23 August 2017
3:37:31 PM
image
Sambad News
ସୁନ୍ଦରଗଡ଼

ଲୁଚାଇଥିଲେ ଆଇଜି ପାର୍କ କର୍ତୃପକ୍ଷ

By Sambad | Date: Jan 2 2017 5:40AM
ଲୁଚାଇଥିଲେ ଆଇଜି ପାର୍କ କର୍ତୃପକ୍ଷ

ରାଉରକେଲା : ୧୦ ଦିନ ପୂର୍ବେ ପେଲିକାନ୍‌ ମରିଛି। ଏହା ପୂର୍ବରୁ ଆଇବିସି, ଶୁଆ ଓ ବଗଜାତୀୟ ଅନେକ ପକ୍ଷୀ ମୃତ୍ୟୁବରଣ କରିଥିଲେ। ବାର୍ଡ ଫ୍ଲୁ ସନ୍ଦେହ କରି ପାର୍କ କର୍ତୃପକ୍ଷ ମୃତ ପକ୍ଷୀ ଶରୀରର ବିଭିନ୍ନ ଅଂଶ ଏଚ୧ଏନ୍‌୧ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଇଥିଲେ। ଦୁଇ ଦିନ ପୂର୍ବେ ବାର୍ଡ ଫ୍ଲୁ ସମ୍ପର୍କିତ ଚୂଡାନ୍ତ ରିପୋର୍ଟ ଆସିଥିଲା। କିନ୍ତୁ ଏହାକୁ ଲୁଚାଇ ରଖାଯାଇଥିଲା। ପାର୍କ ବନ୍ଦ କରିବା ପରିବର୍ତେ ସର୍ବସାଧାରଣଙ୍କ ପାଇଁ ଖୋଲା ରଖାଯାଇଥିଲା।
 
ଆଇଜି ପାର୍କ ପରିସରରେ ପକ୍ଷୀ ଖୁଆଡ଼ ମଧ୍ୟରେ ରହିଥିଲା ପେଲିକାନ୍‌। ଏହି ପକ୍ଷୀ ସହିତ ଅନ୍ୟ ବହୁ ପକ୍ଷୀ ଖୁଆଡ଼ରେ ରହିଛନ୍ତି। କେବଳ ପେଲିକାନ୍‌ ପକ୍ଷୀ ବ୍ଲାର୍ଡ ଫ୍ଲୁରେ ମରିଛି ବୋଲି ଆଇଜି ପାର୍କ ପକ୍ଷରୁ ଗତକାଲି କୁହାଯାଇଥିଲା। ବନ୍ଦ ପଞ୍ଜୁରୀ ଭିତରେ ଏହି ରୋଗ କିପରି ବ୍ୟାପିଲା 
 
ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ। ପାର୍କ ଭିତରେ ଅନ୍ୟ କେତେ ପକ୍ଷୀ ବାର୍ଡ ଫ୍ଲୁରେ ଆକ୍ରାନ୍ତ ଏବଂ ମୃତ୍ୟୁବରଣ କରିଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ଯେବେ ଠାରୁ ବାର୍ଡ ଫ୍ଲୁ ନେଇ ପାର୍କ କର୍ତୃପକ୍ଷ ସନ୍ଦେହ କଲେ,କାହିଁକି ନିରବ ରହିଥିଲେ ସେ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଖ୍ରୀଷ୍ଟମାସ୍‌ ଓ ନୂଆବର୍ଷ ପୂର୍ବରୁ ଏହି ତଥ୍ୟ ପ୍ରଘଟ ନ କରିବାକୁ କୁଆଡେ ‘ହିଡେନ୍‌ ଏଜେଣ୍ଡା’ ରହିଥିଲା।
 
ତେବେ ପ୍ରଶ୍ନ ଉଠୁଛି ଏହି ସମୟ ମଧ୍ୟରେ ଯେଉଁ ଦର୍ଶକ ପକ୍ଷୀ ଖୁଆଡ଼ ଯାଇ ପକ୍ଷୀଙ୍କୁ ଦେଖିଛନ୍ତି, ସେମାନେ ଏଚ୧ଏନ୍‌୧ରେ ସଂକ୍ରମିତ ହୋଇଛନ୍ତି କି ନାହିଁ। ଯଦି ଦର୍ଶକ ଏଭଳି ରୋଗର ଶିକାର ହୁଅନ୍ତି, ତେବେ କାହାକୁ ଦାୟୀ କରାଯିବ। ବାର୍ଡ ଫ୍ଲୁରେ ଶିକାର ପକ୍ଷୀ ଓ ଏହାର ଚତୁପାର୍ଶ୍ୱରେ ବାୟୁରେ ଏହି ଭୂତାଣୁ ଥାଏ। ତେଣୁ ଆଇଜି ପାର୍କ କର୍ତୃପକ୍ଷ ସବୁ ଜାଣି କେଉଁ ସ୍ୱାର୍ଥରେ ଚୁପ୍‌ ରହିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ରିପୋର୍ଟ ପାଇବା ପରେ ପାର୍କକୁ ବନ୍ଦ ନ କରି ପ୍ରଶାସନର ନିର୍ଦେଶକୁ ପାର୍କ କର୍ତୃପକ୍ଷ ଅପେକ୍ଷା କରି ରହିବା ଲୋକଙ୍କୁ ବିସ୍ମିତ କରିଛି। ପାର୍କ କର୍ତୃପକ୍ଷ  ଲୋକଙ୍କ ସ୍ୱାସ୍ଥ୍ୟକୁ ଅଣଦେଖା କରିବା ଘଟଣାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଇଜି ପାର୍କରେ ବାର୍ଡ ଫ୍ଲୁ ଆଶଙ୍କା ନେଇ ତିନି ମାସ ଆଗରୁ ଅନେକ ସଂଗଠନ ପାର୍କ କର୍ତୃପକ୍ଷଙ୍କୁ ଜଣାଇବା ସହ ସମ୍ବାଦପତ୍ରକୁ ଲେଖିଥିଲେ। ସେତେବେଳେ ପାର୍କ ପ୍ରଶାସନ ଚୁପ୍‌ ରହିଥିଲା। ଏପରିକି ପାର୍କ ଭିତରେ ପକ୍ଷୀ ଖୁଆଡକୁ ଯାଉଥିବା କର୍ମଚାରୀଙ୍କୁ ମଧ୍ୟ ରୋଗ ପ୍ରତିରୋଧକ ପୋଷାକ ବି ଦିଆଯାଇନଥିଲା। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି।