27 March 2017
12:12:07 AM
Sambad News
ରାଜ୍ୟ

ରାଜନୈତିକ ଚାପରେ ହୋଇପାରୁନି ଉଚ୍ଛେଦ

ବିନିକା ବ୍ଲକ ଅଧ୍ୟକ୍ଷା ସ୍ୱାମୀଙ୍କ ନାଁରେ ଗୋଚର ଜମି ଜବରଦଖଲ ମାମଲା

By Sambad | Date: Dec 26 2016 2:56PM
ରାଜନୈତିକ ଚାପରେ ହୋଇପାରୁନି ଉଚ୍ଛେଦ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ପରେ ଜଣେ ବିଜେଡି ନେତାଙ୍କ ଗୋଚର ଜମି ଜବରଦଖଲ ମାମାଲା ସାମନାକୁ ଆସୁଛି। ଗତ କିଛି ମାସ ପୂର୍ବରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହିମାଂଶୁ ଶେଖର ବିଶ୍ୱାଳ ଡୁଙ୍ଗୁରିପାଲି ଏବଂ ଫଟାମୁଣ୍ଡା ମୌଜାରେ ଗୋଚର ଜମି ଜବରଦଖଲ କରିଥିବା ନେଇ ତାଙ୍କ ନାମରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଥିଲା। ଏବେ ବିନିକା ବ୍ଲକ ଅଧ୍ୟକ୍ଷା ନଳିନୀ ସାହୁଙ୍କ ସ୍ୱାମୀଙ୍କ ନାମରେ ଗୋଚର ଜମି ଜବରଦଖଲ ହୋଇଥିବା ଜଣାପଡ଼ିଛି। 
 
ସୂଚନାରୁ ଜଣାପଡ଼ିଛି ଯେ, ବିନିକା ବ୍ଲକ ଅଧ୍ୟକ୍ଷା ନଳିନୀ ସାହୁଙ୍କ ସ୍ୱାମୀ ଭୀମସେନ ସାହୁ ଗୁଲୁଣ୍ଡା ମୌଜାର ଖାତାନଂ ୨୬୪ ପ୍ଲଟନଂ ୭୫୧, ଏକର ୧.୦୫୦ ଡିସିମିଲ କିସମ ଗୋଚର ଜମି ଜବରଦଖଲ କରିବା ସହିତ ସେଥିରୁ ଏକର୦.୦୩୦ ଡିସିମିଲ ଜମିରେ ତିନି ମହଲା କୋଠା ନିର୍ମାଣ କରିଛନ୍ତି। ଏନେଇ ପୂର୍ବରୁ ଏହି ଜମି ଜବରଦଖଲକୁ ନେଇ ଭୀମସେନ ସାହୁଙ୍କ ନାମରେ ଜବର ଦଖଲ କେନଂ ୧୨୬/୧୪ ରୁଜୁ ହୋଇଥିଲା। ଭୀମସେନ ସାହୁଙ୍କର ପରିବାରର ବାର୍ଷିକ ଆୟ ୨୪ ହଜାର ଟଙ୍କାରୁ କମ ନଥିବା ବେଳେ ସେ ଭୂମିହୀନ ନୁହେଁ ବୋଲି ଦର୍ଶାଯାଇଥିଲା। ଏହି ଜବରଦଖଲ ଗୋଚର ଜମି ଉପରେ ଗୃହ ନିର୍ମାଣ ନ କରିବାକୁ ବିନିକା ତହସିଲ ପ୍ରଶାସନ ପକ୍ଷରୁ ଭୀମସେନଙ୍କୁ ଆଦେଶ ଦିଆଯାଇଥିଲା। 
 
କିନ୍ତୁୁ ଶାସକ ଦଳର ହୋଇଥିବାରୁ ସେ ଏହି ନିର୍ଦ୍ଦେଶନାମାକୁ ଖାତିର ନକରି ଗୃହ ନିର୍ମାଣ କରିଥିଲେ। ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ଉକ୍ତ ସ୍ଥାନ ୩୦ ଦିନ ମଧ୍ୟରେ ଖାଲି କରିବାକୁ ବିନିକା ତହସିଲ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ତାଙ୍କଠାରୁ ଫାଇନ ଏବଂ ପେନାଲଟି ମଧ୍ୟ ଆଦାୟ କରାଯାଇଥଲା। କିନ୍ତୁ ସେ ଉକ୍ତ ଜବର ଦଖଲ ଗୋଚର ଜମି ନିର୍ଦ୍ଦାରିତ ସମୟ ମଧ୍ୟରେ ଖାଲି ନକରିବାରୁ ୪.୮ ୨୦୧୫ରେ ଏକଜ୍ୟୁକିଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖାଲି କରାଯିବାକୁ ବିନିକା ତହସିଲଦାର ନିର୍ଦ୍ଦେଶ ଜାରି କରିଥିଲେ। ଏହାର ସମସ୍ତ ଖର୍ଚ୍ଚ ଜବର ଦଖଲକାରୀ ଭୀମସେନଙ୍କୁ ବହନ କରିବାକୁ ନିସର୍ଦ୍ଦେଶନାମାରେ ଦର୍ଶାଯାଇଥିଲା। ଏହି ଦିନ ଜବରଦଖଲ ଉଛେଦ ପାଇଁ ତହସିଲଦାର ତାଙ୍କ ନିର୍ଦ୍ଦେଶାନାମରେ ରାଜସ୍ୱ ପରିଦର୍ଶକ ଏବଂ କୋର୍ଟ ଅମିନଙ୍କ ଘଟଣା ସ୍ଥଳରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେବା ସହିତ ସୋନପୁର ଉପଜିଲ୍ଲାପାଳଙ୍କ ଏହି ଦିନ ଏକଜ୍ୟୁକିଟିଭ ମାଜିଷ୍ଟ୍ରେଟ ନିଯୁକ୍ତି କରିବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। 
 
ସେହିପରି ଏସ୍‌ପିଙ୍କୁ ମଧ୍ୟ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଆବଶ୍ୟକ ପୁଲିସ ମୁତୟନ କରିବା ଏବଂ ବିନିକା ଏନଏସି ନିର୍ବାହୀ ଅଧିକାରୀଙ୍କ ଜବରଦଖଲ ହଟାଇବା ପାଇଁ ଜେସିବ ମେସିନ ଯୋଗାଇବାକୁ ଅନୁରୋଧ କରିଥିଲେ। ଓସ୍କୋ ଏସଡିଓଙ୍କୁ ଜବରଦଖଲ ହଟାଇବା ସମୟରେ ବିଦ୍ୟୁତ ବିଛିନ୍ନ କରିବା ପାଇଁ  ଗତ ୨୧.୭.୨୦୧୫ରେ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ। ଏପରିକି ଏ ସମ୍ପର୍କରେ ଜିଲ୍ଲାପାଳ ଏବଂ ବିନିକା ଆଇଆଇସିଙ୍କୁ ମଧ୍ୟ ତହସିଲ ପକ୍ଷରୁ ଅବଗତ କରାଯାଇଥିଲା। ତେବେ ରାଜସ୍ୱ ନିରୀକ୍ଷକ ବିନିକା ତହସିଲଦାରଙ୍କୁ ଦେଇଥିବା ତାଙ୍କର ପତ୍ରରେ ଉକ୍ତ ଜମିରୁ ପୁଲିସ ଏବଂ ଏକଜ୍ୟୁକିଟିଭ ମାଜିଷ୍ଟ୍ରେଟ ଉପସ୍ଥିତିରେ ଜବର ଦଖଲ ହଟାଇବା ଏବଂ ଏଥିରେ ବିନିକା ଏନଏସି ନିର୍ବାହୀ ଅଧିକାରୀ ଏବଂ ଓ୍ଵସ୍କୋ ଅଧିକାରୀଙ୍କ ଆବଶ୍ୟକ ସାହାଯ୍ୟ ଯୋଗାଇବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ ଏମାନେ କୌଣସି ସହଯୋଗ ନକରିବାରୁ ଜବର ଦଖଲ ଉଛେଦ ହୋଇ ପାରିଲା ନାହିଁ। 
 
ଭୀମସେନ ଶାସକ ବିଜେଡି ଦଳର ଜଣେ ନେତା ହୋଇଥିବା ବେଳେ ତାଙ୍କ ପତ୍ନୀ ବିନିକା ବ୍ଲକ ଅଧ୍ୟକ୍ଷା ଥିବାରୁ ରାଜନୈତିକ ଚାପର ବଶବର୍ତ୍ତି ହୋଇ ତହସିଲଦାର ନେଇଥିବା ପଦକ୍ଷେପ କାର୍ଯ୍ୟକାରୀ କରିବାରେ ଉପୋରକ୍ତ ଅଧିକାରୀମାନେ ଜାଣିଶୁଣି ଆବଶ୍ୟକୀୟ ସାହାଯ୍ୟ ଯୋଗାଇ ନଥିଲେ। ଅନ୍ୟ ପକ୍ଷରେ ଜଣେ ଶାସକ ଦଳର ନେତାଙ୍କ ବେଆଇନ ଜମି ଜବର ଦଖଲ ହଟାଇବାକୁ ପଦକ୍ଷେପ ନେଇଥିବା ତତକାଳୀନ ତହସିଲଦାର ଲମ୍ବୋଦର ଧରୁଆଙ୍କୁ ରାଜନୈତିକ ଚାପ ପ୍ରୟୋଗ କରାଯାଇ ଅନ୍ୟତ୍ର ବଦଳି କରାଯାଇଥିଲା। ଏବେ ଉକ୍ତ ସରକାରୀ ଗୋଚର ଜମିରେ ନିର୍ମାଣ ହୋଇସାରିଛି ଭୀମସେନଙ୍କ ତିନି ମହଲା ବିଶିଷ୍ଟ ଅଟାଳିକା। ତେବେ ଆଗକୁ ପ୍ରଶାସନ ଏହି ଜବର ଦଖଲ ହଟାଇବ ନା ରାଜନୈତିକ ଚାପରେ ପଡ଼ି ନିରବ ରହିବ ତାହାକୁ ନେଇ ସାଧାରଣରେ ବିଭିନ୍ନ ପ୍ରଶ୍ନ ଉଠୁଛି।