23 September 2017
8:19:58 PM
Sambad News
ସୁବର୍ଣ୍ଣପୁର

ଟ୍ରଷ୍ଟ ଫଣ୍ଡର ବିବରଣୀ ପ୍ରଦାନ ନେଇ ଦାବିପତ୍ର ପ୍ରଦାନ

By Sambad | Date: Jan 5 2017 9:31AM
ଟ୍ରଷ୍ଟ ଫଣ୍ଡର ବିବରଣୀ ପ୍ରଦାନ ନେଇ ଦାବିପତ୍ର ପ୍ରଦାନ

ସୋନପୁର: ସୋନପୁର ଟ୍ରଷ୍ଟ ଫଣ୍ଡ କିପରି କାମ କରୁଛି ତାହାର ଆୟବ୍ୟୟ ବିବରଣୀ ସୂଚିତ କରି ସୋନପୁର ଟ୍ରଷ୍ଟ ଫଣ୍ଡ ନାମରେ ଏକ େଓବ୍‌ସାଇଟ୍‌ ଖୋଲି ସେଥିରେ ଟ୍ରଷ୍ଟ ଫଣ୍ଡର ଗଠନ ଗଠନ, ଟ୍ରଷ୍ଟ ବୋର୍ଡ ଡିଡିର ସମସ୍ତ ବିବରଣୀ, ଏହାର ପରିଚାଳନା ଓ ପ୍ରତ୍ୟେକ ବର୍ଷର ଆୟବ୍ୟୟର ହିସାବ ଉକ୍ତ େଓବସାଇଟରେ ଉପଲବ୍ଧ କରାଯାଉ ବୋଲି ବୁଦ୍ଧିଜୀବୀମାନେ ଲିଖିତ ଭାବରେ ଜିଲ୍ଲାପାଳ ତଥା ପ୍ରଶାସକ ସୋନପୁର ଟ୍ରଷ୍ଟ ଫଣ୍ଡଙ୍କୁ ଲିଖିତ ଭାବରେ ଜଣାଇଛନ୍ତି। ଜିଲ୍ଲାପାଳଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ସୋନପୁର ଗଡଜାତ ଅଂଚଳର ପ୍ରଜାଙ୍କ ଠାରୁ ସଂଗୃହିତ ଅର୍ଥରେ ସୋନପୁର ଟ୍ରଷ୍ଟ ଫଣ୍ଡ ଗଠିତ ହୋଇଥିଲା।

ସ୍ୱର୍ଗତ ମହାରାଜ ବୀରମିତ୍ର ସିଂଦେଓ ଏହି ଫଣ୍ଡର ଗଠନ, ପରିଚାଳନା ତଥା ଲକ୍ଷ ଉଦ୍ଦେଶ୍ୟ ବୁଝାଇ ଟ୍ରଷ୍ଟ ଡିଡ ତିଆରି କରିଥିଲେ । ତଦନୁଯାଇ ବର୍ଷକୁ ବର୍ଷ ଏହାର ଉପଲବ୍ଧ ପାଣ୍ଠି ପ୍ରଜାଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯିବ। ଗଡ଼ଜାତ ରାଜ୍ୟ ସମୁହର ବିଲୟ ପରେ ସୋନପୁର, ବଲାଙ୍ଗୀର ଜିଲ୍ଲାର ଏକ ଉପଖଣ୍ଡ ଭାବରେ ମାନ୍ୟତା ପାଇଥିଲା। ତେବେ ମଧ୍ୟ ଏହି ଫଣ୍ଡରୁ ମିଳୁଥିବା ଅର୍ଥ ସୋନପୁର ଗଡଜାତର ବାସିନ୍ଦାଙ୍କ ଉଦ୍ଦେଶ୍ୟରେ ବ୍ୟୟ କରାଯାଉଥିଲା। ସେତେବେଳେ ଜିଲ୍ଲାପାଳ ଏହାର ପ୍ରଶାସକ ଭାବରେ କାର୍ଯ୍ୟ କରୁଥିଲେ ଏବଂ ଟ୍ରଷ୍ଟ ଫଣ୍ଡ କାର୍ଯ୍ୟାଳୟ ବଲାଙ୍ଗୀରରେ କାର୍ଯ୍ୟ କରୁଥିଲା।

ପରିଚାଳନାଗତ ତ୍ରୁଟି ଏବଂ ଅସତ ଉପାୟରେ ମନମୁଖି ଭାବରେ ଏହାର ଅର୍ଥ ଖର୍ଚ୍ଚ ହେବାର ଦେଖି ଏଥିରେ ସ୍ୱଛତା ଆଣିବା ପାଇଁ ଟ୍ରଷ୍ଟ ଫଣ୍ଡ କାର୍ଯ୍ୟାଳୟ ସୋନପୁରକୁ ଆଣିବାକୁ ସୋନପୁର ଜନ ସାଧାରଣ ଅତୀତରେ ଆନ୍ଦୋଳନ କରିଥିଲେ ଏବଂ ପରିଶେଷରେ ଏହାର କାର୍ଯ୍ୟାଳୟ ସୋନପୁରକୁ ଆସିଥିଲା। ପ୍ରଥମେ ଏହାର ବାର୍ଷିକ ଆୟ-ବ୍ୟୟ ଅଟକଳ ସାଧାରଣ ଲୋକେ ଦେଖିବାକୁ ପାଉଥିଲେ। ମାତ୍ର ସୁବର୍ଣ୍ଣପୁର ଜିଲ୍ଲା ଗଠନ ହେବା ପୂର୍ବରୁ ପରିଚାଳନାଗତ ତ୍ରୁଟି, ଆର୍ଥିକ ବିଶୃଙ୍ଖଳା ଏବଂ ଅର୍ଥ ଆତ୍ମସାତ ହେଉଥିବା ଜାଣି ଅସାଧୁ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ବିଗତ ୨୩ ବର୍ଷ ମଧ୍ୟରେ ଟ୍ରଷ୍ଟ ଫଣ୍ଡ କେଉଁପରି ଭାବରେ କାର୍ଯ୍ୟ କରୁଛି ଏବଂ କେଉଁ ପ୍ରକାରେ ଏଥିରୁ ଉପଲବ୍ଧ ଅର୍ଥ ବ୍ୟୟ କରାଯାଉଛି ତାହା ସମ୍ପୁର୍ଣ୍ଣ ଅନ୍ଧକାରରେ ରହିଛି। ଏହାର ଆୟ ବ୍ୟୟ ସମ୍ପର୍କିତ ସୁଚନା ସମସ୍ତ ଜନସାଧାରଣଙ୍କର ପାଇବାର ଅଧିକାର ରହିଛି। ଏଣୁ ଟ୍ରଷ୍ଟ ଫଣ୍ଡ ନାମରେ ଏକ େଓବସାଇଟ ଖୋଲି ସେ ସମ୍ପର୍କରେ ସମସ୍ତ ତଥ୍ୟ ଉପଲବ୍ଧ ପାଇଁ ଏହି ଦାବିପତ୍ରରେ ଦର୍ଶାଯାଇଛି। ଜିଲ୍ଲା ଓକିଲ ସଂଘର ସଭାପତି ଇନ୍ଦ୍ରମଣୀ ଦାଶ, ବରିଷ୍ଠ ଆଇନଜୀବୀ ବ୍ୟୋମକେଶ ଦାଶ, ମଧୁସୂଦନ ପ୍ରଧାନ, ଶଶାଙ୍କ ଶେଖର ପାଣିଗ୍ରାହୀ, ଆଦିକନ୍ଦ ପାଣିଗ୍ରାହୀ, ପ୍ରଫୁଲ୍ଲ ସାହୁ, ଦେବ କିଶୋର ମିଶ୍ର, ଦୁଃଖିଶ୍ୟାମ ବାଗ ପ୍ରମୁଖ ବୁଦ୍ଧିଜୀବୀମାନେ ଏନେଇ ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି।
 

image