24 July 2017
8:14:50 AM
image
Sambad News
ସୁନ୍ଦରଗଡ଼

ସୁନ୍ଦରଗଡ଼କୁ ବ୍ୟାପିଲା ବାର୍ଡ ଫ୍ଲୁ : ନମୁନା ସଂଗ୍ରହ କଲେ ବିଶେଷଜ୍ଞ ଦଳ

By Sambad | Date: Jan 4 2017 6:16AM
ସୁନ୍ଦରଗଡ଼କୁ ବ୍ୟାପିଲା ବାର୍ଡ ଫ୍ଲୁ : ନମୁନା ସଂଗ୍ରହ କଲେ ବିଶେଷଜ୍ଞ ଦଳ

ରାଉରକେଲା/ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ବାର୍ଡ୍‌ ଫ୍ଲୁ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। କେବଳ ରାଉରକେଲା ସିଆଇଏସ୍‌ଏଫ୍‌ ବାରାକ୍‌ରେ ଗତକାଲି ସୁଦ୍ଧା ୪୦ଟି କାଉ ମରିଥିବାବେଳେ ଆଜି ପୁଣି ଆଉ ୧୭ଟି କାଉ ମରିଛନ୍ତି। କୁଆରମୁଣ୍ଡାର କଚାରୁ ଓ ଲାଠିକଟାରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ସୁନ୍ଦରଗଡ଼ ସହରରେ ପକ୍ଷୀ ମଡ଼କ ପରିଲକ୍ଷିତ ହୋଇଛି। 
 
ଗତକାଲି ଭଳି ଆଜି ମଧ୍ୟ କଚାରୁରେ ବହୁ କୁକୁଡ଼ା ମରିଛନ୍ତି। ଗତ ୩ ଦିନ ହେଲା ସୁନ୍ଦରଗଡ଼ ସହର ସୁପରମାର୍କେଟ୍‌ରେ ପାରା ମରିପଡ଼ୁଥିବା ଦେଖାଯାଇଛି। ଅପରପକ୍ଷେ, ଗତକାଲିଠାରୁ ରାଉରକେଲାରେ ପହଞ୍ଚିଥିବା ବିଶେଷଜ୍ଞ ଦଳ ତତ୍ପରତାର ସହ ଯାଞ୍ଚ ଆରମ୍ଭ କରିଦେଇଛି। ଆନିମଲ ଡିଜିଜ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌(ଏଡିଆର୍‌ଆଇ)ର ରିସର୍ଚ୍ଚ ଅଫିସର ଡା. ସମ୍ବିତ ପାତ୍ର, ରିସର୍ଚ୍ଚ ଅଫିସର ତଥା ଏଡିଏମ୍‌ଏଏସ୍‌ର ପ୍ରିନ୍ସିପାଲ ଇନ୍‌ଭେଷ୍ଟିଗେଟର୍‌ ଡା. ଦେବାନନ୍ଦ ପାତ୍ର, ସ୍ଥାନୀୟ ଭିଏଏସ୍‌ ଡା. ପି.କେ. ମହାରଣା ଆଜି ପୂର୍ବାହ୍ନରେ ଯାଞ୍ଚ କାର୍ଯ୍ୟ ବ୍ୟାପକ କରିଛନ୍ତି। ଏହି ପ୍ରତିନିଧି ଦଳ ପୂର୍ବାହ୍ନରେ ସିଆଇଏସଏଫ୍‌ ବାରାକ୍‌ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। 
 
ପରେ ଇନ୍ଦିରା ଗାନ୍ଧୀ(ଆଇଜି) ପାର୍କ ଯାଇ ପେଲିକାନ୍‌, ପାରାକିଟ୍‌, ଏମୁ, ଗୋଲଡେନ୍‌ ପିଜାଣ୍ଟ୍‌, ଲେଡି ପିଜାଣ୍ଟ୍‌, ବତକ, ମୟୂର ଆଦି ୧୧ଟି ବିଭିନ୍ନ ପ୍ରଜାତି ପକ୍ଷୀର ସ୍ୱାପ୍‌ ନମୁନା ନେଇଥିଲେ। ଆଇଜି ପାର୍କ ବ୍ୟତୀତ ଆଜି ରାଉରକେଲା ତଥା ଦଶ କିଲୋମିଟର ପରିଧି ଅଂଚଳରେ ମଧ୍ୟ ଗୃହପାଳିତ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇଛି। ୯ଟି ଦଳରେ ବିଭକ୍ତ ହୋଇ ଯାଞ୍ଚ କରାଯାଇଛି। ରାଉରକେଲାର ବୁଲା ପକ୍ଷୀଙ୍କ ନମୁନାରେ ପଜିଟିଭ୍‌ ବାହାରିଥିବା ବେଳେ ଏଯାବତ୍‌ ଗୃହପାଳିତ ପକ୍ଷୀଙ୍କଠାରେ ଏହି ଲକ୍ଷଣ ଦେଖିବାକୁ ମିଳିନି।