19 September 2017
4:58:43 PM
Sambad News
ରାଜ୍ୟ

ବନ୍ଦ ହୋଇଯିବ ଯୁକ୍ତ୨ କଲେଜ!

ହାଇସ୍କୁଲରେ ପଢ଼ାଯିବ ଯୁକ୍ତ୨ ପାଠ୍ୟକ୍ରମ

By Sambad | Date: May 18 2017 9:09AM
ବନ୍ଦ ହୋଇଯିବ ଯୁକ୍ତ୨ କଲେଜ!

ଭୁବନେଶ୍ୱର : ରାଜ୍ୟରୁ ଉଚ୍ଛେଦ ହେବ ଯୁକ୍ତ୨ କଲେଜ। ଦଶମ ପାସ୍‌ କରୁଥିବା ଛାତ୍ରଛାତ୍ରୀ ସେହି କ୍ୟାମ୍ପସରେ ହିଁ ଯୁକ୍ତ୨ ପଢ଼ିବେ। ପଢ଼ାଇବା ଲାଗି ନିଯୁକ୍ତ ହେବେ ଅଧ୍ୟାପକ। ଯେଉଁମାନେ କି କେବଳ ଯୁକ୍ତ୨ ପିଲାଙ୍କୁ ପଢ଼ାଇବେ। ୨୦୧୮-୧୯ ଶିକ୍ଷାବର୍ଷରେ ୩୧୪ ବ୍ଲକ୍‌ର ଗୋଟିଏ ଲେଖାଏଁ ହାଇସ୍କୁଲରେ ଯୁକ୍ତ୨ ପାଠ୍ୟକ୍ରମରେ ପିଲାଙ୍କୁ ଶିକ୍ଷା ଦିଆଯିବ। ଆସନ୍ତା ୫ ବର୍ଷ ମଧ୍ୟରେ ସମସ୍ତ ହାଇସ୍କୁଲରେ ଏହି ପାଠ୍ୟକ୍ରମ ଖୋଲିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।
 
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନିୟମ ଅନୁଯାୟୀ ଏଣିକି ଯୁକ୍ତ୨ ପାଠ୍ୟକ୍ରମ ସ୍କୁଲ ଶିକ୍ଷା ସହ ଯୋଡ଼ାଯିବ। ଦଶମ ପାସ୍‌ କରିବା ପରେ ଛାତ୍ରଛାତ୍ରୀ ହାଇସ୍କୁଲରେ ହିଁ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ପଢ଼ିବେ। ସେଠାରୁ ପାସ୍‌ କରିବା ପରେ ଯୁକ୍ତ୩ କଲେଜରେ ନାମ ଲେଖାଇବେ। ତାହାକୁ ଦୃଷ୍ଟିରେ ରଖି ଚଳିତ ଶିକ୍ଷାବର୍ଷଠାରୁ ହାଇସ୍କୁଲରୁ ଅଷ୍ଟମ ଶ୍ରେଣୀକୁ ବାଦ୍‌ ଦିଆଯାଇଛି। ଏବେ କେବଳ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ହାଇସ୍କୁଲ ଚାଲିବ। ଇତିମଧ୍ୟରେ ରାଜ୍ୟର ୨୦୮ଟି ହାଇସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦିଆଯାଉଛି। ଏଥିପାଇଁ ସ୍ୱତନ୍ତ୍ର ଶିକ୍ଷକଙ୍କୁ ବି ନିଯୁକ୍ତି ଦିଆଯାଇଛି। ଏହାକୁ ଅଧିକ ବ୍ୟାପକ କରିବା ଲାଗି ଚଳିତବର୍ଷ ମଧ୍ୟ ଆଉ କିଛି ହାଇସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।
 
ହାଇସ୍କୁଲସ୍ତରରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ କିଭଳି ଖୋଲିବ ସେଥିପାଇଁ ଏକ ପାଇଲଟ୍‌ ପ୍ରୋଜେକ୍ଟ କରାଯିବ। ୨୦୧୮-୧୯ ଶିକ୍ଷାବର୍ଷରେ ଏହି ପ୍ରୋଜେକ୍ଟ କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୩୧୪ଟି ବ୍ଲକର ଗୋଟିଏ ଲେଖାଏ ହାଇସ୍କୁଲରେ ଯୁକ୍ତ୨ ପାଠ୍ୟକ୍ରମ ଖୋଲିବାକୁ ସ୍ଥିର ହୋଇଛି। ଏଥିପାଇଁ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ କରାଯିବ। ହାଇସ୍କୁଲ କ୍ୟାମ୍ପସରେ ପର୍ଯ୍ୟାପ୍ତ ଶ୍ରେଣୀ ଗୃହ ତିଆରି, ପିଜି ଟିଚର ନିଯୁକ୍ତି, ଲାଇବ୍ରେରି, ଲାବରେଟୋରି ତିଆରି କରିବା, ପ୍ରାକ୍ଟିକାଲ ପାଇଁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ କରିବା ଦିଗରେ ପଦକ୍ଷେପ ନିଆଯିବ। ୩୧୪ ବ୍ଲକର ଯେଉଁ ବିଦ୍ୟାଳୟରେ ଯୁକ୍ତ୨ ପାଠ୍ୟକ୍ରମ ଖୋଲିବ ତାହାର ତାଲିକା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।  ତେଣୁ ୨୦୧୮-୧୯ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିବା ଉଚ୍ଚ ମାଧ୍ୟମିକ ନିର୍ଦେଶାଳୟର ନିର୍ଦେଶକ ସୁନ୍ଦରଲାଲ୍‌ ସିଲ୍‌ କହିଛନ୍ତି।
 
ଶ୍ରୀ ସିଲ୍‌ଙ୍କ ସୂଚନା ଅନୁଯାୟୀ, ୨୦୨୨-୨୩ ଶିକ୍ଷାବର୍ଷ ସୁଦ୍ଧା ରାଜ୍ୟର ସମସ୍ତ ହାଇସ୍କୁଲରେ ଯୁକ୍ତ୨ ପାଠ୍ୟକ୍ରମ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି। ବ୍ଲୁପ୍ରିଣ୍ଟ ବି ପ୍ରସ୍ତୁତ ସରିଛି। ପ୍ରତିବର୍ଷ କିଛି ହାଇସ୍କୁଲକୁ ଏହି ବ୍ୟବସ୍ଥାରେ ସାମିଲ କରାଯିବ। ୫ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ହାଇସ୍କୁଲ ସାମିଲ ହେବ। ହାଇସ୍କୁଲରେ ଯୁକ୍ତ୨ ପାଠ୍ୟକ୍ରମ ଖୋଲିବା ପରେ ଯୁକ୍ତ୨ କଲେଜରେ ଥିବା ଅଧ୍ୟାପକମାନେ ଯୁକ୍ତ୩ କଲେଜରେ ନିୟୋଜିତ ହେବେ। ଯୁକ୍ତ୩ କଲେଜର ଭିତ୍ତିଭୂମିର ବିକାଶ ହୋଇପାରିବ। ହାଇସ୍କୁଲଗୁଡ଼ିକୁ ବି କେନ୍ଦ୍ରରୁ ଅଧିକ ବଜେଟ୍‌ ମିଳିବ। ଯେଉଁଥିରେ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ ହୋଇପାରିବ। ଇତି ମଧ୍ୟରେ ହରିଆଣା, ପଞ୍ଜାବ, ଗୁଜୁରାଟ ପରି ରାଜ୍ୟରେ ହାଇସ୍କୁଲସ୍ତରରେ ଯୁକ୍ତ୨ ପାଠ୍ୟକ୍ରମ ଖୋଲିସାରିଛି। ଆଉ କିଛି ରାଜ୍ୟ ଚଳିତବର୍ଷଠାରୁ ଲାଗୁ କରିବାକୁ ଯାଉଛନ୍ତି। ତାହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ତତ୍ପରତା ପ୍ରକାଶ କରିଥିବା ଜଣାପଡ଼ିଛି।

image