23 February 2017
8:16:58 AM
Sambad News
ରାଜ୍ୟ

ସ୍କୁଲ୍‌ରେ ବିସ୍ଫୋରଣ : ଛାତ୍ରଙ୍କ ୪ ଆଙ୍ଗୁଠି ଛିଣ୍ଡିଲା

୩ ଛାତ୍ରଛାତ୍ରୀ ଆହତ, ଜଣେ ଗୁରୁତର

By Sambad | Date: Jan 12 2017 5:17AM
ସ୍କୁଲ୍‌ରେ ବିସ୍ଫୋରଣ : ଛାତ୍ରଙ୍କ ୪ ଆଙ୍ଗୁଠି ଛିଣ୍ଡିଲା

ନୟାଗଡ଼ : ପାଠପଢ଼ା ସମୟରେ ଶ୍ରେଣୀଗୃହରେ ବିସ୍ଫୋରଣ। ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‍ ଅନ୍ତର୍ଗତ ଡମପଡ଼ା ଲଡ଼ୁକେଶପ୍ରସାଦ ପ୍ରାଥମିକ ବିଦ୍ୟାଳୟରେ। ମୋବାଇଲ ବ୍ୟାଟେରି ବିସ୍ଫୋରଣରେ ତୃତୀୟ ଶ୍ରେଣୀର ୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତର ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତାଙ୍କର ଡାହାଣ ହାତର ୪ଟି ଆଙ୍ଗୁଠି ବିସ୍ଫୋରଣରେ ଛିଣ୍ଡି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଅନ୍ୟ ଜଣେ ଛାତ୍ରଙ୍କ ଆଖିରେ ଗଭୀର ଆଘାତ ଲାଗିଛି। ସେହିପରି ଜଣେ ଛାତ୍ରୀ ଖଣ୍ଡିଆ ଖାବରା ହୋଇଥିଲେ ବି ପ୍ରାଥମିକ ଚିକିତ୍ସା ପରେ ପରିବାର ଲୋକେ ତାଙ୍କୁ ଘରକୁ ନେଇ ଯାଇଛନ୍ତି।
 
ଆହତ ଛାତ୍ରମାନେ ହେଲେ ଅଜୟ ପ୍ରଧାନଙ୍କ ପୁଅ ରାହୁଳ(୯), ଲକ୍ଷ୍ମୀଧର ପ୍ରଧାନଙ୍କ ପୁଅ ବବୁଲ(୮) ଓ କୈଳାସ ବେହେରାଙ୍କ ଝିଅ ରୋଜାଲିନ୍‍(୯)। ଆହତ ଛାତ୍ରଙ୍କ କହିବା ମୁତାବକ, ବବୁଲ ଆଜି ସାଙ୍ଗରେ ଏକ ମୋବାଇଲ୍‍ ବ୍ୟାଟେରି ନେଇ ବିଦ୍ୟାଳୟକୁ ଆସିଥିଲେ। କିଛି ସହପାଠୀଙ୍କ ସହ ଘରୁ ବିଦ୍ୟାଳୟ ଯିବା ସମୟରେ ବାଟରେ ବବୁଲ ଏକ ନାଲି ରଙ୍ଗର ଏଲ୍‍ଇଡି ବଲ୍‍ ପାଇଥିଲେ। ପ୍ରାୟ ମଧ୍ୟାହ୍ନ ୧୨ଟା ସମୟ ହେବ। ଶ୍ରେଣୀଗୃହ ଛାଡ଼ି ବିଦ୍ୟାଳୟର ଶିକ୍ଷକମାନେ ବାହାରେ ବୁଲୁଥିଲେ। ଏହି ସମୟରେ ବବୁଲ ସାଙ୍ଗରେ ନେଇଥିବା ବ୍ୟାଟେରି ଓ ଏଲ୍‍ଇଡି ବଲ୍‍କୁ ବାହାର କରି ସାଙ୍ଗମାନଙ୍କୁ ଦେଖାଇବା ପରେ ବ୍ୟାଟେରି ସହ ବଲ୍‍ର ତାର ସଂଯୋଗ କରି ଜଳାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ବ୍ୟାଟେରିଟି ବିସ୍ଫୋରଣ ହୋଇଥିଲା। 
 
ବବୁଲ ଡାହାଣ ହାତରେ ବ୍ୟାଟେରିଟି ଧରିଥିଲେ। ବିସ୍ଫୋରଣ ଫଳରେ ଡାହାଣ ହାତର ୪ଟି ଆଙ୍ଗୁଠି ଛିଣ୍ଡି ମାଂସ ଟୁକୁଡ଼ା ସବୁ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିଲା। ଛାତି, ପେଟ ଓ ହାତର ବିଭିନ୍ନ ସ୍ଥାନ ବି ଖଣ୍ଡିଆଖାବରା ହୋଇଯାଇଥିଲା। ସଙ୍ଗେ ସଙ୍ଗେ ଶ୍ରେଣୀ ଗୃହ ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଥିଲା। ସେହିପରି ବିସ୍ଫୋରଣରେ ପାଖରେ ଥିବା ରାହୁଳଙ୍କ ଆଖିରେ ବ୍ୟାଟେରିର କିଛି ଅଂଶ ପଶିଯାଇଥିଲା। ସେ ମଧ୍ୟ ରକ୍ତାକ୍ତ ହୋଇଯାଇଥିଲେ। ରୋଜାଲିନ୍‍ଙ୍କ ଦେହରେ ମଧ୍ୟ ଏହା ବାଜିବାରୁ ସେ ବି ଖଣ୍ଡିଆଖାବରା ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। 
 
ଅବସ୍ଥା ଗୁରୁତର ହେବାରୁ ରାହୁଳ ଓ ବବୁଲକୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ବବୁଲ ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ ଭୁବନେଶ୍ୱର ପଠାଇ ଦିଆଯାଇଛି। ରାହୁଳ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସେପଟେ କେହି କେହି ଏହାକୁ ବୋମା ବିସ୍ଫୋରଣ ବୋଲି କହୁଛନ୍ତି।