23 May 2017
5:58:35 PM
image
Sambad News
ସୁବର୍ଣ୍ଣପୁର

ସର୍ବଶିକ୍ଷା ଅଭିଯାନରେ ୪୫ କୋଟି ଟଙ୍କାର ୟୁସି ନଦେବା ଘଟଣା

କାର୍ଯ୍ୟାନୁଷ୍ଠାନ ପରେ ଚେଇଁଲେ କର୍ମଚାରୀ

By Sambad | Date: Dec 16 2016 11:02AM
ସର୍ବଶିକ୍ଷା ଅଭିଯାନରେ ୪୫ କୋଟି ଟଙ୍କାର ୟୁସି ନଦେବା ଘଟଣା


ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବଶିକ୍ଷା ଅଭିଯାନରେ ଚାଲିଥିବା ବିଭିନ୍ନ ଯୋଜନାର ପ୍ରାୟ ୪୫ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ସମ୍ପୃକ୍ତ ଅଧିକାରୀମାନେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟକୁ ଦେଇ ନଥବା ସମ୍ପର୍କରେ ଗତ ନଭେମ୍ବର ୩୦ ତାରିଖ ଦିନ ‘ସମ୍ବାଦ’ରେ ପ୍ରକାଶିତ ହୋଇଥିଲା। ଏ ସମ୍ପର୍କରେ ଜିଲ୍ଲାପାଳ ସମ୍ପୃକ୍ତ କର୍ମଚାରୀମାନଙ୍କର ଦରମା ବନ୍ଦ କରିବା ପାଇଁ ନିର୍ଦେଶ ଦେବା ପରେ ସେମାନେ ତତ୍ପର ହୋଇଥିଲେ। ସର୍ବଶିକ୍ଷା ଅଭିଯାନର ବିଭିନ୍ନ ଯୋଜନାରେ ଖର୍ଚ୍ଚ ହୋଇଥିବା ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ ନେଇ ଆବଶ୍ୟକ କାର୍ଯ୍ୟ କରିବା ସହିତ ଡିିସେମ୍ବର ୩୧ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ରାଜିନାମା ଦେବା ପରେ ସେମାନଙ୍କର ଦରମା ଦିଆଯାଇଛି। ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।
 

ମିଳିଥିବା ସୂଚନା ଅନୁସାରେ, ସର୍ବଶିକ୍ଷା ଅଭିଯାନର ଟଙ୍କା ବିଭିନ୍ନ ଉପାୟରେ ବାଟମାରଣା ହେଉଥିବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିଲା। ୨୦୧୧ ମସିହାରୁ ଜିଲ୍ଲାର ବିଭିନ୍ନ କାର୍ଯ୍ୟକାରୀ ସଂସ୍ଥା ଓ ସ୍କୁଲ୍‌ଗୁଡ଼ିକୁ ଯୋଗାଇ ଦିଆଯାଇଥିବା ଅନୁଦାନ ମଧ୍ୟରୁ ପ୍ରାୟ ୪୫ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ସମ୍ପୃକ୍ତ ଅଧିକାରୀମାନେ ଦାଖଲ କରିନଥିବା ସେମାନଙ୍କର ଖାମଖିଆଲି ମନୋଭାବକୁ ସ୍ପଷ୍ଟ କରିବା ସହିତ ମହା ଦୁର୍ନୀତି ହୋଇଥିବା ଆଶଙ୍କା ପ୍ରକାଶ ପାଇଛି ।

ସର୍ବଶିକ୍ଷା ଅଭିଯାନ ପକ୍ଷରୁ ସ୍କୁଲ ଗୃହ ନିର୍ମାଣ, ମରାମତି, ପୋଷାକ ଯୋଗାଣ, ସଭା ସମତି, ସଚେତନତା କାର୍ଯ୍ୟକ୍ରମରେ ୨୦୧୧ରୁ କୋଟି କୋଟି ଟଙ୍କା ବିଭିନ୍ନ ବିଦ୍ୟାଳୟ ଏବଂ କାର୍ଯ୍ୟକାରୀ ସଂସ୍ଥାମାନଙ୍କୁ ଯୋଗାଇ ଦିଆଯାଇଥିଲା। ଜିଲ୍ଲାରେ ବାଗବାହାଲି ସମେତ ଅନେକ ବିଦ୍ୟାଳୟରେ ଗୃହ ନିର୍ମାଣ ପାଇଁ ଯୋଗାଇ ଦିଆଯାଇଥିବା ଅନୁଦାନର ଟଙ୍କା ଉଠିଥିଲେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ନହେବା ବିଦ୍ୟାଳୟ ଗୃହ ନିର୍ମାଣରେ ସର୍ବାଧିକ ଦୁର୍ନୀତି ହେଉଥିବା ସାଧାରଣରେ ଅଭିଯୋଗ ହେଉଛି। ବିଦ୍ୟାଳୟ ଗୃହ ନିର୍ମାଣ ନକରି ଟଙ୍କା ଉଠାଯାଇ ଏହି ଗୃହ ନିର୍ମାଣ ଦାୟିତ୍ୱରେ ରହୁଥିବା ଶିକ୍ଷକମାନେ ନିଜ ଆକାଉଣ୍ଟରେ ଟଙ୍କା ଜମା କରୁଥିବା ଯୋଗୁଁ ବିନିଯୋଗ ପ୍ରମାଣପତ୍ର ଜାଣିଶୁଣି ଦେଉ ନଥିବା ଗୁରୁତର ଅଭିଯୋଗ ମଧ୍ୟ ହେଉଥିଲା।

ତଥାପି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିଲା। ବିଦ୍ୟାଳୟମାନଙ୍କୁ ପୋଷାକ ଯୋଗାଣ ପାଇଁ ସମ୍ପୃକ୍ତ ବିଦ୍ୟାଳୟ ଏବଂ ବିଭାଗକୁ କୋଟି କୋଟି ଟଙ୍କା ଯୋଗାଇ ଦିଆଯାଇଛି। ହେଲେ କେବଳ ପୋଷାକ ବଣ୍ଟନ ପାଇଁ ଖର୍ଚ୍ଚ ହୋଇଥିବା ପ୍ରାୟ ୪୦ ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦିଆଯାଇ ନାହିଁ। ୨୦୧୧ରୁ ବିଭିନ୍ନ ଯୋଜାନରେ ଖର୍ଚ୍ଚ ହୋଇଥିବା ଟଙ୍କାର ବିନିଯୋଗ ପ୍ରମାଣପତ୍ର ସମ୍ପୃକ୍ତ ଅଧିକାରୀମାନେ ଦେଉ ନଥିଲେ ମଧ୍ୟ ସେମାନଙ୍କ ବିରୋଧରେ ବିଭାଗୀୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ କରୁ ନଥିଲେ। ଜିଲ୍ଲା ପ୍ରଶାସନ ମଧ୍ୟ ଚୁପ୍‌ ବସିଥିଲା। ୬ ବର୍ଷ ହେଲା କେଉଁ ପରିସ୍ଥିତିରେ ଏତେ ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦିଆଯାଇ ନାହିଁ।

ଏହା ପଛରେ କେଉଁ ମନ୍ଦ ଉଦ୍ଦେଶ୍ୟ ରହିଛି ତାହାର ପର୍ଦ୍ଦାଫାସ ମଧ୍ୟ ହେଉ ନଥିଲା। ୨୦୧୧ର ବିନିଯୋଗ ପ୍ରାମାଣପତ୍ର ଦିଆଯାଇ ନଥିଲେ ମଧ୍ୟ ପରବର୍ତ୍ତୀ ବର୍ଷଗୁଡ଼ିକୁ ଅନ୍ୟ ଅନୁଦାନ ଯୋଗାଇ ଦିଆଯାଇଥିଲା। ଫଳ ସ୍ୱରୂପ ଦୁର୍ନୀତିର ପର୍ଦ୍ଦାଫାସ ବଦଳରେ ଦୁର୍ନୀତି ବିଭିନ୍ନ ସ୍ତରରେ ବଢୁଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିଲା। ଜିଲ୍ଲା ସର୍ବଶିକ୍ଷା ଅଭିଯାନରେ ୬ ବର୍ଷ ହେଲା ଅଧିକ ଦୁର୍ନୀତି ହୋଇଥିବା ଜଣା ପଡ଼ିଥିଲେ ମଧ୍ୟ ଏହାକୁ ଚପାଇ ରଖାଯାଇଛି। ଯାହାର ଫଳ ସ୍ୱରୁପ ୪୫ କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଉପରେ କେହି ଗୁରୁତ୍ୱ ଦେଇ ନଥିଲେ।

କେତେକ ସ୍ଥାନରେ ସ୍କଲ କମିଟି ସଭାପତି ଏବଂ ଗୃହ ନିର୍ମାଣ ଦାୟିତ୍ୱରେ ଥିବା ଶିକ୍ଷକ ମଧ୍ୟରେ ସମ୍ମନ୍ଵୟର ଅଭାବ ଯୋଗୁଁ ବିଦ୍ୟାଳୟ ଗୁଡ଼ିକ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି। ବିଗତ ୫ ବର୍ଷ ମଧ୍ୟରେ ବିଦ୍ୟାଳୟ ଗୃହ ନିର୍ମାଣରେ ସର୍ବାଧିକ ଦୁର୍ନୀତି ହୋଇଥିବା ଏବଂ କିଛି କର୍ମଚାରୀ ମାଲାମାଲା ହୋଇଥିବା ଜଣାପଡ଼ିଛି। ଏହି ସ୍କୁଲ ଗୃହ ନିର୍ମାଣ ଅନିୟମିତତାରେ ବୈଷୟିକ ପରାମର୍ଶଦାତା, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କର ହାତ ଥିବା ମଧ୍ୟ ଜଣାଯାଇଛି। 

ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବା ପାଇଁ ୪୫ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଜାଣିଶୁଣି ଦିଆଯାଇ ନାହିଁ। ତେବେ ଏହି ଘଟଣା ଜଣା ପଡ଼ିବା ପରେ ଜିଲ୍ଲାପାଳ ଦାଶରଥି ଶତପଥୀ କିଛି କର୍ମଚାରୀଙ୍କ ଦରମା ବନ୍ଦ କରିବା ସହିତ ବିନିଯୋଗ ପ୍ରମାଣପତ୍ର ହାସଲ ନେଇ ଆବଶ୍ୟକ ପଦକ୍ଷେପ ନାବକୁ ନିର୍ଦେଶ ଦେଇଥିଲେ। ଏହା ପରେ କର୍ମଚାରୀମାନେ ଏନେଇ ଅଣ୍ଡରଟେକିଂ ଦେବା ପରେ ସେମାନଙ୍କର ଦରମା ମଞ୍ଜୁର ହୋଇଥିବା ଜଣାପଡ଼ିଛି।

ଏ ସଂକ୍ରାନ୍ତରେ ଜିଲ୍ଲାପାଳ ଦାଶରଥି ଶତପଥୀଙ୍କୁ ଯୋଗାଯୋଗ କରାଯିବାରେ ସର୍ବଶିକ୍ଷା ଅଭିଯାନରେ ବହୁ ବର୍ଷ ହେଲା ୟୁସି ଦାଖଲ ନକରିବା ସହିତ ଅନେକ କାର୍ଯ୍ୟ ଠିକ ଭାବରେ ସମ୍ପନ୍ନ କରାଯାଇ ନାହିଁ। ଏଥିପାଇଁ ଦରମା ବନ୍ଦ କରାଯାଇଥିଲା। ସେହିପରି ଡିପିସି ବେଣୁଧର ବେହେରାଙ୍କୁ ଯୋଗାଯୋଗ କରାଯିବାରେ କର୍ମଚାରୀମାନେ ଏନେଇ ଅଣ୍ଡରଟେକିଂ ଦେବା ପରେ ସେମାନଙ୍କର ଦରମା ପୈଠ ନେଇ ପଦକ୍ଷେପ ନିଆଯାଇଛି ବୋଲି ପ୍ରକାଶ କରିଥିଲେ।

 

image