27 June 2017
7:34:35 AM
image
Sambad News
ସୁବର୍ଣ୍ଣପୁର

ପଏଁରୀ ତିହାର ଉଦଘାଟିତ : ଢୋଲ, ନିଶାନ, ତାସାରେ ଦୁଲୁକିଲା ଭୀମ ଭୋଇ କଳା ମଣ୍ଡପ

By Sambad | Date: Jan 2 2017 6:23AM
ପଏଁରୀ ତିହାର ଉଦଘାଟିତ : ଢୋଲ, ନିଶାନ, ତାସାରେ ଦୁଲୁକିଲା ଭୀମ ଭୋଇ କଳା ମଣ୍ଡପ

ସୋନପୁର : ସୋନପୁରର ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଦ୍ୱାରା ଆୟୋଜିତ ତଥା କେନ୍ଦ୍ର ସରକାର ସଂସ୍କୃତି ବିଭାଗ, ସଂସ୍କୃତ ନାଟକ ଏକାଡେମି ନୂଆଦିଲ୍ଲୀ, ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ଓଡ଼ିଶା ସରକାରଙ୍କ ସହଯୋଗରେ ଅନୁଷ୍ଠିତ ପଏଁରି ତିହାର-୨୦୧୭ ରବିବାର ସୋନପୁର ଭୀମ ଭୋଇ କଳା ମଣ୍ଡପଠାରେ ଉଦଘାଟିତ ହୋଇଯାଇଛି ଏହି ସାଂସ୍କୃତିକ ସନ୍ଧ୍ୟାର କାର୍ଯ୍ୟକ୍ରମ ପଏଁରୀର ସଭାପତି ଲଡୁକିଶୋର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। ଏଥିରେ  ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଦାଶରଥି ଶତପଥୀ, ସମ୍ମାନିତ ଅତିଥି ଭାବରେ ପଦ୍ମଶ୍ରୀ ଲୋକ କବି ହଳଧର ନାଗ, ଏଡିଏମ ବିଶ୍ୱନାଥ ବାରିକ, ଡିଆଇପିଆରଓ ଅଶୋକ ମିଶ୍ର ପ୍ରମୁଖ ଯୋଗଦେଇ ସୁବର୍ଣ୍ଣପୁର ଜିଲ୍ଲା ହେଉଛି ଐତିହ୍ୟ, ସଂସ୍କୃତିରେ ପରିପୂର୍ଣ୍ଣ ଜିଲ୍ଲା ବୋଲି କହିଥିଲେ। 
 
ଏହି ଜିଲ୍ଲାରେ ଭରି ରହିଛି ପାରମ୍ପାରିକ ଲୋକକଳା, ଲୋକ ସଙ୍ଗୀତ ଓ ଲୋକନୃତ୍ୟ।  ଏହି ପାରମ୍ପାରିକ ସଂସ୍କୃତି ଓ କଳାକୁ ବଂଚାଇ ରଖିବାକୁ ୧୭ ବର୍ଷ ହେଲା ପଏଁରୀ ଅନୁଷ୍ଠାନ ପକ୍ଷରୁ ପ୍ରୟାସ କରାଯାଉଛି। ଏହି ମଂଚ  ଅନେକ କଳାକାରଙ୍କ ପ୍ରତିଭା ଚିହ୍ନଟ କରିବା ସହିତ ସେମାନଙ୍କୁ ଲୋକ ଲୋଚନକୁ ଆଣିବା ଦିଗରେ ଉଦ୍ୟମ ଜାରି ରଖିଛି ବୋଲି କହିଥିଲେ।  ଏହି ଅବସରରେ ଲୋକନୃତ୍ୟ ଏବଂ ଡଁଡ ପାଇଁ ବିପିନ ଜାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପଏଁରୀର ସମ୍ପାଦକ ଚୌଧୁରୀ ବିଭାର ବିବରଣୀ ପାଠ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପଏଁରୀ ପକ୍ଷରୁ ଡାଲଖାଇ, ବରଗଡ଼ ଘେଁସର ଦୁଲାବିହା, ବୌଦ୍ଧ ବାବା ଗୁପ୍ତେଶ୍ୱର ଦଣ୍ଡ ନୃତ୍ୟର ଧୁନକେଲ ଏବଂ ସମ୍ବଲପୁର ସଂଚାର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। 
 
ସକାଳେ ଏକ ସାଂସ୍କୃତିକ ଦଳ ଶୋଭାଯାତ୍ରାରେ ମା’ ସୁରେଶ୍ୱରୀ ମନ୍ଦିରରୁ ବାହାରି ସହର ପରିକ୍ରମା କରିଥିଲା। ପରେ ଆନୁଷ୍ଠାନିକ ଭାବରେ ଏହି କାର୍ଯ୍ୟକ୍ରମ ଉଦଘାଟନ କରାଯାଇଥିଲା। ଏଥିରେ ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ ମୁଖ୍ୟ ଅତିଥି, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ବର୍ଷୀୟାନ କଳାକାର ସ୍ନେହଲତା ନାଏକ, ସମାଜସେବୀ ଲକ୍ଷ୍ମୀ ନାରାୟଣ ମେହେର,  ସୁବ୍ରତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି  ଅବସରରେ ହରିଓମ କୁଶଳ, ରାଜା ବେହେରା, ନାରାୟଣ ଜଗଦଲା, ରାଘବ ସୁନା, ହରିଶ ନାୟକ, ବିନୋଦ ଖେଡି, ଜଗା, ସୁନୀଲ, ଦୀପିକା ଦଳବେହେରା, ରାଶି ଧରୁଆ, ଗାୟତ୍ରୀ ମଲ୍ଲିକ, ତପସ୍ୱିନୀ ମୁଖୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।