24 September 2017
10:33:50 AM
Sambad News
ରାଜ୍ୟ

ନବୀନଙ୍କୁ ଆଉଟ୍‌ଲୁକ୍‌ ସମ୍ମାନ

ଜୋର୍‌ଦାର୍‌ ସମ୍ବର୍ଦ୍ଧନା ପାଇଁ ବିଜେଡିର ପ୍ରସ୍ତୁତି

By Sambad | Date: Aug 18 2017 4:42AM
ନବୀନଙ୍କୁ ଆଉଟ୍‌ଲୁକ୍‌ ସମ୍ମାନ

ଦିଲ୍ଲୀରୁ ଭୁବନେଶ୍ୱର ଯାଏଁ ହେବ ସମ୍ବର୍ଦ୍ଧନା

 
ଭୁବନେଶ୍ୱର : ଇଂରାଜୀ ପତ୍ରିକା ‘ଆଉଟ୍‌ଲୁକ୍‌’ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଶ୍ରେଷ୍ଠ ପ୍ରଶାସକ’ ସମ୍ମାନ ପ୍ରଦାନ କରାଯିବ। ଆସନ୍ତାକାଲି ନୂଆଦିଲ୍ଲୀରେ ହେବାକୁ ଥିବା ଆଉଟ୍‌ଲୁକ୍‌ ସ୍ପିକ୍‌ ଆଉଟ୍‌ ଆଓ୍ଵାର୍ଡ କାର୍ଯ୍ୟକ୍ରମରେ ନବୀନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଜାତୀୟ ସ୍ତରର ଏହି ସମ୍ମାନକୁ ଅଧିକ ପ୍ରଚାର, ପ୍ରସାର କରିବା ପାଇଁ ବିଜେଡି ପକ୍ଷରୁ ଜୋର୍‌ଦାର୍‌ ପ୍ରସ୍ତୁତି ଚାଲିଛି। ନୂଆଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନବୀନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଦଳର ପ୍ରମୁଖ ଯୁବ ନେତାମାନେ ନୂଆଦିଲ୍ଲୀ ଓ ଭୁବନେଶ୍ୱରରେ ଏଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି। 
 
‘ଆଉଟ୍‌ଲୁକ୍‌ ସ୍ପିକ୍‌ ଆଉଟ୍‌ ଆଓ୍ଵାର୍ଡ’ରେ ‘ଶ୍ରେଷ୍ଠ ପ୍ରଶାସକ’ ବିଭାଗରେ ୬ ଜଣ ମୁଖ୍ୟମନ୍ତ୍ରୀଙ୍କୁ ନିଆଯାଇଥିଲା। ନବୀନଙ୍କ ବାଦ୍‌ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାର ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏହି ତାଲିକାରେ ସ୍ଥାନ ପାଇଥିଲେ। ଅନ୍‌ଲାଇନ୍‌ ଭୋଟିଂ ମାଧ୍ୟମରେ ଶ୍ରେଷ୍ଠ ପ୍ରଶାସକ ଚୟନ କରାଯାଇଥିଲା। ଅନ୍ୟ ପାଞ୍ଚ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ଶ୍ରେଷ୍ଠ ପ୍ରଶାସକ ଭାବେ ମନୋନୀତ ହୋଇଛନ୍ତି। ରାଜ୍ୟର ଅର୍ଥନୈତିକ ବିକାଶ, ସାମାଜିକ ନିରାପତ୍ତା, ପୁଞ୍ଜିନିବେଶ ପାଇଁ ଅନୁକୂଳ ପରିବେଶ, ବିଭିନ୍ନ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି, ପ୍ରଶାସନରେ ସ୍ୱଚ୍ଛତା ଆଦି କ୍ଷେତ୍ରକୁ ବିଚାରକୁ ନିଆଯାଇ ନବୀନଙ୍କୁ ‘ଶ୍ରେଷ୍ଠ ପ୍ରଶାସକ’ ମନୋନୟନ ତାଲିକାରେ ରଖାଯାଇଥିଲା। 
 
ଓଡ଼ିଶାରେ ଶାସନ ଡୋରି ଧରିଲା ପରଠାରୁ ଜାତୀୟ ଗଣମାଧ୍ୟମରେ ନିଜ ଭାବମୂର୍ତ୍ତି ସବୁବେଳେ ଉଜ୍ଜ୍ୱଳ ରଖିବାକୁ ନବୀନ ଯଥାସାଧ୍ୟ ଉଦ୍ୟମ କରିଛନ୍ତି। ଚତୁର୍ଥ ପାଳି ଶାସନକୁ ଆସିଲା ପରେ ଏହା ଉପରେ ସେତେଟା ଗୁରୁତ୍ୱ ଦେଇ ନ ଥିଲେ। କିନ୍ତୁ ପଞ୍ଚାୟତ ନିର୍ବାଚନରେ ଝଟ୍‌କା ପାଇଲା ପରେ ଜାତୀୟ ସ୍ତରରେ ନବୀନଙ୍କ ଛବି କିଛିଟା ମଳିନ ହୋଇପଡ଼ିଲା। ଏହା ପରେ ନବୀନ ତାଙ୍କ ପୁରୁଣା ଷ୍ଟାଇଲ୍‌ରେ ପୁଣି ଜାତୀୟ ଗଣମାଧ୍ୟମରେ ନିଜ ଭାବମୂର୍ତ୍ତି ସଜାଡ଼ିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏକ ଇଂରାଜୀ ପତ୍ରିକାର କଭର୍‌ ପୃଷ୍ଠାରେ ସ୍ଥାନ ପାଇ ଚର୍ଚ୍ଚାକୁ ଆସିଲେ। ଏବେ ଆଉଟ୍‌ଲୁକ୍‌ ପତ୍ରିକା ପକ୍ଷରୁ ସମ୍ମାନ ପାଇଲା ପରେ ଜାତୀୟ ସ୍ତରରେ ନିଜର ଦକ୍ଷତା ଓ ସ୍ୱଚ୍ଛତାକୁ ପ୍ରମାଣିତ କରିବାର ସୁଯୋଗ ମିଳିବ ବୋଲି ବିଜେଡି ପକ୍ଷରୁ ଆକଳନ କରାଯାଉଛି। 
ଏହି ସମ୍ମାନକୁ ଅଧିକ ପ୍ରଚାର ଓ ପ୍ରସାର କରି ରାଜନୈତିକ ଫାଇଦା ଉଠାଇବା ଓ ନବୀନଙ୍କ ଭାବମୂର୍ତ୍ତି ଉଜ୍ଜ୍ୱଳ କରିବାର ସୁଯୋଗକୁ ବିଜେଡି ହାତଛଡ଼ା କରିବାକୁ ଚାହୁଁ ନାହିଁ। ଶୁକ୍ରବାର ସନ୍ଧ୍ୟାରେ ସମ୍ମାନ ପାଇଲା ପରେ ଶନିବାର ନୂଆଦିଲ୍ଲୀରେ ହିଁ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଜେଡିର ଦୁଇ ଜଣ ତୁଙ୍ଗ ନେତା ଦିଲ୍ଲୀରେ ରହି ଏହାକୁ ତଦାରଖ କରୁଛନ୍ତି। ରବିବାର ଦିନ ନବୀନ ଭୁବନେଶ୍ୱର ଫେରିଲା ପରେ ବିମାନବନ୍ଦରରୁ ତାଙ୍କୁ ଜୋର୍‌ଦାର୍‌ ସ୍ୱାଗତ କରାଯିବ। ଏଥିରେ ଅଧିକ ଲୋକଙ୍କୁ ସାମିଲ୍‌ କରି ଏକ ସୁଦୃଶ୍ୟ ଶୋଭାଯାତ୍ରା ବିମାନବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ କରିବା ପାଇଁ ପ୍ରସ୍ତୁତି ଚାଲିଛି। 
କିଛି ଦିନ ହେଲା ବିଜେଡି ପକ୍ଷରୁ କୌଣସି ବଡ଼ ଧରଣର ସଭା, ଶୋଭାଯାତ୍ରା ଭୁବନେଶ୍ୱରରେ କରାଯାଇ ନାହିଁ। ବିଭିନ୍ନ ପ୍ରସଙ୍ଗରେ ଛୋଟ ଛୋଟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ତେଣୁ ନବୀନଙ୍କୁ ସମ୍ମାନ ପ୍ରଦାନ ପରିପ୍ରେକ୍ଷୀରେ ଏକ ଶୋଭାଯାତ୍ରା ଆୟୋଜନ କରି କର୍ମକର୍ତ୍ତା ଓ କର୍ମୀମାନଙ୍କୁ ସକ୍ରିିୟ କରିବାକୁ ଦଳ ଯୋଜନା କରିଛି। 

image