20 February 2017
12:22:20 AM
Sambad News
ସୁବର୍ଣ୍ଣପୁର

ସିଂଘିଯୁବାରେ ଡକାୟତି : ଲକ୍ଷାଧିକ ଟଙ୍କା ସହ ୧୫ ଭରି ସୁନାଗହଣା ଲୁଟ

By Sambad | Date: Jan 9 2017 6:19AM
ସିଂଘିଯୁବାରେ ଡକାୟତି : ଲକ୍ଷାଧିକ ଟଙ୍କା ସହ ୧୫ ଭରି ସୁନାଗହଣା ଲୁଟ
Photo by : static.english.pradesh18.com

ବିନିକା/ସିଂଘିଯୁବା : ବିନିକା ଥାନା ସିଂଘିଯୁବାର ସୋନପୁର-ଏସ୍‌ ରାମମୁର ଏମ୍‌ଡିଆର ୩୯ ନମ୍ବର ଜାତିୟ ରାଜପଥ  କଡ଼ରେ ରହୁଥିବା  ପୁରନ୍‌ ଅଗ୍ରଓାଲଙ୍କ ଘରୁ ଶନିବାର ରାତିରେ ଡକାୟତି ହୋଇଛି। ଡକାୟତମାନେ ତାଙ୍କ ଘରୁ ନଗଦ ୧ଲକ୍ଷ ୨୦ହଜାର ଟଙ୍କା ସହ ୧୫ ଭରି ସୁନା ଗହଣା ଲୁଟି ନେଇଥିବା ବିନିକା ଥାନାରେ ଅଭିଯୋଗ ହୋଇଛି।

 
ଥାନାରେ ଦିଆଯାଇଥିବା ଅଭିଯୋଗ ଅନୁସାରେ, ରାତି ପ୍ରାୟ ୧୨ଟାରେ ପୁରନଙ୍କ ଘରକୁ ୬ ଜଣ ଡକାୟତ ଘର ପଛ ପଟରୁ  କାନ୍ଥ ଡ଼େଇଁ ଘରକୁ ପ୍ରବେଶ କରିଥିଲେ। ଘର ଭିତରକୁ ୪ ଜଣ ଡକାୟତ ପଶିଥିବା ବେଳ ଦ୍ୱାର ମୁହଁରେ ୨ ଜଣ ଜଗି ରହିଥିଲେ।   ଡକାୟତମାନେ ପୁରନଙ୍କ ସ୍ତ୍ରୀ ଚଲାବାଇ, ପୁଅ ସୁଶୀଳ, ବୋହୂ ସୋନିଆ, ନାତି କ୍ରିଷ୍ଣାଙ୍କୁ ଉଠାଇ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ଚଲାବାଇ ଓ ସୋନିଆ ପିନ୍ଧିଥିବା ୨ଟି ସୁନା ମାଳିି, ୨ ସାର୍‌ କାନ ଫୁଲ, ଦୁଇସାର ଏବଂ ୨ଟି ସୁନା ମୁଦି ଲୁଟି ନେଲା ପରେ ଚଲାବାଇଙ୍କୁ ଆଲମିରାର ଚାବି ମାଗିଥିଲେ।  ସେ ଭୟରେ ଚାବି ଦେବାରୁ ଡକାୟତମାନେ ୧ଲକ୍ଷ ୨୦ ହଜାର ଟଙ୍କା ଓ ୧୫ ଭରିରୁ ଅଧିକ ସୁନା ଗହଣା ନେଇଯାଇଥିଲେ।  
 
ପରେ ସମସ୍ତଙ୍କ ମୋବାଇଲ ନେଇ ଯାଇ ଗୋଟିଏ ଘରେ ଭର୍ତ୍ତି କରି ବାହାରୁ ଶିକୁଳି ଦେଇ ପଳାଇଥିଲେ। ଡକାୟତମାନେ ଖଣ୍ଡି ହିନ୍ଦୀରେ କଥାବାର୍ତ୍ତା କରୁଥିବା ବେଳେ ସେମାନେ ମାଓବାଦୀ ବୋଲି ପରିଚୟ ଦେଇଥିଲେ।  ଖବର ପାଇ ସୋନପୁର ଏସ୍‌ପି ପ୍ରଫୁଲ୍ଲ ପାତ୍ର, ଏସ୍‌ଡିପିଓ ଭବାନୀ ଶଙ୍କର ଉଦ୍‌ଗାତା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଥିଲେ। ପରେ ସାଇନ୍‌ଟିଫିକ୍‌ ଟିମ୍‌ ଓ ସଂଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ। ଏନେଇ ପୁରନଙ୍କ ଅଭିଯୋଗ ଭିତ୍ତିରେ ବିନିକା ଥାନାରେ ଏକ ମାମଲା ରୁଜୁ ହୋଇଛି।