଁ। ଯଦି କମିସନଙ୍କୁ ଅଧିକ କ୍ଷମତା ମିଳେ, ତାହାହେଲେ ଏହାର କାର୍ଯ୍ୟକଳାପ ଆହୁରି ଭଲ ହୋଇପାରିବ। ଏହି ପରିପ୍ରେକ୍ଷୀରେ କମିସନଙ୍କ ସୁପାରିସ ଓ ସେ ନେଇ ସଂପୃକ୍ତ କର୍ତୃପକ୍ଷଙ୍କ କାର୍ଯ୍ୟାନ୍ଵୟନ ମଧ୍ୟରେ ପ୍ରଭେଦ ରହୁଥିବା ପରୋକ୍ଷରେ ସେ ସ୍ୱୀକାର କରିଥିଲେ। ରାଜ୍ୟର ବିଭିନ୍ନ ଜେଲରେ ରହୁଥିବା ବିଚାରାଧୀନ କଏଦୀ, ଦୋଷୀସାବ୍ୟସ୍ତ କଏଦୀ ବିଶେଷ କରି ମାଓବାଦୀ ସମର୍ଥକ ହୋଇଥିବା ଅଭିଯୋଗରେ ବର୍ଷ ବର୍ଷ ଧରି ଜେଲ୍‌ରେ ସଢ଼ୁଥିବା ଲୋକମାନଙ୍କ ମାନବାଧିକାର ଉଲ୍ଲଂଘନ ପ୍ରସଙ୍ଗ ନେଇ କମିସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କମିସନ କହିଥିଲେ ଯେ ଏସବୁ ନେଇ କମିସନଙ୍କ ନିକଟରେ କୌଣସି ମାମଲା ହୋଇନାହିଁ।  
 
ସୂଚନାଯୋଗ୍ୟ ଯେ ଦୀର୍ଘ ୫ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଜାତୀୟ ମାନବାଧିକାର କମିସନଙ୍କ କ୍ୟାମ୍ପ କୋର୍ଟ ଓ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଏଥିରେ ପ୍ରଥମ ଦିନରେ ୧୦୭ଟି, ୨ୟ ଦିନରେ ୨୫ଟି ଓ ଆଜି (ଶେଷ ଦିନ)ରେ ୬ଟି ମାନବାଧିକାର ଉଲ୍ଲଂଘନ ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ବେଳେ ବିଭିନ୍ନ ମାମଲାରେ କମିସନ କ୍ଷତିପୂରଣ ପାଇଁ ସୁପାରିସ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ମହଲତ ଦେଇଥିଲେ। ଏହା ପୂର୍ବରୁ ସ୍ୱେଚ୍ଛାସେବୀ ସଂଗଠନ, ସରକାରୀ ପଦାଧିକାରୀମାନଙ୍କ ସହିତ କମିସନଙ୍କ ଆଲୋଚନା ହୋଇଥିଲା। କୌଣସି ପ୍ରସଙ୍ଗରେ ଆଇନକୁ କଡ଼ାକଡ଼ି ପାଳନ କଲା ବେଳେ ମାନବାଧିକାର ଦୃଷ୍ଟିକୋଣରୁ ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ନ୍ୟାୟମୂର୍ତି ଶ୍ରୀ ଦତ୍ତୁ ପଦାଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।