17 August 2017
7:03:04 PM
Sambad News
ରାଜ୍ୟ

ଖଟିଆରେ ବୁହା ହେଲେ ରୋଗୀ

ଗରଡାପାଣି: ଅପହଞ୍ଚ ଇଲାକାର ଦୟନୀୟ କାହାଣୀ

By Sambad | Date: Aug 10 2017 11:40PM
ଖଟିଆରେ ବୁହା ହେଲେ ରୋଗୀ

ଗୋରୁମହିଷାଣୀ : ରାସ୍ତା ନାହିଁ। ଗାଡ଼ିମଟର ଯାଉନି। ପାଦରେ ଚାଲିଚାଲି ଯିବା ବି କଷ୍ଟ। ଏମିତି ଏକ ଇଲାକର ରୋଗୀଙ୍କୁ ଆଜି ଖଟିଆରେ ବୋହି ଡାକ୍ତରଖାନା ନେଇଛନ୍ତି ପରିବାର ଓ ଗାଁ ଲୋକେ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍‌ ଅନ୍ତର୍ଗତ କୁଲେଇଶିଳା ପଞ୍ଚାୟତର ଗରଡ଼ାପାଣି ଗାଁରେ ଘଟିଛି ଏ ଘଟଣା। ଯାହା ସୂଚାଇ ଦେଉଛି ସରକାରଙ୍କ ବିଭିନ୍ନ ଯୋଜନାର ଗତି ଓ ପ୍ରଗତିକୁ। ଗରଡ଼ାପାଣି ଗାଁ ଏବେ ବି ଅପହଞ୍ଚ ଇଲାକା ହୋଇ ରହିଛି। ଯେଉଁ ଗାଁକୁ ଭଲ ରାସ୍ତା ନାହିଁ। ଯେଉଁ ପାଦଚଲା ରାସ୍ତା ଅଛି, ତାହା ପୁଣି ପାହାଡ଼ିଆ। ଫଳରେ ଗାଁର ଗୁରୁବାରୀ ମୁର୍ମୁ (୬୦)ଙ୍କୁ ତାଙ୍କ ପୁଅ ଗ୍ରାମବାସୀଙ୍କ ସହାୟତାରେ ଖଟିଆରେ ବୋହି ସାଢ଼େ ୩ କିମି ଦୂର କଳସୀଭଙ୍ଗା ପର୍ଯ୍ୟନ୍ତ ନେଇଛନ୍ତି। ସେଠାରୁ ଗୁରୁବାରୀଙ୍କୁ ଗାଡ଼ି ଯୋଗେ ଗୋରୁମହିଷାଣୀ ମେଡିକାଲକୁ ନିଆଯାଇଛି। 
  
ସୂଚନା ଅନୁସାରେ, ବିଧବା ଗୁରୁବାରୀ କିଛିଦିନ ହେଲା ଜ୍ୱରରେ ପୀଡ଼ିତ।  ତାଙ୍କୁ ଜ୍ୱର ନଛାଡ଼ିବାରୁ ଆଜି ତାଙ୍କ ପୁଅ ଗୋପୀନାଥ ମେଡିକାଲକୁ ନେବା ପାଇଁ ଅଣ୍ଟା ଭିଡ଼ିଥିଲେ। ଏଥିପାଇଁ ସେ ଗ୍ରାମବାସୀଙ୍କ ସହାୟତା ଲୋଡ଼ିଥିଲେ। କେତେକ ଯୁବକ ସହାୟତାର ହାତ ବଢ଼ାଇବା ପରେ ସେମାନେ ମିଶି ଗୁରୁବାରୀଙ୍କୁ ସାଢ଼େ ୩କିମି ବାଟ ଖଟିଆରେ ବୋହି ଓ କଳସୀଙ୍ଗାରୁ ଏକ ଟାଟା ମ୍ୟାଜିକରେ ଗୋରୁମହିଷାଣୀ ମେଡିକାଲକୁ ନେବା ଘଟଣାରେ ସ୍ଥାନୀୟ ଲୋକେ ସରକାର ଓ ପ୍ରଶାସନକୁ କଟୁ ସମାଲୋଚନା କରିଛନ୍ତି।