22 January 2017
9:45:44 PM
image
Sambad News
ରାଜ୍ୟ

ପଞ୍ଚାୟତ ଲଢ଼େଇ : ମଇଦାନକୁ ଓହ୍ଲାଇଲେ

ପ୍ରଥମ ଦିନରେ ୬,୩୮୫ ନାମାଙ୍କନ ପତ୍ର ଦାଖଲ

By Sambad | Date: Jan 12 2017 5:27AM
ପଞ୍ଚାୟତ ଲଢ଼େଇ : ମଇଦାନକୁ ଓହ୍ଲାଇଲେ

ଜିଲ୍ଲା ପରିଷଦ ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ତିନି ଦଳର କସରତ୍‌ 
ତାରକା ପ୍ରଚାରକଙ୍କ ତାଲିକା ଦେଲେ ବିଜେଡି, ବିଜେପି
 
 
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ରାଜନୈତିକ ବାତାରଣ ଉଷ୍ମ ହୋଇଯାଇଛି। ଆଜି ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ପ୍ରଥମ ଦିନରେ ସାରା ରାଜ୍ୟରେ ୬,୩୮୫ ନାମାଙ୍କନ ପତ୍ର ଦାଖଲ ହୋଇଛି। ଏପଟେ ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବା ପାଇଁ ଜିଲ୍ଲା ଠାରୁ ରାଜଧାନୀ ପର୍ଯ୍ୟନ୍ତ ତିନି ପ୍ରମୁଖ ରାଜନୈତିକ ଦଳର ଜୋର୍‌ଦାର୍‌ କସରତ୍‌ ଚାଲିଛି। ପ୍ରାର୍ଥୀ ତାଲିକା ଆପାତତଃ ଚୂଡ଼ାନ୍ତ ବୋଲି ସବୁ ଦଳ ବାହାସ୍ଫୋଟ ମାରୁଥିଲେ ବି ବାସ୍ତବରେ କାହାର ଅଙ୍କ ଛିଡ଼ିପାରୁନି। ଏହି ପ୍ରକ୍ରିୟା ଭିତରେ ବିଜେଡି ଓ ବିଜେପି ଆଉ ପାଦେ ଆଗକୁ ଯାଇ ନିର୍ବାଚନ କମିସନ୍‌ଙ୍କ ନିକଟରେ ୪୦ ଜଣିଆ ‘ଷ୍ଟାର୍‌ କ୍ୟାମ୍ପେନର୍‌’ ତାଲିକା ଦାଖଲ କରିଛନ୍ତି। 
 
ଆଜି ଓ୍ଵାର୍ଡ ମେମ୍ବର ପଦବି ପାଇଁ ୪,୭୩୩, ସରପଞ୍ଚ ପାଇଁ ୧,୦୭୧, ପଞ୍ଚାୟତ ସମିତି ସଦସ୍ୟ ପାଇଁ ୫୪୩ ଓ ଜିଲ୍ଲା ପରିଷଦ ପାଇଁ ୩୮ ନାମାଙ୍କନ ପତ୍ର ଦାଖଲ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୩୧ ଓ ଝାରସୁଗୁଡ଼ା ଜିଲ୍ଲାରେ ସର୍ବନିମ୍ନ ୭ଟି ନାମାଙ୍କନ ପତ୍ର ଦାଖଲ ହୋଇଛି। ୧୭ ତାରିଖ ଯାଏଁ ନାମାଙ୍କନ ପତ୍ର ବିକ୍ରି ଓ ଦାଖଲ ପ୍ରକ୍ରିୟା ଜାରି ରହିବ। ୧୮ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ୍‌ କରାଯିବ। ୨୧ ତାରିଖ ଅପରାହ୍ନ ୩ଟା ସୁଦ୍ଧା ଇଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ଓ ସେହିଦିନ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। 
 
ଓ୍ଵାର୍ଡମେମ୍ବର, ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ପଦବି ପାଇଁ ନିର୍ଦ୍ଦଳୀୟ ନିର୍ବାଚନ ହେଉଥିବାରୁ ଗାଁଗଣ୍ଡାରେ ପ୍ରାର୍ଥୀ ଚୟନ ଚାଲିଛି। ଏହା ଏକ ବିଶାଳ ପ୍ରକ୍ରିୟା ହୋଇଥିବାରୁ ସବୁ ଦଳର ନେତାମାନଙ୍କ ଆଖିରୁ ନିଦ ହଜିଯାଇଛି। ନିଜ ନିଜ ସମର୍ଥକଙ୍କ ମଧ୍ୟରେ ବୁଝାମଣା କରି ଜଣଙ୍କୁ ପ୍ରାର୍ଥୀ କରିବା ସମସ୍ତଙ୍କ ପାଇଁ କାଠିକର ପାଠ ହୋଇଛି। ନାମାଙ୍କନ ପତ୍ର ଦାଖଲ ଆହୁରି ପାଞ୍ଚ ଦିନ ବାକି ଥିବାରୁ ଆଗାମୀ ଦିନରେ ଗାଁ ରାଜନୀତି ଆହୁରି ସରଗରମ ହେବାର ସମ୍ଭାବନା ରହିଛି। 
 
ଅପରପକ୍ଷରେ ଜିଲ୍ଲା ପରିଷଦ ନିର୍ବାଚନ ଦଳୀୟ ଭିତ୍ତିରେ ହେଉଥିବାରୁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାକୁ ତିନି ପ୍ରମୁଖ ଦଳ ଲାଗିପଡ଼ିଛନ୍ତି। ରାଜଧାନୀରେ ତାଲିକା ଚୂଡ଼ାନ୍ତ ପ୍ରକ୍ରିୟା ଚାଲିଥିବାରୁ ଏଠାରେ ହିଁ ପ୍ରାର୍ଥୀମାନେ ଡେରା ପକାଇଛନ୍ତି। ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ବୋଲି ଦାବି କରିବାରେ ତିନି ଦଳ କେହି କାହା ପଛରେ ପଡ଼ିନାହାନ୍ତି। ବିଜେପି ପକ୍ଷରୁ ୯୦ ପ୍ରତିଶତ ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି ବୋଲି କହିଛନ୍ତି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ରାୟଗଡ଼ାରେ ଆଜି ଦଳୀୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ୭୫ ପ୍ରତିଶତ ଆସନରେ ତାଲିକା ଚୂଡ଼ାନ୍ତ ହୋଇଛି। ଖୁବ୍‌ ଶୀଘ୍ର ସମସ୍ତେ ନାମାଙ୍କନ ପତ୍ର ଦାଖଲ କରିବେ। ଦଳର ସବୁ ନେତାଙ୍କ ସହ ଆଲୋଚନା କରାଯାଇ ପ୍ରାର୍ଥୀ ଚୂଡ଼ାନ୍ତ କରାଯାଉଛି। 
 
ବିଜେଡିର ମୁଖପାତ୍ର ଅମର ଶତପଥୀ କହିଛନ୍ତି, ଦୁଇ ଦିନ ହେଲା ଟିକେଟ୍‌ ବଣ୍ଟା ଆରମ୍ଭ ହେଲାଣି। ପ୍ରତି ଆସନ ପାଇଁ ସୁପାରିସ୍‌ ହୋଇଥିବା ୩ଟି ନାମ ମଧ୍ୟରୁ ଗୋଟିଏକୁ ସଭାପତି ନବୀନ ପଟ୍ଟନାୟକ ଚୂଡ଼ାନ୍ତ କରି ଟିକେଟ୍‌ ଦେଉଛନ୍ତି। ଯେଉଁଠି କାଁ ଭାଁ ସମସ୍ୟା ଅଛି, ତାହାକୁ ଖୁବ୍‌ ଶୀଘ୍ର ତୁଟାଇ ଦିଆଯିବ। 
 
ଇତିମଧ୍ୟରେ ବିଜେଡି ଓ ବିଜେପି ପକ୍ଷରୁ ନିର୍ବାଚନ କମିସନ୍‌ଙ୍କୁ ୪୦ ଜଣିଆ ‘ଷ୍ଟାର୍‌ କ୍ୟାମ୍ପେନର୍‌’ଙ୍କ ତାଲିକା ଦିଆଯାଇଛି। ବିଜେଡି ତାଲିକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୩ ମନ୍ତ୍ରୀ, ୬ ସାଂସଦ, ୯ ବିଧାୟକଙ୍କ ସମେତ ଓଲିଉଡ୍‌ର ଆଗ ଧାଡ଼ିର ଅଭିନେତା ଓ କଣ୍ଠଶିଳ୍ପୀ ସ୍ଥାନ ପାଇଛନ୍ତି। ବିଜେପି ତାଲିକାରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ରାଜ୍ୟ ସଭାପତି, ୪ ବିଧାୟକ, ପୂର୍ବତନ ମନ୍ତ୍ରୀ ଓ ଦଳର ରାଜ୍ୟ କର୍ମକର୍ତ୍ତାମାନେ ସ୍ଥାନ ପାଇଛନ୍ତି। ତେବେ ଦଳ ପକ୍ଷରୁ ପ୍ରଥମେ ଦିଆଯାଇଥିବା ତାଲିକାରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ସ୍ଥାନ ପାଇ ନ ଥିଲେ। ଏହାକୁ ନେଇ ଚର୍ଚ୍ଚା ଚାଲିଥିଲା ବେଳେ ପରବର୍ତ୍ତୀ ସମୟରେ ଉଭୟଙ୍କୁ ରଖାଯାଇ ଏକ ନୂଆ ତାଲିକା ନିର୍ବାଚନ କମିସନ୍‌ଙ୍କୁ ଦିଆଯାଇଛି। କଂଗ୍ରେସ ପକ୍ଷରୁ ଆସନ୍ତାକାଲି ‘ଷ୍ଟାର୍‌ କ୍ୟାମ୍ପେନର୍‌’ ତାଲିକା ଦିଆଯିବାର ସମ୍ଭାବନା ରହିଛି।