22 February 2017
10:52:26 PM
Sambad News
ସୁନ୍ଦରଗଡ଼

ଥମୁନି ଏନଆଇଟି ବିବାଦ : ବଦଳିଲେ ରେଜିଷ୍ଟ୍ରାର୍‌

By Sambad | Date: Jan 5 2017 12:19AM
ଥମୁନି ଏନଆଇଟି ବିବାଦ : ବଦଳିଲେ ରେଜିଷ୍ଟ୍ରାର୍‌

ରାଉରକେଲା : ରାଉରକେଲା ଜାତୀୟ ପ୍ରଯୁକ୍ତି ଶିକ୍ଷାନୁଷ୍ଠାନ (ଏନ୍‌ଆଇଟି)ର ଉଚ୍ଚ ପ୍ରଶାସନିକସ୍ତରରେ ଲାଗି ରହିଥିବା ବିବାଦ ଥମିବାର ନାଁ ନେଉନି। କିଛି ମାସ ପୂର୍ବେ ଏକ ବିବାଦୀୟ ପରିସ୍ଥିତିରେ ଶିକ୍ଷାନୁଷ୍ଠାନର ନିର୍ଦେଶକ ପ୍ରଫେସର ସୁନିଲ ଷଡଙ୍ଗୀ ବିଦା ହେବା ପରେ ଏବେ କୁଳସଚିବ ପ୍ରଫେସର ଏସ.କେ. ଉପାଧ୍ୟାୟ ତାଙ୍କ ପଦ ହରାଇଛନ୍ତି। ତାଙ୍କ ସ୍ଥାନରେ ନୂତନ କୁଳସଚିବ ଭାବେ ମେକାନିକାଲ ଇଂଜିନିଅରିଂ ବିଭାଗର ପ୍ରଫେସର ଏସ୍‌.କେ. ପଟେଲ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ୩୦ ତାରିଖରେ ଏନ୍‌ଆଇଟି ନିର୍ଦ୍ଦେଶକ ଓ ଆସିଷ୍ଟାଣ୍ଟ୍‌ ରେଜିଷ୍ଟ୍ରାର୍‌ଙ୍କ ଦସ୍ତଖତ ସମ୍ବଳିତ ଏକ ନୋଟିସ୍‌ରେ ଏହି ଅଦଳବଦଳ ସୂଚନା ଦିଆଯାଇଛି। 
 
ଅପରପକ୍ଷେ ରେଜିଷ୍ଟ୍ରାର୍‌ ପଦବିରେ ପ୍ରାୟ ୧୨ ବର୍ଷ ଧରି ରହିଥିବା ପ୍ରଫେସର ଉପାଧ୍ୟାୟଙ୍କୁ ଓଏସ୍‌ଡି ନିଯୁକ୍ତ କରାଯାଇଛି। ପରବର୍ତ୍ତୀ ନିଷ୍ପତ୍ତି ଯାଏଁ ଏହି ଅଦଳବଦଳ ନିର୍ଦ୍ଦେଶାନାମା ବଳବତ୍ତର ରହିବ। ବିଶ୍ୱସ୍ତସୂତ୍ରରୁ ପ୍ରକାଶ ଯେ ପୂର୍ବ ନିର୍ଦ୍ଦେଶକ ପ୍ରଫେସର ଷଡ଼ଙ୍ଗୀ ଗତ ୨୦୧୫ ସେପ୍ଟେମ୍ବର ୨୦ ତାରିଖରେ ଶ୍ରୀ ଉପାଧ୍ୟାୟଙ୍କ ବିରୋଧରେ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶାନାମାକୁ ଅବହେଳା କରି ବୋର୍ଡ୍‌ ଅଫ୍‌ ଗଭର୍ଣ୍ଣର୍ସ୍‌(ବିଓଜି) ଅଧ୍ୟକ୍ଷାଙ୍କ ନିଷ୍ପତ୍ତିକୁ ପାଳନ କରୁଥିବା ଅଭିଯୋଗ ଆଣି ନିଲମ୍ବିତ କରିଥିଲେ। ପରବର୍ତ୍ତୀ ସମୟରେ ଶ୍ରୀ ଉପାଧ୍ୟାୟ ନିଜ ପଦବି ଫେରି ପାଇବା ସହ ପୁଣି ରେଜିଷ୍ଟ୍ରାର୍‌ ଦାୟିତ୍ୱ ସମ୍ଭାଳିଥିଲେ। 
 
ପୂର୍ବ ନିର୍ଦ୍ଦେଶକଙ୍କ କୋପର ଶିକାର ହୋଇ ନିଲମ୍ବିତ ହେବା ଓ ଅଧୁନା ପୁଣି ଥରେ ସେ ସମୟରେ ଦିଆଯାଇଥିବା ରିପୋର୍ଟ ଅନୁସାରେ ଏହି ଅଦଳବଦଳ କରାଯାଇଥିବା ଜଣାପଡ଼ିଛି। ଶ୍ରୀ ଉପାଧ୍ୟାୟଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ ଓ ପୁଣିଥରେ ଆଉ ଏକ ନବଗଠିତ କମିଟି ଏହାର ବିଚାର କରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ।