23 February 2017
9:41:31 PM
Sambad News
ସୁବର୍ଣ୍ଣପୁର

ପୁଅର ବାଟ ଚାହିଁ ଆଖି ବୁଜିଲା ବୋହୂ

୩ ନାତି ନାତୁଣୀଙ୍କ ସହ ଅସହାୟ ବୃଦ୍ଧ ଦମ୍ପତି: ଭଙ୍ଗା କୁଡ଼ିଆ ଭରସା, ବନ୍ଧା ପଡ଼ିଛି ପଡ଼ି କାର୍ଡ଼

By Sambad | Date: Dec 20 2016 5:26AM
ପୁଅର ବାଟ ଚାହିଁ ଆଖି ବୁଜିଲା ବୋହୂ


ଡୁଙ୍ଗୁରିପାଲି,: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଚିନାଯୁରୀ ପଞ୍ଚାୟତ ଗୁଲିଆପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବେଙ୍ଗାଲୁରୁକୁ ଦାଦନ ଖଟି ଯାଇଥିବା ପୁଅ ନିଖୋଜ ହେବା ପରେ ବୋହୂ ପରିବାର ପୋଷଣ ଚିନ୍ତାରେ ଋଣଗ୍ରସ୍ତ ହୋଇ ସବୁଦିନ ପାଇଁ ଆଖି ବୁଜି ଦେଇଛି। ୩ ଜଣ ନାତି ଓ ନାତୁଣୀଙ୍କୁ ଧରି ବୃଦ୍ଧ ଦମ୍ପତି ଭଙ୍ଗା କୁଡ଼ିଆରେ ରାତ୍ରି ଯାପନ କରୁଛନ୍ତି।

ଏପଟେ ଗାଁରେ ଥିବା ଜଣେ ମହାଜନ ଘରେ ପଡ଼ିକାର୍ଡ଼ ବନ୍ଧା ଥିବା ଯୁଧିଷ୍ଠିର କହିଛନ୍ତି। ଗାଁର ଯୁଧିଷ୍ଠିର ଭଏଁଷାଙ୍କ କହିବାନୁଯାୟୀ, ପାଞ୍ଚବର୍ଷ ହେବ ଡୁଙ୍ଗୁରିପାଲି ଥାନା ବେହେରାମାଲ ଗାଁର ଦଲାଲ ଲୁଡ଼ୁ ତାଙ୍କ ପୁଅ ଗଜିନ୍ଦ୍ର ଭଏଁଷା, ବୋହୂ ଗୀତାଞ୍ଜଳି ଭଏଁଷା, ନାତୁଣୀ ସଙ୍ଗୀତା (୧୩), ଦୁଇ ନାତି ବିଦୁର (୧୧) ଓ ସୁଦୂର(୮)କୁ ନେଇ ବେଲପଡ଼ା ଗ୍ରାମର ବୁଡ଼ୁ ଦଲାଲକୁ ଦେଇଦେଲା। ବୁଡ଼ୁ ସେମାନଙ୍କୁ ଇଟା ଗଢ଼ିବା ପାଇଁ ବେଙ୍ଗାଲୁରୁ ପଠାଇ ଦେଲା। ସେଠାରେ ଗଜିନ୍ଦ୍ର ସାନ ନାତି ସୁଦୁରକୁ ଧରି ବଜାର ଯାଇଥିବା ବେଳେ ନିଖୋଜ ହୋଇ ଯାଇଥିଲେ।

ନିଖୋଜ ହେବାର କିଛି ଦିନ ପରେ ନାତି ସୁଦୁରକୁ ଏକ ବୃଦ୍ଧା ଆଣି ବୋହୂ ଗୀତାଞ୍ଜଳିକୁ ଦେଇଥିଲା। ସେଠାରେ ଗଜିନ୍ଦ୍ରଙ୍କ ଖୋଜ ଖବର ନ ମିଳିବା ପରେ ବରପାଲି ଥାନା ଅନ୍ତର୍ଗତ ମୁନୁପାଲି ଗ୍ରାମର ବାବଜୀ ନାମକ ଜଣେ ବ୍ୟକ୍ତି ବୋହୂ ଗୀତାଞ୍ଜଳି ଓ ତିନି ଛୁଆଙ୍କୁ ରଙ୍ଗମାଟିଆରେ ଆଣି ଛାଡ଼ି ଦେଇଥିଲା। ବୃଦ୍ଧ ଯୁଧିଷ୍ଠିର ପୁଅ ନିଖୋଜ ବିଷୟରେ ସମସ୍ତଙ୍କୁ ହାରିଗୁହାରି କରିଥିଲେ ମଧ୍ୟ କେହି ଶୁଣି ନଥିଲେ ବୋଲି ଯୁଧିଷ୍ଠିର କହିଛନ୍ତି। ଶେଷରେ ଅନ୍ୟ ଉପାୟ ନପାଇ ସେ ଓ ତାଙ୍କ ପତ୍ନୀ ବେଟିଖାଇ ଉକ୍ତ ଘଟଣାରେ ଭାଙ୍ଗି ପଡ଼ି ବୋହୂ ଗୀତାଞ୍ଜଳିର ଆଶ୍ରୟ ନେଇଥିଲେ।

ଗୀତାଞ୍ଜଳି ମଧ୍ୟ ପରିବାର ପୋଷଣ ପାଇଁ ଋଣ କରିବା ପାଇଁ ଏକ ଘରୋଇ ଫାଇନାନ୍ସ ଏସକେଏସ ଠାରୁ ୧୪ ହଜାର ଋଣ କରିଥିଲେ। ଋଣ ଟଙ୍କା ଶୁଝି ନପାରି ସେ ଚିନ୍ତାଗ୍ରସ୍ତ ହୋଇ ରୋଗାକ୍ରାନ୍ତ ହୋଇ ପଡ଼ିଲେ। ଶେଷରେ ଗତ ନଭେମ୍ବର ୨୯ରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଗୀତାଞ୍ଜଳିଙ୍କ ମୃତ୍ୟୁ ପରେ ଡିହ ବିକି ଶୁଦ୍ଧିକ୍ରିୟା କରିଥିବା ଜଣାଯାଇଛି। ମା’ର ମୃତ୍ୟୁ ପରେ ଦୁଇ ପୁଅ ମାମୁ ଘରକୁ ଯାଇଥିବା ବେଳେ ଝିଅ ଗାଁରେ ମଜୁରି କରୁଥିବା ଜଣାଯାଇଛି। ଦାରିଦ୍ର୍ୟର କଷାଘାତରେ ଥିବା ଯୁଧିଷ୍ଠିର ଭଙ୍ଗା ଘରେ ରହୁଥିବା ବେଳେ ତାଙ୍କ ପାଇଁ ଇନ୍ଦିରା ଆବାସ ସ୍ୱପ୍ନ ହୋଇଛି। ଏ ନେଇ ଚିନାଯୁରୀ ସରପଞ୍ଚ ରଙ୍କମଣି ଦୀପଙ୍କୁ ପଚାରିବାରୁ ଇନ୍ଦିରା ଅବାସ ପାଇବାରେ ତାଙ୍କ ନାଁ ନଥିବାରୁ ଘର ମିଳି ନଥିବା ପ୍ରକାଶ କରିଥିଲେ। ଗୀତାଞ୍ଜଳି ମୃତ୍ୟୁରେ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ଦିଆଯାଇ ନଥିବା ସ୍ୱୀକାର କରିଥିଲେ।