30 March 2017
8:05:40 AM
Sambad News
ରାଜ୍ୟ

ସନ୍ଦିଗ୍ଧ ପିଏଲ୍‌ଏଫ୍‌ଆଇ କ୍ୟାଡର୍‌କୁ ନିସ୍ତୁକ ମାଡ଼

By Sambad | Date: Jan 6 2017 5:20AM
ସନ୍ଦିଗ୍ଧ ପିଏଲ୍‌ଏଫ୍‌ଆଇ କ୍ୟାଡର୍‌କୁ ନିସ୍ତୁକ ମାଡ଼

ରାଉରକେଲା : ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ମାରେନ୍‌ ଗାଁର ସନ୍ଦିଗ୍ଧ ପିଏଲ୍‌ଏଫ୍‌ଆଇ ତଥା ହାର୍ଡକୋର୍‌ ଅପରାଧୀ ଅନୀଲ ତିର୍କୀ(୨୬)କୁ ପୁଲିସ୍‌ କାବୁ କରିବାରେ ସଫଳ ହୋଇଛି। ଗ୍ରାମବାସୀଙ୍କ ନିସ୍ତୁକ ମାଡ଼ରେ ଗୁରୁତର ଆହତ ହୋଇ ସେ ଏବେ ଆର୍‌ଜିଏଚ୍‌ରେ ଚିକିତ୍ସିତ ହେଉଛି। ତାର ଅନ୍ୟତମ ସହଯୋଗୀ ସୁନୀଲ ମାଝୀ କିନ୍ତୁ ଫେରାର ହେବାରେ ସକ୍ଷମ ହୋଇଛି। 
 
ଗ୍ରାମବାସୀଙ୍କ ସୂଚନା ଅନୁସାରେ, ଆଜି ଅପରାହ୍ନ ପ୍ରାୟ ୨ଟାରେ ଦୁଇ ଅଭିଯୁକ୍ତ ଅନୀଲ ଓ ସୁନୀଲ ଦଲ୍‌କି ବଜାରକୁ ଆସି ଦୋକାନିମାନଙ୍କୁ ଦାଦା ବଟି ମାଗିଥିଲେ। ଦୋକାନିମାନେ ଏହାକୁ ବିରୋଧ କରିବାରୁ ଦୁଇ ଅଭିଯୁକ୍ତ ଜଣେ ଦୋକାନିଙ୍କୁ ମାଡ଼ ମାରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଦୋକାନିମାନେ ସଂଘବଦ୍ଧ ହୋଇ ଉଭୟଙ୍କୁ ନିର୍ଧୁମ ମାଡ଼ ମାରିଥିଲେ। ପରେ ବ୍ରାହ୍ମଣୀ ତରଙ୍ଗ ପୁଲିସ୍‌ ସେଠାରେ ପହଞ୍ଚି ଅନୀଲକୁ ଗିରଫ କରିଥିବା ବେଳେ ସୁନୀଲ କିନ୍ତୁ ଫେରାର ହୋଇଯାଇଥିଲା। 
 
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଦୁଇ ଅଭିଯୁକ୍ତ ଦୀର୍ଘ ଦିନ ହେଲା ଦଲକି ଜଙ୍ଗଲରେ ଗଛରେ ମଞ୍ଚା କରି ରହନ୍ତି। ଖାଦ୍ୟ ସାମଗ୍ରୀ କିଣିବାକୁ ପ୍ରାୟତଃ ଦଲ୍‌କି ବଜାରକୁ ଆସିଥାନ୍ତି। ମାତ୍ର ଟଙ୍କା ନ ଦେଇ ଧମକଚମକ ଦେଇ ପୁଣି ଜଙ୍ଗଲ ଭିତରକୁ ପଳାଇଥାନ୍ତି। ଉଭୟେ ପିଏଲ୍‌ଏଫ୍‌ଆଇ ସଂଗଠନର ବୋଲି ଅଂଚଳବାସୀ କହୁଥିବାବେଳେ ପୁଲିସ କିନ୍ତୁ ଏହାକୁ ଅସ୍ୱୀକାର କରିଛି। ପୁଲିସ କହିଛି, ଦୁଇ ଅଭିଯୁକ୍ତଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି। ଉଭୟେ ଦଲକି ବଜାରରେ ବୁଲୁଥିବା ବେଳେ ପୁଲିସ୍‌ ଅତର୍କିତ ଚଢ଼ଉ କରି ଅନୀଲକୁ କାବୁ କରିଥିବାବେଳେ ସୁନୀଲ କିନ୍ତୁ ଫେରାର ହୋଇଯାଇଛି। ଗୋଡ଼ାଇବା ସମୟରେ ଅନୀଲ ତଳେ ପଡ଼ି ଆହତ ହେବାରୁ ତାକୁ ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଛି।