30 April 2017
10:39:20 AM
image
Sambad News
ରାଜ୍ୟ

ପ୍ରାର୍ଥୀ ହେଲେ ମୃତ୍ୟୁଦଣ୍ଡ

ନିର୍ବାଚନ ପୂର୍ବରୁ ମାଓ ଧମକ, ଭୋଟ୍‌ ଦେଲେ ଅଙ୍ଗୁଳି କାଟ୍‌, ରାଲେଗଡ଼ାରେ ଭୋଟ୍‌ ବର୍ଜନ ନିଷ୍ପତ୍ତି

By Sambad | Date: Jan 11 2017 6:02AM
ପ୍ରାର୍ଥୀ ହେଲେ ମୃତ୍ୟୁଦଣ୍ଡ

ଜୟପୁର/ମାଲକାନଗିରି: ନିର୍ବାଚନ ଆସିଲେ ମାଓ ଉପଦ୍ରୁତ ଅଞ୍ଚଳରେ ଖେଳିଯାଉଛି ଆତଙ୍କ। ଭୋଟ ବର୍ଜନ ଚେତାବନୀ ସହ ମାଓବାଦୀ ନିଜେ ପ୍ରାର୍ଥୀ ଦେଇ ନିର୍ଦ୍ୱନ୍ଦ୍ୱରେ ଜିତାଇବାକୁ ଚାପ ପକାନ୍ତି। ଏଥର ମଧ୍ୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ  ଏମିତି କିଛି ଘଟଣା ଦେଖିବାକୁ ମିଳିଛି। ସିପିଆଇ ମାଓବାଦୀ ମାଲକନାଗିରି ଡିଭିଜନାଲ କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ମରାଯାଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ  କୁହାଯାଇଛି। ପ୍ରର୍ଥୀ ହେଲେ ମୃତ୍ୟୁଦଣ୍ଡ ଏବଂ ଭୋଟ ଦେଲେ ଅଙ୍ଗୁଳି କାଟ ପାଇଁ ଧମକ ଦିଆଯାଇଛି। ନିର୍ଦେଶ ନମାନିଲେ ପରିଣାମ ପାଇଁ ପ୍ରସ୍ତୁତ ରହିବାକୁ କୁଡୁମୁଲୁଗୁମ୍ମା, ଚିତ୍ରକୋଣ୍ଡା ଅଞ୍ଚଳରେ ପୋଷ୍ଟର ମାରି ମାଓ ସଂଗଠନ ଚେତାବନୀ ଦେଇଛି। ଏଥିସହ ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରଜାମେଳି କରି ଜନ ସମର୍ଥନ ଯୋଗାଡ଼ କରି ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ କୁହାଯାଉଛି। ତେଣୁ ମାଓ ଉପଦ୍ରୁତ ଅଞ୍ଚଳ ବିଶେଷ କରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିବା ପ୍ରଶାସନ ପାଇଁ ସହଜ ହେବନି ବୋଲି ଆଲୋଚନା ହେଉଛି।

ବିଚ୍ଛିନ୍ନାଞ୍ଚଳର ପଣସପୁଟ ଏନ୍‌କାଉଣ୍ଟରରେ ୩୦ ମାଓବାଦୀଙ୍କ ମୃତ୍ୟୁ ପରେ ମାଓ ସଂଗଠନ ଦୁର୍ବଳ ହୋଇପଡ଼ିଥିବା ଅନୁମାନ କରାଯାଉଥିଲା। ତେବେ ସଂଗଠନକୁ ପୁଣି ମଜଭୁତ କରିବା ପାଇଁ ଏବେ ପୁଣି ଜୋରସୋର ପ୍ରୟାସ ଚାଲିଛି। ବିଚ୍ଛିନ୍ନାଞ୍ଚଳର ରାଲେଗଡ଼ାକୁ ଲାଗିଥିବା ଏକ ଜଂଗଲରେ ମାଓନେତା ରାମନ୍ନା ଓରଫ ନାଗେଶଙ୍କ ନେତୃତ୍ୱରେ ପ୍ରଜାମେଳି ହୋଇଛିି। ଏଥିରେ ଆଖପାଖ ୧୦ଟି ଗ୍ରାମର ୫ଶହରୁ ଊର୍ଧ୍ୱ ଲୋକ ଯୋଗଦେଇଥିଲେ। ଲୋକେ ସରକାର ବିରୋଧୀ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ଯାଇ ଜଂଗଲର ସମାବେଶସ୍ଥଳରେ ଯୋଗଦେଇଥିଲେ। ଅବଶ୍ୟ ମାଓବାଦୀ ସମର୍ଥିତ ରୟତ କୁଲି ସଂଘ ନାମରେ ଏହି ସମର୍ଥକମାନେ ଏକାଠି ହୋଇଥିଲେ। ରାଲେଗଡ଼ା ଅଞ୍ଚଳକୁ କୌଣସି ସରକାରୀ ସୁବିଧା ପହଞ୍ଚୁନଥିବା, ବିଦ୍ୟାଳୟକୁ ଶିକ୍ଷକ ଆସୁନଥିବା, ଅଙ୍ଗନବାଡ଼ି କେନ୍ଦ୍ରକୁ କର୍ମୀ ଆସୁନଥିବା, ନିର୍ବାଚିତ ପ୍ରତିନିଧି ଭୋଟ ପରେ ଅଞ୍ଚଳକୁ ଭୁଲିଯାଉଥିବା ଭଳି ନାନା ଅଭିଯୋଗ ବାଢ଼ି ଏହି ସମର୍ଥକମାନେ ଏଥର ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। କେବଳ ରାଲେଗଡ଼ା ନୁହେଁ, ବିଚ୍ଛିନ୍ନାଞ୍ଚଳର ସମସ୍ତ ପଞ୍ଚାୟତରେ ଭୋଟ କରାଇ ନଦେବାକୁ ମାଓ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ସଭା କରାଯାଉଥିବା ସହ ପୋଷ୍ଟର ମାରି ଚେତାବନୀ ଦିଆଯାଉଛି।

ଏଠାରେ ଉଲ୍ଲେଖଯୋଗ୍ୟ, କୋରାପୁଟ ଜିଲ୍ଲାର ନାରାୟଣପାଟଣା ଅଞ୍ଚଳରେ ଗତଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଚାଷୀ ମୂଲିଆ ଆଦିବାସୀ ସଂଘ ସମର୍ଥିତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ବିଭିନ୍ନ ଆଳ ଦେଖାଇ କୌଣସି ରାଜନୈତିକ ଦଳ ପ୍ରାର୍ଥୀ ଦେଇନଥିଲେ। ସେହିପରି ବର୍ତ୍ତମାନ ରାୟଗଡ଼ା ଜିଲ୍ଲାର ନିୟମଗିରି ଅଞ୍ଚଳରେ ନିର୍ବାଚନ ନକରି ପ୍ରାର୍ଥୀ ଚୟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ନିୟମଗିରି ସୁରକ୍ଷା ସମିତି ଏଠାରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ୧୧ଟି ୱାର୍ଡର ସଭ୍ୟଙ୍କୁ ସର୍ବସମ୍ମତି କ୍ରମେ ଚୟନ କରିଛି। ଯେଉଁମାନେ ଚାଲାକି କରି ପ୍ରାର୍ଥିପତ୍ର ଦାଖଲ କରିବେ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ତେଣୁ ଏଠାକାର ଗଣତନ୍ତ୍ର ବ୍ୟବସ୍ଥା ଏକ ପ୍ରକାର ସରକାରୀ କଳ ହାତରୁ ଖସିଯାଇଛି।

image