26 May 2017
10:24:24 PM
image
Sambad News
ରାଜ୍ୟ

ସହରରୁ ଗାଁକୁ ବ୍ୟାପିଲା ବାର୍ଡ ଫ୍ଲୁ!

କଣ୍ଟ୍ରୋଲ ରୁମ୍‌ ଖୋଲିଲା ପ୍ରଶାସନ ଭୁବନେଶ୍ୱରରୁ ଆସିଲେ ୨ ପ୍ରାଣୀ ରୋଗ ବିଶେଷଜ୍ଞ

By Sambad | Date: Jan 3 2017 1:38AM
ସହରରୁ ଗାଁକୁ ବ୍ୟାପିଲା ବାର୍ଡ ଫ୍ଲୁ!
Photo by : jpost.com

ରାଉରକେଲା : ରାଉରକେଲା ସହରରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନକୁ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଛି। ସହର ଠାରୁ ଉଭୟ ପାର୍ଶ୍ୱରେ ପ୍ରାୟ ୧୫ କିଲୋମିଟର ଦୂର କଚାରୁ ଓ ଲାଠିକଟା ଅଞ୍ଚଳରେ ପକ୍ଷୀ ମଲେଣି। ପ୍ରଶାସନର ପଦକ୍ଷେପ କେବଳ ବୈଠକରେ ସୀମିତ ଥିବାରୁ ଏହି ରୋଗ କ୍ରମେ ଅଣାୟତ୍ତ ହେବାରେ ଲାଗିଛି। ବାର୍ଡ ଫ୍ଲୁ ରୋଗର ଭୟାବହତା ସମ୍ପର୍କରେ ଲୋକେ ଜାଣି ନଥିବାରୁ ମୃତ ପକ୍ଷୀର ମାଂସକୁ ଖାଉଛନ୍ତି। ତେଣୁ ଜିଲ୍ଲାରେ ମଣିଷ ଶରୀରରେ ଏହି ରୋଗ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି। 
 
ରାଉରକେଲା ସହରର ପାର୍ଶ୍ୱବର୍ତ୍ତୀ ଉତ୍ତର ପାର୍ଶ୍ୱରେ କୁଆରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ କଚାରୁ ପଞ୍ଚାୟତ ଅଞ୍ଚଳରେ ବାର୍ଡ ଫ୍ଲୁ ଦେଖାଦେଇଛି। ଗତକାଲି ଠାରୁ କଚାରୁ ଗ୍ରାମରେ ଏହି ରୋଗରେ ଆକ୍ରାନ୍ତ କୁକୁଡ଼ାଙ୍କ ମଧ୍ୟରୁ କେତେକ ମରିଛନ୍ତି। ମୃତ କୁକୁଡ଼ାଙ୍କୁ ପୋଡ଼ି କିମ୍ବା ପୋତି ଦେବା ପରିବର୍ତ୍ତେ ଲୋକେ ଏହାକୁ ଖାଉଛନ୍ତି। କଚାରୁ ଭଳି ରାଉରକେଲା ସହରର ଦକ୍ଷିଣ ପାର୍ଶ୍ୱରେ ଲାଠିକଟା ଅଞ୍ଚଳରେ ମଧ୍ୟ ଗଛ ମୂଳରେ କାଉ ମରି ପଡ଼ିଥିବା ଦେଖିବାକୁ ମିଳିଛି। ରାଉରକେଲା ସହରରୁ ଗ୍ରାମାଞ୍ଚଳକୁ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।  
 
ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ବସି  ରୋଗର ପ୍ରତିକାର ଓ ପ୍ରତିଷେଧକ ନେଇ ବିସ୍ତତ ଆଲୋଚନା ହୋଇଥିଲା। କୁକୁଡ଼ାମାନଙ୍କୁ ରାଣୀକ୍ଷେତ ଟିକା ପ୍ରଦାନ, କୁକୁଡ଼ା ରହୁଥିବା ଘର ଚତୁପାର୍ଶ୍ୱକୁ ପରିଷ୍କାର ପରିଚ୍ଛନ୍ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବାର୍ଡ ଫ୍ଲୁ ପାଇଁ ପ୍ରଶାସନ ପକ୍ଷରୁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି।  ଏ ସମ୍ପର୍କିତ କୌଣସି ସୂଚନା ପାଇଁ ୯୪୩୭୧୭୨୨୬୮, ୯୯୩୭୯୭୫୪୩୪ ସହିତ ଯୋଗାଯୋଗ କରାଯାଇ ପାରିବ।  ବାର୍ଡ ଫ୍ଲୁ ମୁକାବିଲା ପାଇଁ ୧୦ଟି ଟିମ୍‌ ଗଠନ କରାଯାଇଛି।  
 
ସେଥିମଧ୍ୟରୁ ୪ଟି ଟିମ୍‌ ବାର୍ଡ ଫ୍ଲୁ ସଂକ୍ରମିତ ପକ୍ଷୀ  ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କାମ କରିବେ। ଅନ୍ୟ ୬ଟି ଟିମ୍‌ ୧୦ କିଲୋମିଟର ବ୍ୟାପୀ ଅଞ୍ଚଳରେ ନିୟୋଜିତ ହେବେ।  ବାର୍ଡ ଫ୍ଲୁ ରୋଗ ଚିହ୍ନଟ ଓ ଏହାର ନିରାକରଣ ପାଇଁ  ଭୁବନେଶ୍ୱର ଫୁଲନଖରା ସ୍ଥିତ ପଶୁରୋଗ ଗବେଷଣା ଅନୁଷ୍ଠାନରୁ ଉପନିର୍ଦେଶକ  ବୀର କିଶୋର ପଣ୍ଡା ଏବଂ ଯୁଗ୍ମ ନିର୍ଦେଶକ ଡା. ଲୋକନାଥ ସାହୁ ମଧ୍ୟ ଆଜି ରାଉରକେଲାରେ ପହଞ୍ଚି ଏ ନେଇ ଅନୁଧ୍ୟାନ କରୁଛନ୍ତି।  ଆଜି ଅପରାହ୍ନରେ ସଫେଇ କର୍ମଚାରୀଙ୍କୁ ଏ ସଂକ୍ରାନ୍ତରେ ତାଲିମ ଦିଆଯାଇଛି।

image