28 February 2017
1:35:01 PM
Sambad News
ସୁବର୍ଣ୍ଣପୁର

ବିପିଏଲ ବିଦ୍ୟୁତ ଉପଭୋକ୍ତା ହଇରା

ପ୍ରତିବାଦରେ ଡିବିରି ଜାଳି ଏନ୍‌ଏଚ୍‌ ଅବରୋଧ

By Sambad | Date: Dec 14 2016 3:44AM
ବିପିଏଲ ବିଦ୍ୟୁତ ଉପଭୋକ୍ତା ହଇରା


ସୋନପୁର: ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟଠାରୁ ବଡ଼ବଡିଆଙ୍କ ପାଖରେ କୋଟି କୋଟି ଟଙ୍କା ବିଦ୍ୟୁତ ଦେୟ ବାକି ପଡ଼ିଛି। ଅନ୍ୟପକ୍ଷେ େଓ୍ଵସ୍କୋ କର୍ତ୍ତୃପକ୍ଷ ବିପିଏଲ ଉପଭୋକ୍ତାଙ୍କ ଉପରେ ଦାଦାଗିରି କରୁଥିବା ଦେଖିବାକୁ ମିଳିଛି ମଙ୍ଗଳବାର ସୁବର୍ଣ୍ଣପୁର ଜିଲ୍ଲାରେ। ବିନା ନୋଟିସରେ ସୋନପୁର ସଦର ବ୍ଲ୍ଲକ ଅନ୍ତର୍ଗତ ବାଗଡୁଲି ଗାଁର ବିପିଏଲ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ କାଟି ଦେଇଥିଲେ। ଫଳରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ମଙ୍ଗଳବାର ସନ୍ଧ୍ୟାରେ ବଲାଙ୍ଗୀର-ସୋନପୁର ଜାତୀୟ ରାଜପଥ ବାଗଡୁଲି ନିକଟରେ ପ୍ରାୟ ୪ ଘଣ୍ଟା ଧରି ଅବରୋଧ କରିଥିଲେ। ଫଳରେ ଯାତାୟାତରେ ଘୋର ସମସ୍ୟା ସୃଷ୍ଟି ହୋଇଥିଲା।
 

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ବାଗଡୁଲି ଗାଁରେ ପ୍ରାୟ ୫୦ ଜଣ ବିପିଏଲ ଉପଭୋକ୍ତା ଏବଂ ୭୦ ଜଣ ସାଧାରଣ ଉପଭୋକ୍ତା ଅଛନ୍ତି। ବିଦ୍ୟୁତ ବିଭାଗ ବିନା ସୂଚାନରେ ଗାଁକୁ ବିଦ୍ୟୁତ ଦେୟ ନେବାକୁ ଆସିଥିଲେ। ବିପିଏଲ ଉପଭୋକ୍ତା ଏ ସଂକ୍ରାନ୍ତରେ ଆଗରୁ ଜାଣି ନ ଥିବାରୁ ସଙ୍ଗେ ସଙ୍ଗେ ବିଦ୍ୟୁତ ଦେୟ ପୈଠ କରିବାକୁ ଅସମର୍ଥ ପ୍ରକାଶ କରିଥିଲେ। ତଥାପି ଗାଁ କିଛି ଉପଭୋକ୍ତା ବିଲ୍‌ ପଇଠ କରିଥିଲେ। ତେବେ ସୋମବାର େଓ୍ଵସ୍କୋ କର୍ତ୍ତୃପକ୍ଷ ସମସ୍ତ ବିପିଏଲ ଉପଭାକ୍ତାଙ୍କ ବିଦ୍ୟୁତ ବିଛିନ୍ନ କରିଦେଇଥିଲେ।

ବିନା ସୂଚନା ଏବଂ ବିନା ନୋଟିସରେ ବିଭାଗୀୟ କର୍ତୃପକ୍ଷ ଏପରି କରିଥିବାରୁ ଏହା ବିପିଏଲ ପରିବାର ଉପରେ ବିଭାଗୀୟ କର୍ତ୍ତୃପକ୍ଷ ଦାଦାଗିରି କରିଥିବା ସ୍ପଷ୍ଟ ଜଣାପଡୁଛି ବୋଲି ଗ୍ରାମାବାସୀ ଅଭିଯୋଗ କରିଥିଲେ। ଏନେଇ ସୋମବାର ଗ୍ରାମବାସୀ ବିଦ୍ୟୁତ ବିଭାଗ ସହିତ ଯୋଗାଯୋଗ କରିବା ସହିତ ଯେଉଁମାନେ ବିଦ୍ୟୁତ ଦେୟ ପୈଠ କରିଛନ୍ତି ସେମାନଙ୍କର ବିଦ୍ୟୁତ କାଟ ନକରିବାକୁ ଅନୁରୋଧ କରିଥିଲେ। ଏହାପରେ େଓସ୍କୋ କର୍ତୃପକ୍ଷ ମଙ୍ଗଳବାର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଏବଂ ଏସଡିଓ ସାଗରପାଲି ଗାଁକୁ ଯାଇ ସେହିଠାରେ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ଏଣୁ ମଙ୍ଗଳବାର ବାଗଡୁଲି ଗାଁର ବିଦ୍ୟୁତ ଉପଭୋକ୍ତା ସାଗରପାଲି ଯାଇଥିଲେ। ମାତ୍ର ସେଠାକୁ ନିର୍ବାହୀ ଯନ୍ତ୍ରୀ ଆସିନଥିଲେ।

ଗ୍ରାମବାସୀ ପୁନର୍ବାର ସୋନପୁର ସେକସନକୁ ଫୋନ କରିବା ସହିତ ବିଦ୍ୟୁତ ସଂଯୋଗ ପାଇଁ ଅନୁରୋଧ କରିଥିଲେ। ସେଠାରୁ ଫୋନ ଧରିଥିବା କର୍ମଚାରୀ କୁଆଡ଼େ ‘ଟଙ୍କା ପୈଠ କରିବାକୁ ତ ଦମ୍ଭ ନାହିଁ କାହିଁକି ବିଦ୍ୟୁତ ନେଇଛ। କଣ କରିବାର ଅଛି ତୁମେ ଗ୍ରାମବାସୀମାନେ କର ଆମେ ଦେଖିବୁ’ ବୋଲି କହିଥିଲେ। ଏହି ଉତର ସେକସନ କାର୍ଯ୍ୟାଳୟରୁ ପାଇବା ପରେ ଗ୍ରାମବାସୀ ଏବଂ ବିଦ୍ୟୁତ ଉପଭୋକ୍ତାଙ୍କଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସନ୍ଧ୍ୟାରେ ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ କରିଥିଲେ। ବିଦ୍ୟୁତ ଉପଭୋକ୍ତମାନେ ଡିବିରି ଜାଳି ଅଭିନବ ଉପାୟରେ ରାସ୍ତା ଅବରୋଧ କରିଥିଲେ।

ରାସ୍ତା ଅବରୋଧ ଖବର ପାଇବା ପରେ ସେଠାରେ ବିଶିମୁଣ୍ଡା ସରପଞ୍ଚ ମଧୁସୁଦନ ଓତା ସୋନପୁର ଆଇଆଇସି ଅମରେନ୍ଦ୍ର ଷାଣ୍ଢ ଘଟନା ସ୍ଥଳରେ ପହଂଚି ଲୋକଙ୍କ ସହିତ ଆଲୋଚନା କରିଥିଲେ । ବିଦ୍ୟୁତ ସଂଯୋଗ ନହେବା ପର୍ଯ୍ୟନ୍ତ ରାସ୍ତାରୋକ ହଟିବ ନାହିଁ ବୋଲି ଲୋକେ ଜିଦ ଧରିବା ପରେ ବିଦ୍ୟୁତ ସଂଯୋଗ କରଯିବା ପରେ ଯାଇ ରାସ୍ତାରୋକ ହଟିଥିଲା। ଏହି ରାସ୍ତାରୋକରେ ଆଖପାଖ ଗ୍ରାମର ଲୋକ ମଧ୍ୟ ସାମିଲ ଥିଲେ। େଓସ୍କୋ କର୍ତୃପକ୍ଷ କେବଳ ବାଗଡୁଲି ଗ୍ରାମର ବିଦ୍ୟୁତ ଉପଭୋକ୍ତାଙ୍କ ବିଦ୍ୟୁତ ବିଛିନ୍ନ କରିନାହାନ୍ତି ସାଗରପାଲି, କେନ୍ଦୁମୁଣ୍ଡା, ବହିରଖମନ, ଗଡିଆ ଆଦି ଗ୍ରାମରେ ମଧ୍ୟ ଏପରି କରିଥିବା ଅଭିଯୋଗ ହୋଇଛି।

ବିପିଏଲ ଉପଭୋକ୍ତାଙ୍କ ଉପରେ େଓସ୍କୋର ଏପରି ଦାଦାଗିରି ବହୁ ଦିନ ହେଲା ଚାଲିଛି। ବିଦ୍ୟୁତ ଉପଭୋକ୍ତାଙ୍କ ବିଦ୍ୟୁତ ବିଛିନ୍ନ କରୁଥିବା ବେଳେ ଅଧିକ ବିଦ୍ୟୁତ ଦେୟ ବାକିଥିବା ସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ତଥା ବଡବଡିଆଲୋଙ୍କର ବିଦ୍ୟୁତ ବିଛିନ୍ନ କରିବାକୁ ପଛଘୁଂଚା ଦେଉଛି ଯାହାକୁ ନେଇ ବିପିଏଲ ବିଦ୍ୟୁତ ଉପଭୋକ୍ତାଙ୍କଠାରେ ବିସ୍ମୟ ପ୍ରକାଶ ପାଇଛି । ଓେସ୍କୋ କର୍ତୃପକ୍ଷଙ୍କ ଏପରି ଦାଦାଗିରିକୁ ବୁଦ୍ଧିଜୀବୀମାନେ ମଧ୍ୟ ନାପସନ୍ଦ କରିଛନ୍ତି। ଏନେଇ ବିଦ୍ୟୁତ ବିବାଗ ନିର୍ବାହୀ ଯନ୍ତ୍ରୀଙ୍କୁ  ମୋବାଇଲ ଫୋନରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମୋବାଇଲ ନ ଉଠାଇବାରୁ ମତାମତ ନିଆଯାଇପାରି ନାହିଁ। ରାସ୍ତାରୋକ ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଥିଲା।