23 August 2017
3:42:11 PM
image
Sambad News
ରାଜ୍ୟ

ଜାନକୀବାବୁୁଙ୍କ ଜୀବନରେ ସାହିତ୍ୟ ଓ ରାଜନୀତିର ଅପୂର୍ବ ମିଳନ ଘଟିଥିଲା : ଜଷ୍ଟିସ ବିମଳ ପ୍ରସାଦ ଦାସ

ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ଟ୍ରଷ୍ଟ ପକ୍ଷରୁ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

By Sambad | Date: Apr 21 2017 2:32PM
ଜାନକୀବାବୁୁଙ୍କ ଜୀବନରେ ସାହିତ୍ୟ ଓ ରାଜନୀତିର ଅପୂର୍ବ ମିଳନ ଘଟିଥିଲା : ଜଷ୍ଟିସ ବିମଳ ପ୍ରସାଦ ଦାସ

ଖୋର୍ଦ୍ଧା: ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକ ଥିଲେ  ଜଣେ ବିରଳ ବ୍ୟକ୍ତିତ୍ୱ।  ତାଙ୍କ ପାଖରେ ସାହିତ୍ୟ ଓ ରାଜନୀତିର ଅପୂର୍ବ ମିଳନ ଘଟିଥିଲା। ଜଣେ ଯଶସ୍ୱୀ ସାହିତ୍ୟିକଭାବେ ସେ ଓଡ଼ିଆ ଓ ସଂସ୍କୃତ ବାଣୀଭଣ୍ଡାରକୁ ଯେପରି  ସମ୍ଢଦ୍ଧ କରିଛନ୍ତି, ଜଣେ ବିଚକ୍ଷଣ ରାଜନେତାଭାବେ  ଭାରତ ରାଜନୀତି ଇତିହାସରେ ନିଜପାଇଁ ସୃଷ୍ଟି କରି ଯାଇଛନ୍ତି ଏକ ଅଲିଭା ପାଦଚିହ୍ନ। ତାଙ୍କୁ ପାଇ କେବଳ ଖୋର୍ଦ୍ଧା ମାଟି ନୁହେଁ,  ସମଗ୍ର ଓଡ଼ିଶା ଗର୍ବିତ ବୋଲି ଜଷ୍ଟିସ ବିମଳ ପ୍ରସାଦ ଦାସ କହିଛନ୍ତି।  ଶୁକ୍ରବାର ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ  ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ଟ୍ରଷ୍ଟ ପକ୍ଷରୁ  ଖୋର୍ଦ୍ଧାର ଜାନକୀବଲ୍ଲଭ ପଟ୍ଟନାୟକ ପାର୍କଠାରେ  ଆୟୋଜିତ ସ୍ମୃତି ସଭାରେ ଜଷ୍ଟିସ ଦାସ ଏହା କହିଛନ୍ତି।
 
ଟ୍ରଷ୍ଟର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ  ସମ୍ମାନିତ ଅତିଥିଭାବେ ଯୋଗ ଦେଇ ପଞ୍ଚାୟତରାଜ ମନ୍ତ୍ରୀ ଅରୁଣ ସାହୁ  ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଜଣେ ଦରଦୀ ରାଜନେତା ଥିଲେ ବୋଲି କହିବା ସହିତ  ଉଭୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଓ ଆସାମର ରାଜ୍ୟପାଳ ଭାବେ ତାଙ୍କ ରାଜନୈତିକ ବିଚକ୍ଷଣତା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଥିଲେ।  ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହଥିଲେ ଯେ  ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜୀବନୀ ହେଉଛି ଏକ ସଫଳ କାହାଣୀ।  ଉଭୟ ଓଡ଼ିଆ ଓ ସଂସ୍କୃତଭାଷାର ସେ ଥିଲେ ଜଣେ ପ୍ରବୀଣ  ସାରସ୍ୱତ ସାଧକ। କେବଳ  ଜଣେ ବିଚକ୍ଷଣ ରାଜନେତା ଭାବେ ନୁହଁନ୍ତି, ଜଣେ ପ୍ରଚଣ୍ଡ ଜ୍ଞାନୀ ଭାବେ  ଆଗାମୀ ପିଢ଼ୀଙ୍କୁ ସ୍ୱର୍ଗତ ପଟ୍ଟନାୟକ  ଦିଗ୍‌ଦର୍ଶନ ଦେଉଥିବେ ବୋଲି ମୁଖ୍ୟବକ୍ତା ଦାଶ ବେନହୁର କହିଥିଲେ। 
 
ଅନ୍ୟମାନଙ୍କ ମଧ୍ୟରେ  ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ,  ପୂର୍ବତନ ବିଧାୟକ ଜିତୁ ମିତ୍ର,  ଅନନ୍ତ ପ୍ରସାଦ ସେଠୀ,  ଅମୀୟ କୁମାର  ଦାସ ପ୍ରମୁଖ  ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ। ଟ୍ରଷ୍ଟର ଅଧ୍ୟକ୍ଷ  ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ସଭାପତୀୟ  ଅଭିଭାଷଣରେ କହିଥିଲେ ଯେ  କୌଣସି  ଧନୀ ପରିବାରରେ ଜନ୍ମ ନ ନେଇ ମଧ୍ୟ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ନିଜର ବିରାଟ ବ୍ୟକ୍ତିତ୍ୱ ବଳରେ ଶୀର୍ଷ ସ୍ଥାନରେ ପହଞ୍ଚି ପାରିଥିଲେ। ସାହିତ୍ୟ, ରାଜନୀତି   ଓ ସାମାଜିକ ଜୀବନରେ ସେ ଉତ୍କର୍ଷ ଲାଭ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ପାରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ପ୍ରାରମ୍ଭରେ ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ସ୍ୱାଗତ ଭାଷଣ ଦେଇଥିବା ବେଳେ  ଡ. ବିମଳ ରଥ ଧନ୍ୟବାଦ ଦେଇଥଲେ।